ପାଇପ୍‌ ଲାଇନ ପାଇଁ ଉପୁଡ଼ିବ ଶହଶହ ଗଛ

କବାଟବନ୍ଧ: ପାଇପ୍‌ ଲାଇନ୍‌ ବିଛାଇବାକୁ ଖୋଳାଯାଇଥିବା ଗାତ ପାଇଁ ଏବେ ଶହଶହ ଗଛ ନଷ୍ଟ ହେବାକୁ ଯାଉଛି। ସ୍ଲରି ପାଇପ୍‌ ଲାଇନ୍‌ରେ ଲୁହାପଥର ପରିବହନ ପାଇଁ କଳିଙ୍ଗନଗରରୁ ପାରାଦୀପ ପର୍ଯ୍ୟନ୍ତ ଜାତୀୟ ରାଜପଥ ପାର୍ଶ୍ବରେ ବ୍ୟାପକ ଭାବେ ମାଟି ଖୋଳି ଦିଆଯାଇଛି। ଯଦି ପାଇପ୍‌ ବିଛାଇ ସଙ୍ଗେସଙ୍ଗେ ତାହାକୁ ପୁନର୍ବାର ପୋତି ଦିଆଯାଇଥାନ୍ତା ତେବେ କୌଣସି ସମସ୍ୟା ନଥିଲା। ମାତ୍ର ତାକୁ ଖୋଳି ସେମିତି ଛାଡ଼ି ଦିଆଯାଇଛି। ଏବେ ବର୍ଷାମାଡ଼ରେ ମାଟିଧସି ଗଛମୂଳ ଚେର ସବୁ ବାହାରିଗଲାଣି। ଧାରା ଶ୍ରାବଣରେ ବର୍ଷାରେ ଏହି ଗଛସବୁ ମୂଳରୁ ଭୁଶୁଡ଼ି ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ଫଳ‌ରେ ଏହି ବନୀକରଣ ବୃଥା ଯିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
ଚଣ୍ତିଖୋଲ-ଡୁବୁରି ଜାତୀୟ ରାଜପଥ ନିର୍ମାଣ ପାଇଁ ରାସ୍ତାକଡ଼ରୁ ହଜାରହଜାର ଗଛ କଟାଯାଇଥିଲା। ତାହା ବଦଳରେ ଦୁଇଗୁଣା ଅଧିକ ଗଛ ଲଗାଇବା ପାଇଁ ଠିକାସଂସ୍ଥା ପକ୍ଷରୁ ଚୁକ୍ତି କରାଯାଇଥିଲା।

ଚୁକ୍ତି ଅନୁସାରେ ରାଜପଥର ଦୁଇପାର୍ଶ୍ବରେ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ବାରା କୃଷ୍ଣଚୂଡ଼ା, ଆକାଶିଆ ସମେତ ବିଭିନ୍ନ ପ୍ରକାରର ହଜାର ହଜାର ଗଛ ଲଗାଯାଇଥିଲା। ଏହି ଗଛ ସବୁ ଏବେ ବଡ଼ ହୋଇ ଆକର୍ଷଣୀୟ ସବୁଜିମା ସୃଷ୍ଟି କରିଛି। ହେଲେ ଜିନ୍ଦଲ କଂପାନି ପକ୍ଷରୁ ପାଇପ ଲାଇନ୍ ଯିବା ପାଇଁ ରାସ୍ତା କଡ଼ରେ ଗଭୀର ଭାବ‌େ ଖୋଳାଯାଇଥିବାରୁ ଦୁଇବର୍ଷ ତଳେ ଲଗାଯାଇଥିବା ଏହି ଗଛ ସବୁ ଉପୁଡ଼ି ଯିବାକୁ ବସିଛି। କମ୍ପାନି ଖୋଳିଦେଇ ଦୀର୍ଘଦିନ ହେଲା ପାଇପ୍ ବିଛାଇ ନଥିବାରୁ ବର୍ଷାରେ ଧୀରେଧୀରେ ମାଟି ଖାଇଯାଉଛି। ଏହାଦ୍ବାରା ଶହଶହ ଗଛର ୭୫ ଭାଗ ଚେର ଦେଖାଯାଉଛି। ଅଧିକ ବର୍ଷା ହେଲେ ଏଗୁଡ଼ିକ ଉପୁଡ଼ି ପଡ଼ିବ। ବିଶେଷକରି ଏହି ରାଜପଥର ବ୍ରାହ୍ମଣୀ ସେତୁ ପଟୁ କନ୍ତପଡ଼ା ଛକ ପର୍ଯ୍ୟନ୍ତ ଅନେକ ଗଛ ଆଉ ଅସରାଏ ଦୁଇ ଅସରା ବର୍ଷାରେ ଭୁଶୁଡ଼ି ପଡ଼ିବ। ଏ ବିଷୟରେ ପରିବେଶବିତ୍‌ ଅଧ୍ୟାପକ ମନୋଜ କୁମାର ଧୀର କହନ୍ତି ଯେ ବହୁ ପରିଶ୍ରମରେ ଏ ଗଛ ସବୁ ଲାଗିଛି। ଏତେ ସହଜରେ ସେସବୁ ନଷ୍ଟ ହେବାକୁ ଦିଆଯିବ ନାହିଁ। ନଚେତ ଆମେ ଏହାର ପ୍ରତିବାଦ କରିବୁ। ତୁରନ୍ତ ଓଡ଼ିଶା ବନ ଉନ୍ନୟନ ନିଗମ ତଥା ପାଇପ୍‌ ଲାଇନ ବିଛାଉଥିବା କଂପାନି ଏ ଦିଗରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ଏ ବିଷୟରେ ଗଡ଼ମଧୁପୁର ଫରେଷ୍ଟର ଶଶୀକାନ୍ତ ବେହେରାଙ୍କୁ ଯୋଗାଯୋଗ କରିବାରୁ କହିଥିଲେ ଯେ ଗଛଗୁଡ଼ିକୁ ଓଏଫ୍‌ଡିସି ଲଗାଇଛି। ଏନେଇ ମୁଁ ନିଗମର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ପ୍ରତିକାର ଉଦ୍ୟମ କରିବାକୁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର