ଆଦିବାସୀ ପରିବାରକୁ ମରଣାନ୍ତକ ଆକ୍ରମଣ ଘଟଣା: ଆମପାଣି ଥାନାରେ ମାମଲା ରୁଜୁ

ଘଟଣାସ୍ଥଳରେ ପହଞ୍ଚିଲେ ଉପଜିଲ୍ଲାପାଳ

ଚନ୍ଦାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଏକ ଜଙ୍ଗଲରେ ରହୁଥିବା ଭତାପାଣି ଓ ଡୁମେରପାଣି ଗ୍ରାମର ୪୦ଟି ପରିବାରକୁ ଆମ୍ବପାଣି ଥାନା ଅନ୍ତର୍ଗତ ଗୋତୋମୁଣ୍ଡା ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏପରିକି ଉଭୟ ଗ୍ରାମର ସମସ୍ତ ଘରକୁ ଭାଙ୍ଗି ଦେବା ସହିତ ସୁନାଗହଣା ସବୁ ଲୁଟ୍ କରି ନେଇଛନ୍ତି। ଉଭୟ ଗ୍ରାମରେ ଥିବା ଗୃହପାଳିତ ପଶୁଙ୍କୁ ହତ୍ୟା କରିଥିବା ବେଳେ କୂଅରେ ବିଷ ପକାଇବା ସହିତ ପରିସ୍ରା କରି ଦେଇଥିବା ନେଇ ଗତକାଲି କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନାରେ ଏତଲା ଦିଆଯାଇଥିଲା ।

ଏନେଇ ଆମପାଣି ଥାନା କେସ ନମ୍ବର ୫୬/୨୧ ପ୍ରକାରେ ଆଇପିସିର ଧାରା ୧୪୭/୧୪୮/୩୦୭/୩୫୪/ ୩୭୯/୫୦୬/୩୮୪/୧୪୯ ଏବଂ ଏସସି ଏସଟି ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଭାସ୍କର ରଇତ, ଚନ୍ଦାହାଣ୍ଡି ବିଡିଓ ଧର୍ମରାଜ ମାଝୀ, ତହସିଲଦାର ଜି.ରଶ୍ମିରେଖା, ଅତିରିକ୍ତ ତହସିଲଦାର ନୀଳାମ୍ବର ପୁଜାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଦେଖିବାକୁ ମିଳିଛି । ଏହି ଘଟଣା ପରେ କିଛି ପରିବାର ପଲିଥିନ୍‌ ଟାଙ୍ଗି ଜଙ୍ଗଲ ଭିତରେ ରହୁଥିବା ବେଳେ ଆଉ କିଛି ପରିବାର ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କୁହୁଡ଼ି ପଞ୍ଚାୟତର କୁଆମ୍ବା ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି।

ପ୍ରକାଶ ଥାଉକି ଝରିଗାଁ ବ୍ଲକ ରମାସା ଏବଂ ପାଲିଆ ଗ୍ରାମର ୪୦ଟି ପରିବାର ଦୀର୍ଘ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଆମ୍ବପାଣି ଥାନା ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲର ଭତାପାଣି ଓ ଡୁମେରପାଣି ଗ୍ରାମରେ ରହି ଆସୁଛନ୍ତି। ତେବେ ଏହି ସ୍ଥାନ ଛାଡ଼ି ନିଜ ଅଞ୍ଚଳକୁ ଚାଲି ଯିବାକୁ ଆମ୍ବପାଣି ଥାନା ଅନ୍ତର୍ଗତ ଗୋତୋମୁଣ୍ଡା ଗ୍ରାମର କିଛି ବ୍ୟକ୍ତି ଉଭୟ ଗ୍ରାମବାସୀଙ୍କୁ ବହୁବାର ଚେତାବନୀ ଦେଇ ଆସୁଥିଲେ। ଗତ ୩୦ ତାରିଖରେ ଗୋତୋମୁଣ୍ଡା ଗ୍ରାମର ହେମନ୍ତ ମାଝୀଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ମାରଣାସ୍ତ୍ର ଧରି ଉଭୟ ଗ୍ରାମରେ ପହଞ୍ଚି ସମସ୍ତ ପରିବାରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ସମସ୍ତ ଘରକୁ ଭାଙ୍ଗି ଦେବା ସହିତ ସୁନାଗହଣା, ସାର, ବିହନ ଆଦି ଲୁଟ୍ କରିଥିଲେ। ଏଥିସହ ଗ୍ରାମବାସୀଙ୍କ ଜରୁରୀ କାଗଜପତ୍ର ସବୁ ଚିରି ଫୋପାଡ଼ି ଦେଇଥିଲେ। ଏପରିକି ଗାଁରେ ଥିବା କୂଅରେ ବିଷ ପକାଇ ଦେବା ସହିତ ପରିସ୍ରା ମଧ୍ୟ କରି ଦେଇଥିଲେ। ଗାଁରେ ଥିବା ସମସ୍ତ ଗୃହପାଳିତ ପଶୁଙ୍କୁ ମଧ୍ୟ ହତ୍ୟା କରିଥିଲେ। ତୁରନ୍ତ ଜାଗା ନ ଛାଡ଼ିଲେ ଜୀବନରେ ମାରିଦେବାକୁ ଧମକ ଦେଇ ଗୋତୋମୁଣ୍ଡା ଗ୍ରାମବାସୀ ଚାଲି ଯାଇଥିଲେ। ଅନ୍ୟପଟେ ସର୍ବସ୍ବ ହରାଇବା ପରେ ଉଭୟ ଗ୍ରାମର ୪୦ଟି ପରିବାର ଭୟଭୀତ ତଥା ଚିନ୍ତିତ ଅବସ୍ଥାରେ ଥିବା ଖବର ପାଇ ଗତକାଲି ଚନ୍ଦାହାଣ୍ଡି ବ୍ଲକ ର କଂଗ୍ରେସ ନେତା କ୍ଷେମରାଜ ବାଘ ଓ ହୁମେଶ୍ଵର୍ ହଂସ ଏହି ଗ୍ରାମରେ ପହଞ୍ଚି ସମସ୍ତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରି ଆମପାଣି ଥାନା ପହଞ୍ଚି ଲିଖିତ ଏତଲା ଦେଇଥିଲେ ।

ସମ୍ବନ୍ଧିତ ଖବର