ରାମଚନ୍ଦ୍ରପୁର: ବଣ ପାହାଡ ଘେରା ସବୁଜ ବନାନୀରେ ବସବାସ କରୁଥିବା ଆଦିମ ଅଧିବାସୀ ଆଦିବାସୀଙ୍କ ନୃତ୍ୟର ଚାହିଦା ଏବେ ବଢ଼ିବାରେ ଲାଗିଛି। ବିବାହ ବ୍ରତ, ଉତ୍ସବ ଅନୁଷ୍ଠାନକୁ ଡାକରା ଆସୁଛି। ପୁନେଇ ପରବରେ ଲୋଡ଼ା ପଡ଼ୁଛନ୍ତି ଆଦିବାସୀ ଲୋକ କଳାକାର। ପ୍ରୋତ୍ସହନ ମିଳିଲେ ବିଭିନ୍ନ ଆଦିବାସୀ ନୃତ୍ୟ ବିକଶିତ ହୋଇପାରିନ୍ତା ବୋଲି ଅନେକ ଆଦିବାସୀ ଲୋକ କଳାକାର ମତପୋଷଣ କରିଛନ୍ତି।
ପ୍ରକୃତି କୋଳରେ ବସବାସ କରୁଥିବା ଆଦିବାସୀଙ୍କ ଚାଲିଚଳଣି, ରୀତିନୀତି, ପୁନେଇପରବ ସବୁ ଭିନ୍ନ। ଆଦିବାସୀଙ୍କ ବିଭିନ୍ନ ପର୍ବରେ ଲୋଡ଼ାହୁଏ ବିଶେଷ ବାଦ୍ୟଯନ୍ତ୍ର। ଢ଼ୋଲ,ମାଦଲରେ ମତୁଆଲା ହୁଅନ୍ତୁ ଆଦିବାସୀ। ପୁରୁଷମାନେ ଢୋଲ, ମାଦଲ ବଜାଉଥିବା ବେଳେ ମହିଳାମାନେ ହାତରେ ହାତ ଛନ୍ଦି ପଦପାତ ପକାଇ ନୃତ୍ୟ ପରିବେଷଣ କରିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ ନୁହାମାଳିଆ ଓ ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତ ନାନିକାବାହାଳୀ ଏବଂ କୀର୍ତ୍ତନ ପାଟିଆ ବସ୍ତିରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନଧାରଣ ଶୈଳୀ ନିଆରା। ଏମାନେ ବିନା ତାଲିମରେ ବିଭିନ୍ନ ଉତ୍ସବ ଓ ପର୍ବପର୍ବାଣୀରେ ପାଦକୁ ପାଦ ମିଶାଇ ମାଦଲ ତାଳେତାଳେ ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରିଥାନ୍ତି। ବିବାହ ଉତ୍ସବ, ମାଗେ ପର୍ବ, ମକର ସଂକ୍ରାନ୍ତି, ଡାଳପର୍ବ, ହେର ପର୍ବ, ନୂଆଖାଇ ପ୍ରଭୃତି ପର୍ବରେ ବସ୍ତି ହୋଇଉଠେ ଚଳଚଞ୍ଚଳ। ନୃତ୍ୟଗୀତରେ ମତୁଆଲା ହୁଅନ୍ତି ଏମାନେ। ସବୁଠୁ ବଡ଼ କଥା ହେଲା ମାଗେ ପର୍ବକୁ ଏମାନେ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ଏହି ପର୍ବ ୭ ଦିନ ଧରି ଚାଲିଥାଏ। ଯିଏ ଯେଉଁଠି ବି ଥାଆନ୍ତୁ ନା କାହିଁକି ସମସ୍ତେ ଏହି ପର୍ବରେ ଏକାଠି ହେଇଥାନ୍ତି। ଘର ଲିପାପୋଛା କରିବା ସହ ସମସ୍ତେ ଗୋଟିଏ ରଙ୍ଗର ପୋଷାକ ପିନ୍ଧି ହାତକୁ ହାତରେ ଛନ୍ଦି ପାରମ୍ପରିକ ଗୀତ ଗାଇ ମାଦଲ ତାଳେତାଳେ ନୃତ୍ୟ ପରିବେଷଣ କରିଥାନ୍ତି।
ଏହି ପରମ୍ପରା ପୂର୍ବ ପୁରୁଷରୁ ପ୍ରଚଳିତ ହେଇଆସୁଛି। ଏମାନେ ପାଦକୁ ପାଦ ମିଶାଇ ଝିଅପୁଅ ସବୁ ଏକାଠି ମିଶି ନାଚିଥାନ୍ତି। ଏଠି କିଛି ବାଛ ବିଚାର ନଥାଏ। ଆଦିବାସୀଙ୍କ ଏହି ନୃତ୍ୟ ଧୀରେଧୀରେ ସଭ୍ୟସମାଜକୁ ଆକର୍ଷିତ କଲାଣି। ବିଭିନ୍ନ ବିବାହ ଭୋଜି, ସଭା ସମିତି ଏବଂ ଉତ୍ସବରେ ଆଦିବାସୀ ନୃତ୍ୟଦଳକୁ ଡାକରା ଆସୁଛି। ସେମାନେ ନୃତ୍ୟ ପରିବେଷଣ କରୁଥିବା ଦେଖାଯାଉଛି।
ଏହି ପାରମ୍ପରିକ ଲୋକନୃତ୍ୟକୁ ମାନ୍ୟତା ସହିତ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଲୋକ କଳାକାର ନନ୍ଦକିଶୋର ମୁଣ୍ତା, ପୁତୁକାର ମୁଣ୍ତା, ବଳରାମ ମୁଣ୍ତା, ଦାମୋଦର ମୁଣ୍ତା, ମାଣିକ ମୁଣ୍ତା, ଚାନ୍ଦ ମୁଣ୍ତା, ପାଲ ମୁଣ୍ତା, ସନିତା ମୁଣ୍ତା, ଜିଙ୍ଗୀ ମୁଣ୍ତା, ବେଲ ମୁଣ୍ତା, ଅନିମା ମୁଣ୍ତା, ମିନୀ ମୁଣ୍ତା ପ୍ରଭୃତି ଦାବି କରିଛନ୍ତି।
ସରକାରୀ ସ୍ତରରେ ଏହି କଳାକୁ ପ୍ରୋତ୍ସହନ ମିଳିଲେ ଏହା ସୁଦୂରପ୍ରସାରୀ ହୋଇପାରିବା ସହିତ ଅଧିକ ବିକଶିତ ହୋଇପାରିବ ବୋଲି ସ୍ଥାନୀୟ ସରପଞ୍ଚ ରଶ୍ମିରଂଜନ ଦାସ ଏବଂ ପ୍ରଦୀପକୁମାର ଧୀର ମତ ପୋଷଣ କରିଛନ୍ତି।