ପଂଚାୟତ ନିର୍ବାଚନରେ ସଂରକ୍ଷଣ ଦାବିରେ ବଲାଙ୍ଗୀରରେ ଆଦିବାସୀଙ୍କ ମହାମେଳି, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ

ପୁଲିସ ସହ ଧସ୍ତାଧସ୍ତି, ସହରରେ ଶସସ୍ତ୍ର ଶୋଭାଯାତ୍ରା

ବଲାଙ୍ଗୀର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ଲାଗୁ କରିବା ଦାବିରେ ଗର୍ଜିଛନ୍ତି ହଜାର ହଜାର ଆଦିବାସୀ। ବଲାଙ୍ଗୀରରେ ଆଦିବାସୀମାନେ ମହାମେଳି କରି ଶସସ୍ତ୍ର ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି। ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ନେତୃତ୍ୱରେ ଜିଲ୍ଲାର କୋଣ ଅନୁକୋଣରୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆନ୍ଦୋଳନକୁ ଓହ୍ଲାଇଥିଲେ। ଅପରାହ୍ଣରେ କଚେରି ଛକରେ ବହୁ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସକାଳୁ ପୁଲିସ ଫୋର୍ସ ପୂର୍ବ ସୂଚନା ମୁତାବକ ଜିଲ୍ଲାପାଳ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା। ଦିନ ୧୨ଟା ଯାଏ ଆଦିବାସୀମାନେ ଗାଁ ଗାଁରୁ ବଲାଙ୍ଗୀର ସହରକୁ ଆସିଥିଲେ। ଗାନ୍ଧୀନଗର ପଡ଼ା, ପେଲେସଲାଇନ ଓ ମିସନ ଫିଲ୍‌ଡଠାରେ ଆଦିବାସୀମାନେ ଜମା ହୋଇଥିଲେ। ତାପରେ ସହରର ତିନି ମୁଖ୍ୟ ରାସ୍ତା ସମ୍ବଲପୁର ରାସ୍ତା, ଟିଟିଲାଗଡ଼ ରାସ୍ତା, ପାଟଣାଗଡ଼ ରାସ୍ତାରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ଆଦିବାସୀଙ୍କ ଶୋଭାଯାତ୍ରା ବାହାରିଥିଲା। ପାରମ୍ପରିକ ଡକାବାଦ୍ୟ ଓ ଅସ୍ତ୍ରଶସ୍ତ୍ର ଧରି ନାଚି ନାଚି ଆଦିବାସୀମାନେ ଶୋଭାଯାତ୍ରା କରିଥିଲେ। ହାତରେ ପ୍ଲାକାର୍ଡ ଧରି ଆନ୍ଦୋଳନକାରୀମାନେ ନାରା ଦେଇଥିଲେ। ହଜାର ହଜାର ପୁରୁଷ ଓ ମହିଳା ଶୋଭାଯାତ୍ରାରେ ଆସି କଚେରି ଛକରେ ଜମା ହୋଇଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। କିଛି ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ବିଭିନ୍ନ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପୋଷ୍ଟରକୁ ଚିରିବା ସହ ଜୋତା ଚପଲ ମାଡ଼ କରିଥିଲେ। ତାପରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଅପରାହ୍ଣ ୧୨ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇଥିବା ବେଳେ ପ୍ରାୟ ସାଢ଼େ ୩ଟା ଯାଏ ଆନ୍ଦୋଳନ ଚାଲିଥିଲା।
ସଂଘ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଧାରା ୧୦ ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ ଧାରା ୧୬ ଅନୁସାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତାଙ୍କ ପତ୍ର ସଂ.୧୭୧୩୭ ତା.୦୪.୧୦.୨୦୨୧ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ସକାଶେ ଚିଠା ସଂରକ୍ଷଣ ତାଲିକା ପ୍ରସ୍ତୁତ କରିଥିଲେ। ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ବଲାଙ୍ଗୀର ଜିଲ୍ଲାପାଳ ଗତ ୮.୧୦.୨୦୨୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ।

ଉକ୍ତ ବିଜ୍ଞପ୍ତିରେ ଆଦିବାସୀମାନଙ୍କ ପାଇଁ ବ୍ଲକୱାରି ଆଦିବାସୀ ଜନସଂଖ୍ୟା ଆଧାରରେ ସରପଞ୍ଚ ପଦବି, ସମିତି ସଭ୍ୟ, ୱାର୍ଡ ମେମ୍ବର ପଦବି ସଂରକ୍ଷିତ ଥିଲା। ଜିଲ୍ଲାର ୩୧୭ଟି ଗ୍ରାମ ପଞ୍ଚାୟତରେ ନିର୍ବାଚନ କରିବା ପାଇଁ ୭୨ଟି ସରପଞ୍ଚ ଏବଂ ୭୨ଟି ସମିତି ସଭ୍ୟ ପଦବି ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ କରାଯାଇଥିଲା। ଜିଲ୍ଲାୱାରି ଆଦିବାସୀ ଜନସଂଖ୍ୟା ଅନୁପାତରେ ୧୪ଟି ବ୍ଲକ୍‌ରୁ ୩ଟି ବ୍ଲକ୍‌ ଯଥା ଆଗଲପୁର, ଗୁଡ଼ଭେଲା ଓ ପାଟଣାଗଡ଼ର ବ୍ଲକ୍‌ ଅଧ୍ୟକ୍ଷ ଆସନ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିଲା। ସେହିପରି ସରପଞ୍ଚ ପଦବି ପାଇଁ ସଂରକ୍ଷଣ ଥିଲା। କିନ୍ତୁ ପୁଣି ଜିଲ୍ଲାପାଳ ବଲାଙ୍ଗୀରଙ୍କ ବିଜ୍ଞପ୍ତି ଚିଠି ସଂଖ୍ୟା- ୧୦୨୬ ତା.୨୭.୧୨.୨୦୨୧ ରେ ପ୍ରକାଶିତ ସଂରକ୍ଷଣ ଚିଠା ତାଲିକାରେ ବଲାଙ୍ଗୀର ଜିଲ୍ଲାର ୩୧୭ଟି ପଞ୍ଚାୟତ ମଧ୍ୟରୁ ଗୋଟିଏ ବି ପଞ୍ଚାୟତରେ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ କରାଯାଇ ନାହିଁ। ଭାରତୀୟ ସମ୍ବିଧାନର ଧାରା ୨୪୩ ଡି. ଉପଧାରା ୧ରୁ ୫ରେ ଏସ୍‌ଟି ଏସ୍‌ସି ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାର ଆସନ ସଂରକ୍ଷଣ ନିୟମ ରହିଛି। ସମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ଓଡିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ ଧାରା ୧୦ ଅନୁସାରେ ସରପଞ୍ଚ ପଦବି ଆଦିବାସୀମାନଙ୍କ ପାଇଁ କୋଟା ବ୍ୟବସ୍ଥା ରହି ଆସିଛି। ସେହିପରି ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ ଧାରା ୧୬ ଅନୁସାରେ ବ୍ଲକୱାରି ଆଦିବାସୀ ଜନସଂଖ୍ୟା ଅନୁପାତରେ ସମିତି ସଭ୍ୟ, ବ୍ଲକ୍‌ ଅଧ୍ୟକ୍ଷ ପଦବିଗୁଡ଼ିକ ଆରକ୍ଷଣ ନିୟମ ଅଛି। ହେଲେ ବଲାଙ୍ଗୀର ଜିଲ୍ଲା ସମେତ ଓଡ଼ିଶାର ୨୩ଟି ଜିଲ୍ଲାର ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ନିୟମ ଉଲ୍ଲଂଘନ କରି କୋଟା ଉଚ୍ଛେଦ କରିଦେବା ସଂପୂର୍ଣ୍ଣ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ, ବେଆଇନ ଏବଂ ଆଦିବାସୀମାନଙ୍କ ପ୍ରତି ଓଡ଼ିଶା ସରକାରଙ୍କ ବୈମାତୃକ ମନୋଭାବ ବୋଲି ସଂଘ କହିଛି। ତେଣୁ ଭାରତୀୟ ସମ୍ବିଧାନର ଧାରା ଓ ଗ୍ରାମପଞ୍ଚାୟତ ଆଇନ ଅନୁସାରେ ଆଦିବାସୀ ଜିଲ୍ଲାୱାରି, ବ୍ଲକ୍‌ୱାରି ଜନସଂଖ୍ୟା ହିସାବରେ ପୂର୍ବପରି ସରପଞ୍ଚ, ବ୍ଲକ୍‌ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବିଗୁଡ଼ିକ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ କରି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯାଉ ବୋଲି ସଂଘର ନେତାଗଣ କହିଛନ୍ତି। ନଚେତ ଆଦିବାସୀମାନେ ନିର୍ବାଚନ କରାଇ ଦେବେ ନାହିଁ ବୋଲି ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାପତି ବନଲତା ମାଝୀ, ଉପସଭାପତି ଶ୍ୟାମ ସୁନ୍ଦର ଭୋଇ, ବିଶିକେଶନ ଜାନୀ, ବ୍ଲକ୍‌ ସଭାପତି ବଳଦେବ ଭୋଇ, ଅଷ୍ଟରତ୍ନ ବରିହା, ବସନ୍ତ ମାଝୀ, ବିପ୍ର ବିଶି, ସୁଦାମ ଚରଣ ଭୋଇ, କାହ୍ନୁ ଚରଣ ପ୍ରଧାନ, ଘନଶ୍ୟାମ ପ୍ରଧାନୀ, ସନ୍ତୋଷ ପୁଟା, ଘିମାନନ୍ଦ ଭୋଇ, ଦୁଖୀଶ୍ୟାମ ଭୋଇ, ନିମାଇଁ ଝାଙ୍କର, ଗିରିଧାରୀ ଭୋଇ, ନିତ୍ୟାନନ୍ଦ ମାଝୀ, ଚକ୍ରଧର ଜାନି, ମହାଦେବ ଭୋଇ, ରାଜୀବ କୁଅଁର, ପୁରୁଷୋତ୍ତମ ଧରୁଆ, ନିରଞ୍ଜନ ମାଝୀ, ଈଶ୍ୱର ଭୋଇ, ଟଙ୍କଧର ଧରୁଆ, ଥବିର ପୁଝାରୀ, ପ୍ରଫୁଲ୍ଲ ପ୍ରଧାନୀ, ରଘୁନାଥ ସିଂ ବରିହା, କୁନୁ ମୁଣ୍ଡା, ମନବୋଧ ବରିହା, ବିକ୍ରମ ଭୋଇ, ଟିକେଶ୍ୱର ଧରୁଆ, ସତ୍ୟନାରାୟଣ ଭୋଇ, ଦଶରଥ ଛତ୍ରିଆ, ଚୈତନ୍ୟ ମାଝୀ, ଗୋପାଳ ପଧାନ, ହେମନ୍ତି ସମରଥ, ଈଶ୍ୱର ମିର୍ଦ୍ଧା, ଦେବସିଂହ ମାଝୀ, ଚନ୍ଦ୍ରଶେଖର ବାଗ, ଭୁବନ ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର