ଫ୍ୟାସନ ଦୁନିଆ ଦେଖିବ ଆଦିବାସୀ ଛାତ୍ରୀଙ୍କ କମାଲ

ହେୟାର୍ ଡିଜାଇନିଂ, ସ୍ପାରେ କ୍ୟାରିୟର ଗଢ଼ିବେ ମାଳଭୂମିର ବଣମଲ୍ଲୀ

ରାୟଗଡ଼ା: ଫ୍ୟାସନ ଦୁନିଆ ଦେଖିବ ଆଦିବାସୀ ଛାତ୍ରୀଙ୍କ କମାଲ। ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ୍, ବେଙ୍ଗାଲୁରୁ ଭଳି ସ୍ମାର୍ଟ ସିଟିରେ ହେୟାର୍ ଡିଜାଇନିଂ, ବିୟୁଟି ୱେଲନେସ୍ ସ୍ପା କ୍ଷେତ୍ରରେ ପାରଦର୍ଶିତା ଦେଖାଇବେ ମାଳଭୂମିର ବଣମଲ୍ଲୀ। ରାୟଗଡ଼ା ଜିଲ୍ଲାର ୬ ଛାତ୍ରୀ ଫ୍ୟାସନ୍ ଦୁନିଆରେ କ୍ୟାରିୟର କରିବାକୁ ମନୋନୀତ ହୋଇ ଭୁବନେଶ୍ବରସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ରରେ ଯୋଗ ଦେଇଛନ୍ତି। ଗତ ସୋମବାରରୁ ସମସ୍ତଙ୍କ ତାଲିମ୍ ଆରମ୍ଭ ହୋଇଛି। ଶିକ୍ଷା, ନିଯୁକ୍ତି କ୍ଷେତ୍ରରେ ବହୁ ପଛରେ ପଡିଥିବା ରାୟଗଡ଼ା ଜିଲ୍ଲାର ଉଚ୍ଚ ଶିକ୍ଷିତ ଛାତ୍ରଛାତ୍ରୀଙ୍କୁ ରୋଜଗାରକ୍ଷମ କରିବାକୁ ସରକାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଦ୍ବାରା ଧନ୍ଧାମୂଳକ ତାଲିମ ପ୍ରଦାନ କରି ଆସୁଛନ୍ତି।

ପୂର୍ବରୁ ସିଲେଇ, ଡିପ୍ଲୋମା, ଇଞ୍ଜିନିୟରିଂ ସହ ବିଭିନ୍ନ ଧନ୍ଧାମୂଳକ ତାଲିମ ଦିଆଯାଉଥିବା ବେଳେ ଏବେ ଫ୍ୟାସନ୍ ଡିଜାଇନିଂ କ୍ଷେତ୍ରକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ସରକାର। ସିଙ୍ଗାପୁର ଆଇଟିଇଏସ୍-ଏସିଆନ୍ ଡେଭଲପମେଣ୍ଟ୍ ବ୍ୟାଙ୍କ ଫଣ୍ଡିଂ-ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଚଳିତବର୍ଷରୁ ଆରମ୍ଭ ହୋଇଥିବା ସ୍କୁଲ୍ ଅଫ୍ ସର୍ଭିସେସ୍ ଟ୍ରେଡରେ ରାୟଗଡ଼ା ଜିଲ୍ଲାର ୬ ଆଦିବାସୀ ଛାତ୍ରୀ ସାମିଲ୍ ହୋଇଛନ୍ତି। ଯୁକ୍ତଦୁଇ ପାସ ପରେ ନିଯୁକ୍ତି ଅପେକ୍ଷାରେ ଥିବା କୋଲନରା ବ୍ଲକର ଅଞ୍ଜଳି ଖଣ୍ଡାଗିରି, ଜ୍ୟୋତ୍ସ୍ନାରାଣୀ ହିମିରିକା, କାଶୀପୁର ବ୍ଲକର ବବିତା ମାଝି, ଭଞ୍ଜନି ହୁଇକା, ତୁରୁକି ବିଡିକା, ରାୟଗଡ଼ା ବ୍ଲକର ବନିତା ପାଲକା ଫ୍ୟାଶନ୍ ଦୁନିଆରେ କ୍ୟାରିଅର୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଜିଲ୍ଲା ପ୍ରଶାସନର ସହାୟତାରେ ୬ ଛାତ୍ରୀଙ୍କୁ ଏହି ପ୍ରୋତ୍ସାହନ ମିଳିଛି। ୧ ବର୍ଷ ଧରି ଛାତ୍ରୀମାନେ ହେୟାର ଫ୍ୟାଶନ ଡିଜାଇନିଂ ଏବଂ ବିୟୁଟି ୱେଲ‌ନେସ୍ ସ୍ପା କ୍ଷେତ୍ରରେ ତାଲିମ୍ ନେବେ। ପ୍ରବେଶିକା ଫି’ ଭାବେ ଛାତ୍ରୀମାନେ କେବଳ ୫ ହଜାର ଟଙ୍କା ଡିପୋଜିଟ୍ କରିବେ। ବାକି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଜାତୀୟ, ଅନ୍ତର୍ଜାତୀୟସ୍ତରର ଫ୍ୟାଶନ ଡିଜାଇନରଙ୍କୁ ତାଲିମ ଦାୟିତ୍ବ ଦିଆଯାଇଛି। ଯାହା ଫ୍ୟାଶନ୍ ଡିଜାଇନିଂ କ୍ଷେତ୍ରରେ ଆଦିବାସୀ ଛାତ୍ରୀଙ୍କୁ ଅଧିକ ଦକ୍ଷ କରିବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ବମଶି ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାର କୌଣସି ଆଦିବାସୀ ଛାତ୍ରୀ ଫ୍ୟାସନ୍ ଡିଜାଇନିଂ କ୍ଷେତ୍ରରେ କ୍ୟାରିଅର୍ ଆରମ୍ଭ କରିନଥିଲେ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର ଆଦିବାସୀ ଛାତ୍ରୀ ଇଚ୍ଛା ପ୍ରକାଶ କରି ଆଗକୁ ବଢ଼ିବା ଅନ୍ୟ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିବ।

ସମ୍ବନ୍ଧିତ ଖବର