କୁଚିଣ୍ଡା: ଯୌନ ନିର୍ଯାତନା ମାମଲାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ଅଧ୍ୟାପକ ସଞ୍ଜିତ ନାୟକ ଜେଲ ଯାଇଛନ୍ତି। ତାଙ୍କ ବିରୋଧରେ କୁଚିଣ୍ଡା ଥାନାରେ ଯୌନ ନିର୍ଯାତନା ମାମଲା ରୁଜୁ ହେବା ପରେ ସେ ଅସୁସ୍ଥ ଥିବା ଦର୍ଶାଇ ବୁର୍ଲା ଭିମ୍ସାର୍ରେ ଭର୍ତ୍ତି ହୋଇଥିଲେ। ଘଟଣାର ୨୪ ଦିନ ପରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଂଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।
ଅଧ୍ୟାପକ ଶ୍ରୀ ନାୟକ କୁଚିଣ୍ଡା କଲେଜରେ ଅଧ୍ୟାପନା କରୁଥିବା ବେଳେ ଜଣେ ଆଦିବାସୀ ଯୁବତୀଙ୍କୁ ୧୨ ବର୍ଷ ଧରି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।
ଏପରିକି ତାଙ୍କ ବିବାହ ପ୍ରସ୍ତବା ମଧ୍ୟ ଭାଙ୍ଗି ଦେଇଥିବା ପୀଡ଼ିତା କୁଚିଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ପୁଲିସ ଶ୍ରୀ ନାୟକଙ୍କୁ ତାଙ୍କୁ ଅଟକ ରଖି ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ନେଇଥିଲେ। ହୃଦ୍ରୋଗ ସମସ୍ୟା ଥିବା ଦର୍ଶାଇ ସେ ବୁର୍ଲା ଭିମ୍ସାର୍ରେ ଭର୍ତ୍ତି ହୋଇଥିଲେ। ଗିରଫ ଏଡ଼ାଇବା ପାଇଁ ସେଠାରେ ଥିବା ବେଳେ ସେ ଅଗ୍ରିମ ଜାମିନ ପାଇଁ ଆବେଦନ କରିଥିଲେ। କୁଚିଣ୍ଡା ଏଡିଜେ କୋର୍ଟ ଜାମିନ ଆବେଦନ ଖାରଜ କରି ଦେଇଥିବାବେଳେ ମଙ୍ଗଳବାର କୁଚିଣ୍ଡା ପୁଲିସ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୭୬(୨)(ଏନ୍)/୫୦୬ ମୋକଦ୍ଦମା ୩୫୪(ଏ) /୩୫୪(ସି) ୩୫୪(ଡି)/ ୩୭୬(୨)(ଏନ୍)/ ୫୦୭ ଆର୍ଡବ୍ଲ୍ୟୁ୬୭(ଏ) ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି କୋର୍ଟ ଚାଲାଣ ବେଳେ ମଧ୍ୟ ସେ ଅସୁସ୍ଥ ଥିବା ନାଟକ କରୁଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ପୀଡ଼ିତା ଜଣେ ଆଦିବାସୀ ସଂପ୍ରଦାୟର ହୋଇଥିଲେ ମଧ୍ୟ ୩ ଏସ୍ଟି/ଏସ୍ସି ଆକ୍ଟ ଲଗାଯାଇ ନାହିଁ। ତେଣୁ ଅଭିଯୁକ୍ତ ପ୍ରତି ପୁଲିସ କୋହଳ ମନୋଭାବ ପୋଷଣ କରୁଥିବା ଚର୍ଚ୍ଚା ହେଉଛି।