ଝରିଗାଁ: ନବରଙ୍ଗପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଝରିଗାଁ ବ୍ଲକର ପ୍ରାୟ ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରିଥାନ୍ତି। ଏହି ବ୍ଲକର ଆଦିବାସୀ ସଂପ୍ରଦାୟର ଲୋକେ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାର କୃଷିଭିତ୍ତିକ ପର୍ବ ପାଳନ କରିଥାନ୍ତି। ଏଥି ମଧ୍ୟରୁ ‘ଦିଆଲି’ ପର୍ବ ଅନ୍ୟତମ। ଜମିରୁ ଫସଲ ଅମଳ ହେବା ପରେ ଏହି କୃଷିଭିତ୍ତିକ ପର୍ବ ପାଳନ କରାଯାଏ। ବ୍ଳକର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ ଏହି ପର୍ବ ପାଳନ କରାଯାଏ। ଜମିର ଫସଲ ସମ୍ପୂର୍ଣ୍ଣ ଅମଳ ହେବା ପରେ ଗ୍ରାମର ମୁଖିଆ ଏବଂ ଗ୍ରାମବାସୀମାନଙ୍କୁ ନେଇ ଏକ ବୈଠକ ହୋଇଥାଏ। ଏହି ନିଦ୍ଦିଷ୍ଟ ଗ୍ରାମରେ କେବେ ଦିଆଲି ପର୍ବ ପାଳନ ହେବ ସେନେଇ ବୈଠକରେ ଦିନ ଧାର୍ଯ୍ୟ ହୋଇଥାଏ। ପରେ ଚଲାଣ ଦ୍ୱାରା ଏ ସଂପର୍କରେ ଗ୍ରାମବାସୀଙ୍କୁ ସୂଚନା ଦିଆଯାଏ।
ବିଶେଷ କରି ଏହି ପର୍ବ ପ୍ରତିବର୍ଷ ଜମିରୁ ଫସଲ ଅମଳ ହେବା ପରେ ମାର୍ଗଶୀର ମାସ ଦ୍ୱିତୀୟ ସପ୍ତାହଠାରୁ ଆରମ୍ଭ ହୋଇ ପ୍ରାୟ ପୌଷ ମାସ ପର୍ଯ୍ୟନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ ପାଳନ କରାଯାଇଥାଏ। ଦିଆଲି ପର୍ବରେ ଏଠାକାର ଆଦିବାସୀ ମହିଳାମାନେ ଘରର କାନ୍ଥକୁ ବିଭିନ୍ନ ରଙ୍ଗ ଦେଇଥାନ୍ତି। ବିଶେଷ କରି ଘରକୁ ସୁନ୍ଦର କରିବା ପାଇଁ ରଙ୍ଗ ମାଟି ସହ ଧଳା ଓ ହଳଦିଆ ମାଟିର ଚାହିଦା ଅଧିକ ଥାଏ। ବର୍ତ୍ତମାନ ଦିଆଲି ପର୍ବ ପାଳନର ସମୟ ପାଖେଇ ଆସୁଥିବାରୁ ଗ୍ରାମର ମହିଳାମାନେ ବିଭିନ୍ନ ସ୍ଥାନରୁ ରଙ୍ଗ ମାଟି ସଂଗ୍ରହ କରିବା ସହିତ ଘର କାନ୍ଥରେ ଏହି ରଙ୍ଗ ଦେବାରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ଦିଆଲି ପର୍ବ ଦିନ ଜମିରୁ ଅମଳ ହୋଇଥିବା ନୂଆଧାନର ଚାଉଳରେ ପ୍ରଥମେ ଖିରି ତିଆରି କରାଯାଏ।
ସେହିପରି ବିଭିନ୍ନ ରକମର ପିଠା ତିଆରି ହୁଏ। ଉକ୍ତ ଖିରି ଓ ବିଭିନ୍ନ ପିଠାକୁ ପ୍ରଥମେ ଘରର ଇଷ୍ଟ ଦେବାଦେବୀଙ୍କ ନିକଟରେ ଭୋଗ ଲାଗି କରିବା ପରେ ପରିବାର ଲୋକ ଏହାକୁ ପ୍ରସାଦ ଭାବେ ଗ୍ରହଣ କରିଥାନ୍ତି। ସେହିପରି ଖେଚୁଡ଼ି ତିଆରି କରି ସେଥିରେ ବିଭିନ୍ନ ପିଠା ପକାଇ ଗାଈଗୋରୁଙ୍କୁ ଖାଇବା ପାଇଁ ଦିଆଯାଇଥାଏ ଏବଂ ସେଥିରୁ ପରିବାର ଲୋକ ଖାଇଥାନ୍ତି। ଦିଆଳି ପର୍ବ ପାଳନ ଶେଷ ହେବା ପରେ ଗାଈଗୋରୁଙ୍କୁ ଗୁହାଳରେ ନବାନ୍ଧି ମୁକ୍ତ କରି ଦିଆଯାଇଥାଏ।
ଦିଆଲି ପର୍ବ ପୂର୍ବରୁ ପରିବାରର ସମସ୍ତ ଲୋକ ଏକତ୍ରିତ ହୋଇ ଏହି ପର୍ବ ପାଳନ କରାଯାଏ। ଦାଦନ ଖଟିବା ପାଇଁ ଯାଇଥିବା ଶ୍ରମିକମାନଙ୍କୁ ପରିବାର ଲୋକ ସୂଚନା ଦେବା ପରେ ଶ୍ରମିକମାନେ ଦିଆଲି ପର୍ବ ପୂର୍ବରୁ ନିଜ ଗାଁକୁ ଫେରି ଥାଆନ୍ତି। ସେହିପରି ଦିଆଲି ପର୍ବ ଦିନ ନିଜ ସମ୍ପର୍କୀୟମାନଙ୍କୁ ଘରକୁ ନିମନ୍ତ୍ରଣ କରାଯାଇଥାଏ। ସେହିପରି ବ୍ଲକର କିଛି ଗ୍ରାମରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଦେଶିଆ ନାଟକ ଓ ଗ୍ରାମର ଯୁବକଯୁବତୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଦିଆଲି ପର୍ବକୁ ଲୋକେ ଆଡ଼ମ୍ବର ସହକାରେ ପାଳନ କରିଥାନ୍ତି।