ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି: ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିବେ ଆଦିବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳକୁ ସରକାର ନିଜର ସ୍ବତନ୍ତ୍ର ଫୋକସ କରିବା ସହ ବିକାଶ ପାଇଁ କୋଟି କୋଟି ଟଙ୍କା ଅଜାଡି ଦେଇଛନ୍ତି। ଏବେ ସେଠାରେ ଉନ୍ନୟନ ମୂଳକ କାର୍ଯ୍ୟ ଜୋରସୋରରେ ଚାଲିଥିବା ନେଇ ସଫେଇ ଦେଉଛନ୍ତି। କିନ୍ତୁ ବାସ୍ତବରେ ସ୍ଥିତି ଅଲଗା ରହିଥିବା ଦେଖିବାକୁ ମିଳିଛି। ଆଜି ସ୍ବାଭିମାନ ଅଞ୍ଚଳର ଯଡାମ୍ବ ପଞ୍ଚାୟତର ହନ୍ତାଳଗୁଡା ଠାରେ ଆଖପାଖ ପଞ୍ଚାୟତର ଶତାଧିକ ଆଦିବାସୀ ଏକତ୍ର ହୋଇ ନିଜର ମୌଳିକ ଦାବିଗୁଡିକ ପୂରଣ ନେଇ ସରକାରଙ୍କୁ ଘେରିବା ଯୋଜନା କରିଛନ୍ତି। ଆଜି ବି ଏଠାରେ ଲୋକେ ଜଙ୍ଗଲ ଜମି ପଟ୍ଟା ପାଇନଥିବା ବେଳେ ନିଜ ଜମି ଓ ଘରଡିହ ପଟ୍ଟା ମଧ୍ୟ ପାଇନାହାଁନ୍ତି।

ଶିକ୍ଷା ବ୍ୟବସ୍ଥା ନକହିବା ଭଲ। ହନ୍ତାଳଗୁଡାରେ ସ୍କୁଲ ନଥିବା ବେଳେ ମାଇଲ ବାଟ ଚାଲି ଚାଲି ପିଲା ପାଠ ପଢିବାକୁ ଯାଉଥିବା ଅଭିଯୋଗ ହୋଇଥିଲା। ତେବେ ପିଲା ଅନ୍ୟତ୍ର ଯାଇ ପାଠ ପଢିବାକୁ ଅମଙ୍ଗ ହେଉଛନ୍ତି। ଏହି ଗ୍ରାମରେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ପିଲା ରହିଥିବା ବୈଠକରେ କୁହାଯାଇଥିଲା। ସେହିପରି ଅଙ୍ଗନବାଡି କେନ୍ଦ୍ର ଗତ ଦୁଇ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ ଅଭିଯୋଗ କରାଯାଇଥିଲା। ଶିକ୍ଷା ବ୍ୟବସ୍ଥା ଅତି ଦୟନୀୟ ହୋଇପଡିଥିବା ଲୋକେ କହିଥିଲେ। ପଟ୍ଟା ନଥିବାରୁ ପିଲାଙ୍କ ଜାତିଗତ ଏବଂ ବାସନ୍ଦ ପ୍ରମାଣ ପତ୍ର ମିଳିପାରୁନଥିବା କୁହାଯାଇଥିଲା।

Sambad

ଏଠାରେ ବେଆଇନ ଭାବେ କ୍ରସର ଚାଲିଥିବା ଲୋକେ ଅଭିଯୋଗ କରିଥିଲେ। କୌଣସି ଗ୍ରାମସଭା କରାନଯାଇ କ୍ରସର କରାୟାଉଛି। ଯାହାଫଳରେ ନିକଟସ୍ଥ ଗ୍ରାମର ଲୋକଙ୍କ ଘରଗୁଡିକ ପଥର ବାଜି ଖଣ୍ଡିଆ ଖାବରା ହେବା ସହ ଜମିରେ ପଥରଗୁଣ୍ଡ ପଡି ଜମି ଖରାପ ହେଉଥିବା ନେଇ ଲୋକେ ଅଭିଯୋଗ କରିଥିଲେ। ଯାହାଫଳରେ ପିରବେଶ ଏଠାରେ ଦୁଷିତ ହୋଇସାରିଲାଣି। ନୂତନ ଭାବେ ନବ ନିର୍ବାଚିତ ସରପଞ୍ଚମାନେ ଏହି ପ୍ରଜାମେଳିରେ ଭାଗ ନେଇଥିଲେ। ନିଜ ନିଜ ଅଞ୍ଚଳର ସମସ୍ୟା ଗୁଡିକକୁ ଉପସ୍ଥାପନା କରିଥିଲେ। ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ତରଫରୁ ମଧ୍ୟ କିଛି କର୍ମକର୍ତ୍ତା ଏହି ବୈଠକରେ ଉପସ୍ଥିତ ରହି ସମସ୍ୟା ଗୁଡିକର କିପରି ସମାଧାନ ହେବ ସନେଇ ଆଲୋଚନା କରିଥିଲେ। ଆଜି ବି ସ୍ବାଭିମାନ ଅଞ୍ଚଳର ଗାଁ ଗୁଡିକରେ ସମସ୍ୟାର ପାହାଡ ଲଦି ହୋଇଯାଇଛି।ତେଣୁ ତୁରନ୍ତ ସରକାର ଏନଇ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର