‘ଖଲିପତ୍ର’ରେ ଜୀବିକା: ୨୭ଶହରୁ ଅଧିକ ଆଦିବାସୀ ମହିଳାଙ୍କୁ ମିଳିଲା ରୋଜଗାର
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀଙ୍କ ମହିଳାଙ୍କ ଏବେ ଜୀବିକା ପାଲଟିଛି ‘ଖଲିପତ୍ର’। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ପ୍ରୋତ୍ସାହନ ଯୋଗାଇ ବନ ଧନ ବିକାଶ କାର୍ଯ୍ୟକ୍ରମ (ଭିଡିଭିକେ) ମାଧ୍ୟମରେ ପ୍ରାୟ ୨୭ ଶହରୁ ଅଧିକ ମହିଳା ‘ଖଲିପତ୍ର’ ପ୍ରସ୍ତୁତିକୁ ଜୀବିକା କରି ରୋଜଗାର ପାଇଛନ୍ତି। ସେମାନଙ୍କ ସ୍ବାବଲମ୍ବନଶୀଳତା ଅନ୍ୟମାନଙ୍କୁ ପାଇଁ ପ୍ରେରଣା ଯୋଗାଇବ ବୋଲି ଭିଡିଭିକେର ସଦସ୍ୟମାନେ ପ୍ରକାଶ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୁନ୍ଦରଗଡର ଆଦିବାସୀ ମହିଳାମାନେ ସାଧାରଣତଃ ଜଙ୍ଗଲ ଉପରେ ନିର୍ଭରଶୀଳ। ଜଙ୍ଗଲରୁ ସଂଗୃହୀତ ସାମଗ୍ରୀକୁ ବିକ୍ରିବଟା କରି ସେମାନେ ନିଜ ଜୀବିକା ସ୍ଥିର କରୁଥିଲେ। ସୁନ୍ଦରଗଡର ଜଙ୍ଗଲି ପରିବେଶ ଶାଳ, ଶିଆଳ ପତ୍ର ପାଇଁ ଅନୁକୂଳ ଥିବାରୁ ଆଦିବାସୀ ମହିଳାମାନେ ସେହି ପତ୍ର ଅଧିକ ସଂଗ୍ରହ କରନ୍ତି। ପୂର୍ବରୁ ସେମାନେ ଜଙ୍ଗଲରୁ ସଂଗ୍ରହ କରୁଥିବା ଶାଳ ଓ ଶିଆଳି ପତ୍ରକୁ ନେଇ ଘରେ ଖଡିକାରେ ଖଲି ସିଲାଇ କରି ବଜାରରେ ବିକ୍ରି କରି ଦୁଇ ପଇସା ପାଉଥିଲେ। ତେବେ ସେମାନଙ୍କୁ ଅଧିକ ରୋଜଗାରର ବାଟ ଦେଖାଇଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)। ଆଧୁନିକ ମେସିନ ସାହାଯ୍ୟରେ ମହିଳା ମାନେ ଶାଳ ଓ ଶିଆଳି ପତ୍ରରୁ ତିଆରି କରୁଥିବା ପରିବେଶ ଅନୁକୂଳ ଖଲିପତ୍ର ଏବେ ତିଆରି କରୁଛନ୍ତି।
ଏହାର ଚାହିଦା ଏବେ ବଜାରରେ ଭଲ ରହିଛି। ଫଳରେ ସୁନ୍ଦରଗଡ଼ର ୨୭ଶହରୁ ଅଧିକ ମହିଳା ଆଜି ଏହି ‘ଖଲିପତ୍ର’ ପ୍ରସ୍ତୁତିରେ ନିୟୋଜିତ ହୋଇ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ବନ ଧନ ବିକାଶ କାର୍ଯ୍ୟକ୍ରମ (ଭିଡିଭିକେ) ଅଧୀନରେ ଏହି ଖଲିପତ୍ର ଓ ଠୋଲା ପ୍ରସ୍ତୁତ କରାଯାଉଛି। ଆଗରୁ ଯେଉଁ ଖଲିପତ୍ର ତିଆରି କରୁଥିଲେ ସେମାନଙ୍କୁ ପରିଶ୍ରମ ଅନୁସାରେ ଉଚିତ ପାରିଶ୍ରମିକ ମିଳୁ ନଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ବନ ଧନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏସଏଚଜି ମହିଳା ମାନଙ୍କୁ ସାମିଲ କରାଯାଇ ଖଲିପତ୍ର ତିଆରି ପାଇଁ ଆଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି। ଏହାର ବିକ୍ରିବଟା ପାଇଁ ବଜାର ସୁବିଧା ମଧ୍ୟ କରାଯାଉଛି। ଆଗାମୀ ଦିନରେ ଏହାର କାର୍ଯ୍ୟ ପରିସରକୁ ବ୍ୟାପକ କରାଯାଇ କ୍ଷୁଦ୍ର ଶିଳ୍ପରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି’ ବୋଲି କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ। ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୮ଟି ଭିଡିଭିକେ ୟୁନିଟ ରହିଛି। ସେଥିମଧ୍ୟରୁ ବାଲିଶଙ୍କରା, ଟାଙ୍ଗରପାଲି, ସବଡେଗା, ଲେଫ୍ରିପଡ଼ା ଏବଂ ହେମଗିର ବ୍ଳକରେ ଥିବା ୯ଟି ଭିଡିଭିକେ ୟୁନିଟର ମହିଳା ମାନେ ଏହି ଖଲିପତ୍ର ତିଆରି କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଷ୍ଟିଚିଂ ଓ ପ୍ରେସ୍ ମେସିନ ସହିତ ଓଜନ ମେସିନ ଆଦି ଯୋଗାଇ ଦିଆଯାଇଛି। ଏହାର ପରିଚାଳନା ପାଇଁ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ମହିଳା ମାନଙ୍କୁ ତାଲିମ ମଧ୍ୟ ଦିଆଯାଉଛି। ‘‘ଆମ ଭିଡିଭିକେ ୟୁନିଟରେ ୩ଶହ ଜଣ ସଦସ୍ୟା ଅଛନ୍ତି। ଆମେ ମିଳିମିଶି ଜଙ୍ଗଲରୁ ପତ୍ର ସଂଗ୍ରହ କରିବା ସହିତ ମେସିନରେ ଖଲିପତ୍ର ତିଆରି କରିବା ଯାଏଁ ସବୁ କାମ କରୁଛୁ।
ଏହି କାମ ପାଇଁ ଆମକୁ ମେସିନ ମିଳିଛି। ଫଳରେ ସୁବିଧାରେ ଆମେ ଖଲିପତ୍ର ତିଆରି କରି ବଜାରରେ ବିକ୍ରି କରି ପାରୁଛୁ’’, କହନ୍ତି ସବଡେଗା ଭିଡିଭିକେ ୟୁନିଟର ସମ୍ପାଦିକା ସବିତା ମାଝୀ। ‘‘ଆମେ ତିଆରି କରୁଥିବା ଖଲିପତ୍ରର ଭଲ ଚାହିଦା ରହିଛି। ଆମେ ଏହାକୁ ପାଖ ବଜାରରେ ବିକ୍ରି କରିବା ସହିତ ବିଭିନ୍ନ ମେଳା ଓ ମହୋତ୍ସବକୁ ମଧ୍ୟ ଯାଉଛୁ। ଲୋକ ମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି। ଆଗ ଅପେକ୍ଷା ଆମକୁ ଅଧିକ ଲାଭ ମିଳୁଛି’’, କହିଛନ୍ତି ଭିଡିଭିକେ ୟୁନିଟର ଆଉ ଜଣେ ସଦସ୍ୟା ପିଙ୍କି ମେହେର। ଆଗରୁ ଆଦିବାସୀ ମହିଳା ମାନେ ହାତରେ ଖଲିପତ୍ର ତିଆରି କରୁଥିଲେ। କିନ୍ତୁ ଏବେ ମେସିନ ବ୍ୟବହାର କରିବା ଫଳରେ ଖଲିପତ୍ର ପ୍ରସ୍ତୁତି ସୁବିଧାଜନକ ହୋଇ ପାରିଛି। କମ୍ ସମୟରେ ଅଧିକ ଖଲିପତ୍ର ଉତ୍ପାଦନ ହୋଇପାରୁଛି।
ଗୋଟିଏ ଭିଡିଭିକେ ୟୁନିଟରୁ ଏବେ ଦିନକୁ ପ୍ରାୟ ୧୨ଶହ ରୁ ୧୫ଶହ ଖଲିପତ୍ର ବାହାରି ପାରୁଛି। ଭିଡିଭିକେ ୟୁନିଟର ମହିଳାମାନେ ପାଖ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରି ଏହାକୁ ଖରାରେ ଶୁଖାଇ ଷ୍ଟିଚିଂ ପାଇଁ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ଖଡ଼ିକାରେ ଷ୍ଟିଚିଂ କରିବା ପରେ ଏହାକୁ ମେସିନରେ ସିଲେଇ କରାଯାଇଥାଏ। ଷ୍ଟିଚିଂ ହୋଇଥିବା ପତ୍ରକୁ ପ୍ରେସ୍ ମେସିନରେ ପ୍ରେସ୍ କରାଯାଇ ଖଲିପତ୍ର ତିଆରି କରାଯାଇଥାଏ। ଆଦିବାସୀ ଭାଇ ଭଉଣୀ ମାନଙ୍କୁ ସେମାନଙ୍କ ପାରମ୍ପରିକ ଜ୍ଞାନ ଓ ଦକ୍ଷତା ଆଧାରରେ ଜୀବିକାର ବ୍ୟାପକ ସୁଯୋଗ ଦେବା ପାଇଁ ‘ବନ ଧନ ବିକାଶ କାର୍ଯ୍ୟକ୍ରମ’ (ଭିଡିଭିକେ) ଲାଗୁ କରାଯାଇଛି। ବିଶେଷକରି ଆଦିବାସୀ ମହିଳାମାନଙ୍କ ଜୀବିକାକୁ ଅଧିକ ସୁଦୃଢ଼ କରିବା ପାଇଁ ସେମାନଙ୍କୁ ବିଭିନ୍ନ ନୂଆ ନୂଆ କାମରେ ନିୟୋଜିତ କରାଯାଉଛି।