ବୈପାରିଗୁଡା: ଅସମାସ ତରଫରୁ ତାଲିମ ଦେବା ନାଁରେ ସାତଜଣ ଆଦିବାସୀ ଯୁବତୀଙ୍କୁ ନେଇ କଟକ ଠାରେ ଅଟକ ରଖିଥିବା ଅଭିଯୋଗ ଆଣିଲେ ଅଭିଭାବକ। ଏନେଇ ଅଭିଭାବକ ମାନେ କୋରାପୁଟ ଜିଲ୍ଲା ବୈପାରିଗୁଡା ବିଡ଼ିଓଙ୍କ ଉଦ୍ଦେଶ୍ୟରେ ମୁଖ୍ୟ କିରାଣୀଙ୍କୁ ଭେଟି ଅଭିଯୋଗ କରିବା ସହ ଶୀଘ୍ର ସେମାନଙ୍କ ଝିଅଙ୍କୁ ଫେରାଇ ଆଣିବା ପାଇଁ ଦାବି କରିଛନ୍ତି। ଏଥିସହ ଓଏଲ୍ଏମ୍ ଅଧିକାରୀଙ୍କୁ ମଧ୍ୟ ଜଣାଇ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ, ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରାୟୋଜିତ ଆସମାସ ଦ୍ଵାରା ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୈଶଳ ଯୋଜନା ମାଧ୍ୟମରେ ଦକ୍ଷତା ତାଲିମ ଶିବିର ଆୟୋଜନ କରାଯାଇଛି। ବିଭିନ୍ନ ପଞ୍ଚାୟତର ବେକାର ଯୁବକ ଯୁବତୀ ମାନଙ୍କୁ ସେମାନଙ୍କ ଦକ୍ଷତା ଅନୁଯାୟୀ ତାଲିମ ଦେବାର ବ୍ୟବସ୍ଥା ରହିଥିବା ସଂସ୍ଥା ତରଫରୁ ପ୍ରକାଶ। ଏହି ପରିପ୍ରେକ୍ଷୀରେ ଗତ ଜାନୁଆରି ମାସରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦିକୁଣ୍ଡ ପଞ୍ଚାୟତର ଗୟଳକୁଣ୍ଡ ଗ୍ରାମରେ ସାତଜଣ ଆଦିବାସୀ ଯୁବତୀଙ୍କୁ ଏହି ସଂସ୍ଥା ତାଲିମ ଦେବାର ପ୍ରତିଶ୍ରୁତି ଦେଇ କଟକ ନେଇ ଯାଇଥିଲେ।
ତେବେ ପ୍ରଥମେ ସେମାନଙ୍କୁ ବୈପାରିଗୁଡା ଠାରେ ତାଲିମ ଦିଆଯିବ ବୋଲି କୁହାଯାଇଥିଲା। ସେମାନେ ବୈପାରିଗୁଡା ପହଞ୍ଚିବା ପରେ ଜୟପୁର ଠାରେ ପହଞ୍ଚିବା ପରେ କୋରାପୁଟ ଠାରେ ତାଲିମ ଦିଆଯିବ କହି କଟକ ନିଆଯାଇଥିଲା। କିନ୍ତୁ ସେମାନଙ୍କ ଝିଅଙ୍କୁ କଟକ ନିଆ ଯାଉଥିବା ନେଇ ଅଭିଭାବକଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ମାସାଧିକ କାଳ ଝିଅ ମାନଙ୍କୁ କଟକରେ ଗୋଟିଏ ଜାଗାରେ ରଖାଯାଇଥିବା ବେଳେ ସେମାନଙ୍କ ପାଇଁ ତାଲାମର କୌଣସି ବ୍ୟବସ୍ଥା କରାଯାଇନଥିବା ନେଇ ଝିଅ ମାନେ ନିଜ ନିଜ ଅଭିଭାବକ ମାନଙ୍କୁ ଫୋନ୍ ଯୋଗେ ଜଣାଇଥିଲେ।
ସେଠାରେ ସେମାନଙ୍କୁ କେବଳ ଦୁଇବେଳା ଦୁଇ ମୁଠା ଖାଇବାକୁ ଦିଆଯାଉଛି କିନ୍ତୁ ତେଲ, ସାବୁନ ଭଳି କୌଣସି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦିଆଯାଉନଥିବା ଫୋନ ଯୋଗେ ଝିଅ ମାନେ ନିଜ ନିଜ ପରିବାରକୁ ଜଣାଇଛନ୍ତି। ଏପରିକି ସେମାନଙ୍କୁ ବାହାରକୁ ଛଡ଼ା ଯାଉନଥିବା ସହ ଏକପ୍ରକାର ଗୃହବନ୍ଦୀ ଅବସ୍ଥାରେ ରଖାଯାଇଥିବା ସେମାନେ କାନ୍ଦି କାନ୍ଦି ଜଣାଇଥିଲେ। ଯଦି ପରିବାର ଲୋକେ ସେମାନଙ୍କୁ ଫେରାଇ ନ ନିଅନ୍ତି, ତେବେ କୋଠା ଉପରୁ ଡେଇଁ ଆତ୍ମହତ୍ୟା କରିବୁ ବୋଲି ମଧ୍ୟ କହିଥିବା ପ୍ରକାଶ। ତେବେ ଝିଅ ମାନଙ୍କୁ ଫେରାଇ ଆଣିବା ପାଇଁ ଗତ ବୁଧବାର ଦିନ ଦୁଇଜଣ ଅଭିଭାବକ କଟକ ଯାଇଥିଲେ।
ତେବେ ସେଠାକାର ଦାୟିତ୍ୱରେ ରହିଥିବା ଅଧିକାରୀ ଅଭିଭାବକଙ୍କୁ ଝିଅ ମାନଙ୍କ ସହ ସାକ୍ଷାତ କରିବା ପାଇଁ ଅନୁମତି ଦେଇନଥିଲେ। ସେମାନେ ଖାଲି ହାତରେ ଫେରିବା ସମୟରେ ଝିଅ ମାନଙ୍କୁ ଏକ ହଜାର ଟଙ୍କା ଲେଖା ହାତ ଖର୍ଚ୍ଚ ଦେଇଥିଲେ। ଆଜି ସମସ୍ତେ ବୈପାରିଗୁଡା ବିଡ଼ିଓଙ୍କୁ ଦାବି କରିଛନ୍ତି ଯଥା ଶୀଘ୍ର ଝିଅ ମାନଙ୍କୁ ଫେରାଇ ଆଣିବା ପାଇଁ। ଯଦି ବିଡ଼ିଓ ଏସମ୍ପର୍କରେ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ପୁଲିସର ଆଶ୍ରୟ ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣାକୁ ବୁଦ୍ଧିଜୀବୀ ମହଲରେ ନା ପସନ୍ଦ କରାଯିବା ସହ ପ୍ରଶାସନ ଝିଅ ମାନଙ୍କୁ ଫେରାଇ ଆଣିବା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରୁ ବୋଲି ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/WhatsApp-Image-2022-02-08-at-8.13.23-PM.jpeg)