ଆକାଶରେ ଉଡ଼ିବେ ମାଲକାନଗିରିର ଆଦିବାସୀ ଝିଅ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପ୍ରଥମ ଆଦିବାସୀ ଝିଅ ମହିଳା ପାଇଲଟ ଭାବେ ଅନୁପ୍ରିୟା ଲାକ୍ରା ନିଯୁକ୍ତି ପାଇଛନ୍ତି । ଓଡ଼ିଶା ପୁଲିସ୍‌ରେ ହାବିଲଦାର ଭାବେ କାର୍ଯ୍ୟରତ ମାରିନିୟସ ଲାକ୍ରା ଏବଂ ଜାମାନ୍‌ ୟାସମିନ୍‌ ଲାକ୍ରାଙ୍କ ଝିଅ ଅନୁପ୍ରିୟା ମାଲକାନାଗିରି ସଦର ମହକୁମାସ୍ଥିତ ଡିଏନକେ କଲୋନିରେ ବସବାସ କରନ୍ତି। ମାଲକାନାଗିରିରେ ଶିକ୍ଷା ଲାଭ ପରେ ଭୁବନେଶ୍ୱରରେ ଅନୁପ୍ରିୟା ଇଂଜିନିୟରିଂ ପଢୁଥିଲେ।

ପିଲାଦିନୁ ତାଙ୍କ ତାଙ୍କର ସ୍ୱପ୍ନ ଥିଲା ଯେ ସେ ଆକାଶରେ ଉଡ଼ିବେ, ବିମାନ ଚଳାଇବେ। ସେଥିପାଇଁ ସେ ଇଂଜିନିୟରିଂ ପାଠ ଅଧାରୁ ଛାଡ଼ି ଭୁବନେଶ୍ୱର ଗତି ଇନଷ୍ଟିଚ୍ୟୁଟରେ ଅନୁପ୍ରିୟା ତାଲିମ ନେଇଥିଲେ । ପରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ପାଇଲଟ୍‌ ପାଇଁ ପରୀକ୍ଷା ଦେବା ପରେ ସେ ଯୋଗ୍ୟ ବିବେଚିତ ହୋଇଥିଲେ । ଏହା ପରେ ସେ ୨୦୧୨ରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ । ତାଲିମ ପରେ ଏକ ଘରୋଇ କମ୍ପାନିରେ କୋ ପାଇଲଟ୍‌ ଭାବେ ଅନୁପ୍ରିୟା ନିଯୁକ୍ତି ପାଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସେ ଖୁବ୍‌ ଶୀଘ୍ର ସିଙ୍ଗାପୁରରେ ନିଜ କାର୍ଯ୍ୟରେ ଯୋଗଦେଇ ଦେଶ ବିଦେଶକୁ ବୋଇଙ୍ଗ ଉଡ଼଼ାଣ କରିବେ । ସଫଳତାର ଶ୍ରେୟ ସେ ତାଙ୍କ ବାପା ମା’ଙ୍କୁ ଦେଇଛନ୍ତି । ଏହା ସହ ତାଙ୍କର ଦୃଢ ଇଛାଶକ୍ତି ବଳରେ ଏସବୁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର