ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାପସିପୁଟ୍ ଗାଁର ଜଣେ ଶିକ୍ଷିତ ଆଦିବାସୀ ଯୁବକ ଗତକିଛି ମାସ ହେଲା ଗାଁର ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠପଢାଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି। କାପସିପୁଟ ଗାଁର ଘନ ଯାନି ନାମକ ଆଦିବାସୀ ଯୁବକ ପୋଷ୍ଟ ଗ୍ରାଜୁଏଟ୍ କରିଥିବା ବେଳେ ବର୍ତ୍ତମାନ ସ୍ଥିତିରେ କରୋନା ମହାମାରି କାରଣରୁ ସ୍କୁଲ ଖୋଲାଯାଉନଥିବା କାରଣରୁ ସେ ନିଜେ ରହୁଥିବା ଘରେ ପ୍ରାୟ ୩୦ରୁ ଉର୍ଧ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନିଜେ ଗରିବ ଆଦିବାସୀ ଶ୍ରେଣୀର ହୋଇଥିବା ବେଳେ ସେ ଦଶମ ପାସ୍ କରିବା ପରେ ଭୂବନେଶ୍ବର କିସ୍ ଅନିୁଷ୍ଠାନରେ ରହି ପୋଷ୍ଟଗ୍ରାଜୁଏଟ୍ ସମାପ୍ତ କରିଥିଲେ। ବର୍ତ୍ତମାନ ସେ ଚାକିରି ଅନୁସନ୍ଧାନ ରହିଥିବା ବେଳେ କରୋନା ସମୟରେ ଗାଁରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ ଉଚ୍ଚଶିକ୍ଷିତ କରାଇବାର ପ୍ରୟାସ ଜାରି ରଖିଛନ୍ତି। ଏପରି ପ୍ରୟାସ ପାଇଁ ଗାଁରେ ସେ ଉଚ୍ଚପ୍ରଶଂସାର ପାତ୍ର ହୋଇଥିବା ବେଳେ ସବୁଆଡେ ତାଙ୍କୁ ପ୍ରଶଂସା କରାଯାଇଛି।
ସକାଳୁ ୬ଟା ଠାରୁ ୯ଟା ପର୍ଯ୍ୟନ୍ତ ସେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପରେ ସେ କୁଲି କାମ କରିବାକୁ ମଧ୍ୟ ଯିବାକୁ ପଡୁଥିବା ସେ କହିଛନ୍ତି। ଆର୍ଥିକ ସ୍ଥିତି ତାଙ୍କର ଭଲ ନଥିବା ବେଳେ ତାଙ୍କ ପରିବାରକୁ ସରକାରଙ୍କ ଦ୍ବାରା ଆବାସ ଯୋଜନାରେ ସାମିଲ୍ କରାଯାଇ ଯେଉଁ ଘର ଖଣ୍ଡିକ ମିଳିଛି। ସେହି ଗୃହରେ ହିଁ ଛାତ୍ରଛାତ୍ରୀଙ୍କୁ ସେ ପାଠ ପଢାଉଛନ୍ତି। ନିଜ ଟଙ୍କାରେ ସେ ପିଲାମାନଙ୍କ ସକାଶେ ସାନିଟାଇଜର କିଣି ବ୍ୟବହାର କରିବାକୁ ପ୍ରଦାନ କରୁଥିବା ବେଳେ ପାଠ ପଢାଇବା ସମୟରେ ସମଦୂରତା ରଖି ଓ ମାସ୍କ ପିନ୍ଧାଇ ପାଠ ପଢାଉଥିବା ଦେଖିବାକୁ ମିଳିଛି।
ଘର ଛୋଟ ଥିଲେ ମଧ୍ୟ ତାଙ୍କ ମନ କିନ୍ତୁ ଅତି ଉଚ୍ଚକୋଟୀର। ତେଣୁ ସେ ଏପରି ପ୍ରୟାସ ଜାରି ରଖିବା ସହ ଗାଁରେ ଯେମିତି କେହି ଅଶିକ୍ଷିତ ହୋଇ ନରହିବେ ସେଥିପାଇଁ ସେ ଅଣ୍ଟା ଭିଡିଛନ୍ତି। ପିଲାମାନେ ମଧ୍ୟ ବେସ୍ ଖୁସିରେ ସ୍କୁଲ୍ ଭଳି ନିୟମିତ ଆସି ପାଠ ପଢି ଫେରୁଛନ୍ତି। ଘନ ଯାନିଙ୍କ ଏପରି କାର୍ଯ୍ୟ ଯୋଗୁଁ ପିଲାମାନେ ମଧ୍ୟ ପାଠ ପଢା ପ୍ରତି ମନ ଦେଇଛନ୍ତି। ଚାକିରି ପାଇଁ ସେ ଚେଷ୍ଟା ଜାରି ରଖିଥିବା ବେଳେ ଗାଁରେ ଥିବା ପର୍ଯ୍ୟନ୍ତ ଏପରି ପାଠ ପଢାଇବା ଜାରି ରହିଥିବ ବୋଲି ସେ କହିଛନ୍ତି। ବର୍ତମାନ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢୁଥିବା ବେଳେ ଉପାନ୍ତ ଅଂଚଳରେ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷାଦାନ କରିବା ସତରେ ଏକ ମହାନ୍ କାର୍ଯ୍ୟ ବୋଲି ଚର୍ଚ୍ଚା ହେଉଛି ।