ପୁଲିସ-ବନ କର୍ମଚାରୀ ସହାୟତାରେ ଅବାଧ ଜଙ୍ଗଲ କଟା, ଚାଲାଣ ହେଉଛି ଝାଡ଼ଖଣ୍ଡ, ସମ୍ବଲପୁର, ଝାରସୁଗୁଡା

ହାତୀବାରି ଗୋଟିଟାଙ୍ଗରରେ ତିଆରି ହେଉଛି ଘର ଉପକରଣ

ରାଉରକେଲା/ନୂଆଗାଁ: ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି କିଛି କାଠ ମାଫିଆ। ବନ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ, ବନ କର୍ମଚାରୀଙ୍କୁ ଚକ୍‌ମା ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ କାଠ କାଟି ଜଙ୍ଗଲ ପଦା କରୁଛନ୍ତି। ରାତି ରାତି ଏସବୁ କାଠଗୁଡ଼ିକୁ ଟ୍ରାକ୍ଟର, ଟ୍ରକ ଆଦିରେ ଲୋଡିଂ କରି ଝାଡ଼ଖଣ୍ଡ ଅଞ୍ଚଳକୁ ପାର କରି ଦେଉଛନ୍ତି। ଦିନେ କି ଦୁଇ ଦିନ ନୁହେଁ ଗତ କିଛି ମାସ ହେବ ଏଭଳି ଚୋରା କାରାବାର ଅବାଧରେ ଚାଲିଛି। ବନ ବିଭାଗ କର୍ମଚାରୀ ଓ ପୁଲିସ ସେମାନଙ୍କୁ ଧରିବା ପରିବର୍ତ୍ତେ ଓଲଟା ସୁରକ୍ଷା ଦେଉଛନ୍ତି। ସେମାନଙ୍କ ଇଙ୍ଗିତରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା ସଂରକ୍ଷିତ ଜଙ୍ଗଲରୁ ଦୈନିକ ଶାଳ, ପିଆଶାଳ, ଶାଗୁଆନ୍‌ ଆଦି ମୂଲ୍ୟବାନ କଟାଯାଉଛି। ସାମିଲ ଅଛନ୍ତି କିଛି ଜଙ୍ଗଲ ମାଫିଆ। ରାତା ରାତି କଟର ସହାୟତାରେ ଗଛଗୁଡ଼ିକ କାଟୁଛନ୍ତି।

ପୁଲିସ ସୁରକ୍ଷାରେ ପିକ୍‌ଅପ୍‌, ଟ୍ରାକ୍ଟର ଆଦିରେ ବୋହି ନେଉଛନ୍ତି ଘରୋଇ ସାମଗ୍ରୀ ତିଆରି ହେଉଥିବା ନିଚ୍ଛାଟିଆ ସ୍ଥାନକୁ। ସେଠାରେ କାଠ ମିସ୍ତ୍ରୀଙ୍କ ସହାୟତାରେ ଖଟ, ପଲଙ୍କ, ଘର ଉପକରଣ ସମେତ ଅନ୍ୟାନ୍ୟ ଆସବାବପତ୍ର ତିଆରି କରି ବାହାରେ ବିକ୍ରି କରୁଛନ୍ତି। ଆଉ କିଛି ଘର ଉପକରଣ ପୁଲିସ ବାବୁ ଓ ବନ ବିଭାଗ କର୍ମଚାରୀ ନିଜ ନିଜ ଘରକୁ ପଠାଉଛନ୍ତି। ନିକଟରେ ଥାନା ବାବୁ ଓ ବନ କର୍ମଚାରୀ ମୂଲ୍ୟବାନ ଶାଗୁଆନ କାଠରେ ଘର ଉପକରଣ ତିଆରି କରି ଝାରସୁଗୁଡା ଓ ସମ୍ବଲପୁର ନିଜକୁ ଘରକୁ ପଠାଇ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସେପଟେ ନୂଆଗାଁ ବ୍ଲକ ଅନ୍ତର୍ଗତ କୋକେରମା, କରଡେଗା, ହାତୀବାରୀ ଆଦି ଅଞ୍ଚଳର କିଛି କାଠ ଚିରାଳୀଙ୍କୁ ଜଙ୍ଗଲ କଟାରେ ନିୟୋଜିତ କରାଯାଉଛି। ଏଭଳି ଭାବେ ସଂରକ୍ଷିତ ଜଙ୍ଗଲରେ ଶହ ଶହ ମୂଲ୍ୟ ଗଛଗୁଡ଼ିକୁ କାଟି ପଦା କରି ଦିଆଯାଉଛି। ସରଂକ୍ଷିତ ଜଙ୍ଗଲ ପଦା ହେଉଥିବାରୁ ସ୍ଥାନୀୟ ଲୋକ ବନ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କିନ୍ତୁ ଫଳ ଶୂନ। ତେବେ ବନ ବିଭାଗ, ପୁଲିସ କର୍ମଚାରୀଙ୍କୁ ବଣ ଜଙ୍ଗଲର ସୁରକ୍ଷା ପାଇଁ ଅଖଣ୍ଡ କ୍ଷମତା ଦିଆଯାଇଛି। ବିଡମ୍ବନା, ଏଠାରେ କିନ୍ତୁ ଉଭୟ ବନ କର୍ମଚାରୀ ଓ ପୁଲିସ ଓଲଟା କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି ବୀରମିତ୍ରପୁର ରେଞ୍ଜରେ।

ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା ଜଲଡେଗା, ପୋରବା ନିକଟ ଜଙ୍ଗଲରୁ ଅବାଧ ଗଛ କଟାକୁ ନେଇ ଲୋକେ ବାରମ୍ବାର ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଫଳ ଶୂନ। ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଥିବାରୁ ସ୍ଥାନୀୟ ଅଞ୍ଚଳ କିଛି ସଙ୍ଗଠନର ଜଙ୍ଗଲ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଓ ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ କିଛି ମାସ ତଳେ ଗାଁ ଲୋକ ବୀରମିତ୍ରପୁର ରେଞ୍ଜରଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ରେଞ୍ଜରଙ୍କ ନେତୃତ୍ବରେ ଗଠିତ ଟିମ୍‌ ଚଢ଼ଉ କରିଥିଲେ। ଗଛ କାଟୁ ଥିବା କାଠ ମାଫିଆରେ ନିଜର ଜିନିଷପତ୍ର ଛାଡି ସେଠାରୁ ଫେରାର ହୋଇଯାଇଥିଲେ। ଏହି ରାକେଟ୍‌ରେ ଥିବା କାଠ ମାଫିଆଙ୍କୁ ଧରିବା ପରିବର୍ତ୍ତେ ବନ ବିଭାଗ ଚୁପ୍‌ ବସିଛି।

ନିକଟରେ ତତ୍କାଳୀନ ବୀରମିତ୍ରପୁର ଏସ୍‌ଡିପିଓ ପି.କେ. ପାତ୍ର ନିର୍ଦ୍ଦେଶକ୍ରମେ ପୁରୁଣାପାଣିର ଟିସ୍କୋ ଅଞ୍ଚଳରେ ଚଢ଼ଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ଚୋରା ମୂଲ୍ୟବାନ କାଠ ଜବତ ହୋଇଥିଲା। ଏସବୁ ଚୋରାକାଠ ବୀରମିତ୍ରପୁର ରେଞ୍ଜରୁ ଝାଡ଼ଖଣ୍ଡକୁ ଚାଲାଣ ହେଉଥିଲା। ଚାଲାଣ ସ୍ଥାନୀୟ ପୁଲିସ କିଛି କର୍ମଚାରୀଙ୍କ ନାମକୁ ନେଇ ଚର୍ଚ୍ଚା ହୋଇଥିଲା। ହାତୀବାରିରେ ଫରେଷ୍ଟ ବିଭାଗର ଅଫିସ୍‌ ରହିଛି। ହାତୀବାରି ଠାରୁ ମାତ୍ର ୧୦ କିଲୋମିଟର ଦୂର ରେଞ୍ଜ ଅଫିସ୍‌ ଥିବା ସତ୍ବେ ସୀମାନ୍ତରୁ ଏଭଳି ଅବାଧରେ ମୂଲ୍ୟବାନ କଟା ବନ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ବାଇଁଙ୍କୁ ପଚରାଯିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ କରାଯିବ। ଏହି ଚୋରା କାରବାରରେ ଯେଉଁମାନଙ୍କ ସମ୍ପୃକ୍ତ ଥିବ ସେମାନଙ୍କ ବିରୋଧରେ ନିଶ୍ଚିତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର