ଏନ୍ଏସ୍ଏସ ପ୍ରତିଷ୍ଠା ଦିବସରେ ପ୍ରେରଣା ଗ୍ରୀନ୍ ଆର୍ମି ଓ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପକ୍ଷରୁ ସହିଦ ସ୍ମାରକୀ ବୃକ୍ଷରୋପଣ

ଖୋର୍ଦ୍ଧା: ପରିବେଶର ଋଣ ପରିଶୋଧ କରିବା ପ୍ରତ୍ୟେକ ମଣିଷର ପ୍ରଧାନ କର୍ତ୍ତବ୍ୟ। ନିଜେ ପରିବେଶକୁ ସୁରକ୍ଷିତ ରଖିବା ସହିତ ନିଜର ପରିବାର ସଦସ୍ୟଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ସମ୍ପର୍କରେ ସଚେତନତା କରାଇବା ପାଇଁ ଏନ୍ଏସ୍ଏସର ଛାତ୍ରଛାତ୍ରୀ ମାନେ ସଂକଳ୍ପ ନେବା ଉଚିତ ବୋଲି ଆଜି କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ସେବା ଯୋଜନା (ଏନ୍ଏସ୍ଏସ୍)ର ପ୍ରତିଷ୍ଠା ଦିବସ ଓ ବର୍ଷେ ବ୍ୟାପୀ ଚାଲିବାକୁ ଥିବା ଗ୍ରୀନ୍ ଫିଷ୍ଟ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଭାରତ ସରକାରଙ୍କ ନିର୍ବାଚନ ଆୟୋଗର ପ୍ରାକ୍ତନ ପରାମର୍ଶଦାତା ଭଗବାନ ପ୍ରକାଶ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତଥା ପୁନଶ୍ଚ ପୃଥିବୀର ଆବାହିକା ତନୟା ପଟ୍ଟନାୟକ କହିଥିଲେ ଯେ ଆଜି ପୃଥିବୀ ମାଆର ଯେଉଁ ପରିସ୍ଥିତି ହୋଇଛି ତା’ର ସୁରକ୍ଷା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ, ଯୁବକଯୁବତୀ ଏହାର ସୁରକ୍ଷା ପାଇଁ ସଂକଳ୍ପ ନେବା ଆବଶ୍ୟକ  ପରିବେଶ ସୁରକ୍ଷାର ବାର୍ତ୍ତା ଅନ୍ୟକୁ ଦେବା ସହିତ ବୃକ୍ଷ ରୋପଣ, ପଶୁପକ୍ଷୀଙ୍କ ସୁରକ୍ଷା, ଜଳବାୟୁକୁ ପ୍ରଦୂଷଣ ମୁକ୍ତ ରଖିବା ଆଦି ପରିବେଶକୁ ସନ୍ତୁଳିତ ରଖିବା ଭଳି ଛୋଟିଆ ଛୋଟିଆ କାମ କରିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ। ପୁନଶ୍ଚ ପୃଥିବୀର ଆଭିମୂଖ୍ୟ ସମ୍ପର୍କରେ ସେ କହିଥିଲେ ଯେ ଏହି ଅଭିଯାନର ଲକ୍ଷ୍ୟ ଏକ ନୂଆ ପୃଥିବୀ ସୃଷ୍ଟି କରିବା ନୁହେଁ ବରଂ ଆମେ ଯେଉଁ ପୃଥିବୀ ପୃଷ୍ଠରେ ରହୁଛୁ ତାକୁ ପୁନର୍ବାର ସବୁଜିମା, ପ୍ରଦୂଷଣମୁକ୍ତ ଓ ସତେଜ କରି ନିଜେ ବଂଚିବା ଭଳି ପରିସ୍ଥିତି ସୃଷ୍ଟି କରିବା। ବର୍ତ୍ତମାନର ପୃଥିବୀକୁ ଆମର ପୂର୍ବ ପୁରୁଷ ଆମକୁ ଯେଭଳି ଏକ ସବୁଜ ସୁନ୍ଦର ପୃଥିବୀ ଦେଇଛନ୍ତି, ଆମେ ଆମର ପରବର୍ତ୍ତୀ ପିଢ଼ିଙ୍କୁ ସେହିଭଳି ଏକ ସବୁଜ ଓ ସନ୍ତୁଳିତ ପୃଥିବୀ ପ୍ରଦାନ କରିବା ପାଇଁ ଆଜି ଠାରୁ ସଂକଳ୍ପ ନେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଯୋଗ ଦେଇ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଶ୍ରୀ ଶତପଥୀ କହିଲେ ଯେ, ଆମର ଭଗବାନ ଦାରୁ ଦେବତା। ସେ ବୃକ୍ଷର ପ୍ରତୀକ। ଏଣୁ ପ୍ରତ୍ୟେକ ଏନ୍ଏସ୍ଏସର ଛାତ୍ରଛାତ୍ରୀ ଏହି ବୃକ୍ଷର ସୁରକ୍ଷା ଓ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପୂର୍ବତନ ସମ୍ପାଦକ ପର୍ଶୁରାମ ମାର୍ଥା, ପୂର୍ବତନ ଅଧ୍ୟକ୍ଷ ମନୋଜ ସାମନ୍ତରାୟ, ପୂର୍ବତନ ଅଧ୍ୟକ୍ଷ ଜଗମୋହନ ପଟ୍ଟନାୟକ ଯୋଗ ଦେଇ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।

ବୃକ୍ଷରୋପଣ କାର୍ଯ୍ୟକ୍ରମ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ରାୟସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାରମ୍ଭିକ ସୂଚନା ଦେଇ ପ୍ରେରଣା ଗ୍ରୀନ୍ ଆର୍ମିର ମୁଖ୍ୟ ଶ୍ରୀଚନ୍ଦନ କହିଲେ ଯେ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାର ସମଗ୍ର ଦେଶରେ ଅମୃତ ମହୋତ୍ସବ ଭାବେ ପାଳନ କରୁଛନ୍ତି। ପ୍ରେରଣା ଇଂଟରନ୍ୟାସନାଲ୍ ଗ୍ରୀନ୍ ଆର୍ମି ପକ୍ଷରୁ ଏହାକୁ ସହିଦ, ସ୍ୱାଧୀନତା ସଂଗ୍ରାମୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ଭାବେ ପାଳନ କରୁଛି। ଏହାର ସ୍ଲୋଗାନ୍ ହେଲା, ନିଜ ଅଂଚଳରେ ଗଛ ଲାଗଇବା, ପୃଥିବୀକୁ ବିଶ୍ୱତାପନରୁ ରକ୍ଷା କରିବା”। ଏହା ବ୍ୟତୀତ ଏହାର ଦୁଇଟି ଲକ୍ଷ୍ୟ ରହିଛି ଯେଉଁମାନେ ଦେଶକୁ ବ୍ରିଟିଶ ସରକାରଙ୍କ ଠାରୁ ମୁକୁଳାଇବା ପାଇଁ ନିଜର ବଳିଦାନ ଦେଇଥିଲେ ବୃକ୍ଷରୋପଣ ଦ୍ୱାରା ସେମାନଙ୍କ ସ୍ମୃତି ରକ୍ଷା କରିବା ଏବଂ ବିଶ୍ୱତାପନରୁ ପୃଥିବୀ ଓ ପରିବେଶର ସୁରକ୍ଷା କରିବା।

Sambad

ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ସମଗ୍ର ଓଡ଼ିଶାର ପ୍ରତ୍ୟେକ ଅଂଚଳରେ ବର୍ଷ ବ୍ୟାପୀ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିବ। ଶେଷରେ କେଉଁ ଅଂଚଳରେ କେଉଁ ଅନୁଷ୍ଠାନ ଦ୍ୱାରା କେଉଁ କେଉଁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ କେତେ ବୃକ୍ଷରୋପଣ କରାଗଲା ସେନେଇ ଏକ ସ୍ମରଣିକା ପ୍ରକାଶ ପାଇବ। ଏହି ଅବସରରେ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ବର୍ଷେ ବ୍ୟାପୀ ହେବାକୁ ଥିବା ‘ଗ୍ରୀନ୍ ଫିଷ୍ଟ୍’  କାର୍ଯ୍ୟକ୍ରମର ଲୋଗୋ ଲୋକାର୍ପିତ ହୋଇଥିଲା। ସଭା ପୂର୍ବରୁ ମହାବିଦ୍ୟାଳୟ ପରିସରରେ ଏନ୍ଏସ୍ଏସର ଛାତ୍ରଛାତ୍ରୀ, କଲେଜର ଅଧ୍ୟାପକ-ଅଧ୍ୟାପିକା ଓ ଅତିଥିମାନେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ବୃକ୍ଷରୋପଣ କରିଥିଲେ।

ମୁଖ୍ୟ ଅତିଥି ଓ ଉଦ୍‌ଘାଟକ ଭାବେ ଭାରତ ସରକାରଙ୍କ ନିର୍ବାଚନ ଆୟୋଗର ପୂର୍ବ ପରାମର୍ଶଦାତା ଭଗବାନ ପ୍ରକାଶ ମହାତ୍ମାଗାନ୍ଧୀଙ୍କ ନାମରେ ଏକ ବୃକ୍ଷରୋପଣ କରିଥିଲେ। ସେହିଭଳି ସମ୍ମାନିତ ଅତିଥି ‘ସମ୍ବାଦ’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତଥା ପୁନଶ୍ଚ ପୃଥିବୀର ଆବାହିକା ଶ୍ରୀମତି ପଟ୍ଟନାୟକ ମଦର ଟେରେସାଙ୍କ ନାମରେ, ମୁଖ୍ୟ ବକ୍ତା ଶ୍ରୀ ଶତପଥୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଓ ପ୍ରେରଣା ଗ୍ରୀନ ଆର୍ମିର ମୁଖ୍ୟ ଶ୍ରୀଚନ୍ଦନ ନେତାଜୀ ସୁଭାଷ ବୋଷଙ୍କ ନାମରେ ଏକ ଏକ ଚାରା ରୋପଣ କରିଥିଲେ। ଏହାପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୫୦୦ ଚାରା ରୋପଣ ହୋଇଥିଲା। ସଭା ପରେ ଏନ୍ଏସ୍ଏସର ଛାତ୍ରଛାତ୍ରୀ ମାନେ ଗାଁ ପରିକ୍ରମା କରିବା ସହ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟାପିକା ତଥା ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଅନୂପମା ଚମ୍ପତିରାୟ, ଅନ୍ୟ ଏନ୍ଏସ୍ଏସ୍ ଅଧିକାରୀ ତରୁଣକାନ୍ତି ରାୟ ଓ ମାନସ ଜୟସିଂହ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର