ବିତି ଚାଲିଛି ବର୍ଷ ପରେ ବର୍ଷ: କାର୍ଯ୍ୟକାରୀ ହୋଇପାରୁନି ଆଦିବାସୀ ହଷ୍ଟେଲ

ଲେଫ୍ରିପଡ଼ା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ କଲ୍ୟାଣକାରୀ ଯୋଜନା ସତ୍ତ୍ୱେ ସେସବୁର ସଫଳ ରୂପାୟନ ହୋଇ ପାରୁ ନ ଥିବା ଯୋଗୁ  ଜିଲ୍ଲାରେ ଆଦିବାସୀମାନେ ସମାଜର ମୁଖ୍ୟସ୍ରୋତରୁ ଅନେକ ଦୂରରେ ରହିଯାଉଥିବା ଦେଖିବାକୁ ମିଳୁଛି। ସରକାର ଆଦିବାସୀଙ୍କ ଶିକ୍ଷାର ବିକାଶ ନିମିତ୍ତ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ ସୁଦ୍ଧା ସ୍ଥାନୀୟ ଅଧିକାରୀମାନଙ୍କ ଦୂରଦୃଷ୍ଟିର ଅଭାବ ତଥା ଖାମଖିଆଲି ମନୋଭାବ ଯୋଗୁ ଏହାର ସଫଳ ରୂପାୟନ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଦେଖାଯାଉଛି।

ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ରହିଥିବା ଆଦିବାସୀ ଆବାସିକ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାରେ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଫଳ ହୋଇଥିବାବେଳେ ଅତି ଖାମଖିଆଲି ଭାବେ ଅଦରକାରୀ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସରକାରୀ ଅନୁଦାନର ଦୁରୁପଯୋଗ କରାଯାଉଛି। ବାସ୍ତବ ବିକାଶ ପାଇଁ ଯେଉଁ ପ୍ରକଳ୍ପ ଆବଶ୍ୟକତା ରହିଛି, ସେ ଦିଗରେ ଏହି ସଂସ୍ଥା ଆଦୌ ଗୁରୁତ୍ୱ ନ ଦେଉ ନ ଥିବା ଦେଖିବାକୁ ମିଳିଛି। ଏହାର ଏକ ନଗ୍ନ ଉଦାହରଣ ହେଉଛି ଲେଫ୍ରିପଡ଼ା ବ୍ଲକ୍ ଅନ୍ତର୍ଗତ ରାଏଡିହି ପଞ୍ଚାୟତର ବିଜାଡିହିର ୧୦୦ ଶଯ୍ୟାବିଶିଷ୍ଟ ଆଦିବାସୀ ହଷ୍ଟେଲ। ବିଜାଡିହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୯୦ ଲକ୍ଷ ଟଙ୍କାରେଏହି ଛାତ୍ରାବାସ ନିର୍ମାଣ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟରେ ପଢୁଥିବା ୭୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୩୪ ଜଣ ଆଦିବାସୀ ଛାତ୍ର ରହିଥିବାବେଳେ ଏଠାରେ ଏକ ୧୦୦ ଶଯ୍ୟାବିଶିଷ୍ଟ ଛାତ୍ରାବାସ ନିର୍ମାଣ ହୋଇଛି। ଏହି କୋଠା ନିର୍ମାଣ ହେବାର ୩ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ବି ପିଲା ଅଭାବରୁ ଏହା କାର୍ଯ୍ୟକାରୀ ହୋଇ ନ ପାରିବା ଏବଂ ଏହାର ପରିସର ଘାସବୁଦାରେ ପୂର୍ଣ୍ଣହୋଇ ନଷ୍ଟ ହେବା ଆରମ୍ଭ କଲାଣି। ଅପରପକ୍ଷେ ଏହି ଛାତ୍ରାବାସର ୧ରୁ ୨ କି.ମି ମଧ୍ୟରେ ୨ଟି ଆଦିବାସୀ ଆବାସିକ ବିଦ୍ୟାଳୟ ଏବଂ ୪ଟି ଛାତ୍ରୀନିବାସ ରହିଛି। ନିକଟସ୍ଥ ଧରୁଆଡିହି ସେବାଶ୍ରମ ବିଦ୍ୟାଳୟରେ ଛାତ୍ରଙ୍କ ପାଇଁ ଆବଶ୍ୟକ ଛାତ୍ରାବାସ ନ ଥିବାରୁ ପିଲାମାନେ ଅତି ଦୟନୀୟ ଅବସ୍ଥାରେ ଶ୍ରେଣୀଗୃହରେ ରହୁଛନ୍ତି। ଏଠାରେ ପିଲାଙ୍କ ପାଇଁ ଛାତ୍ରାବାସ ନିର୍ମାଣ ସକାଶେ ବାରମ୍ବାର ଦାବି ହେବା ସତ୍ତ୍ୱେ  ଆଇଟିଡିଏ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି।

ବିଭାଗୀୟ ଯନ୍ତ୍ରୀ ଏବଂ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁ ବିଜାଡିହିରେ ନିର୍ମିତ ଛାତ୍ରାବାସ ତିନିବର୍ଷ ହେବ କାର୍ଯ୍ୟକାରୀ ହୋଇ ନ ପାରି ଖତ ଖାଇବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ, ସର୍ଗିପାଲି ହାଇସ୍କୁଲ ଓ ଦର୍ଲିପାଲି ହାଇସ୍କୁଲ ବହୁ ପୁରାତନ ହାଇସ୍କୁଲ ଏବଂ ସେଠାରେ ରହିଥିବା ପୁରୁଣା ଛାତ୍ରବାସଗୁଡ଼ିକ ଭାଙ୍ଗିରୁଜି ନଷ୍ଟ ହେବା ପରେ ସେହି ହାଇସ୍କୁଲ ଗୁଡ଼ିକରେ ଏବେ ଛାତ୍ରାବାସ ନିର୍ମାଣର ଆବଶ୍ୟକତା ରହିଛି। ସେହିଭଳି ସର୍ଗିପାଲି, ଦର୍ଲିପାଲି ଓ ଲେଫ୍ରିପଡ଼ା ମହାବିଦ୍ୟାଳୟରେ ମଧ୍ୟ ଶହଶହ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ସେଠାରେ ହଷ୍ଟେଲର ଆବଶ୍ୟକତା ରହିଛି। କିନ୍ତୁ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ନ ଦେଇ ଅନାବଶ୍ୟକ ସ୍ଥାନରେ ଛାତ୍ରବାସ ନିର୍ମାଣ କରିଚାଲିଛି ଏବଂ ଆଦିବାସୀଙ୍କ ବିକାଶ ପାଇଁ ଉଦ୍ଦିଷ୍ଟ ସରକାରୀ ଅନୁଦାନର ସଠିକ୍ ବିନିଯୋଗ ହୋଇ ପାରୁ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର