କେସିସି ବ୍ୟାଙ୍କ ନିର୍ଦେଶକ ନିର୍ବାଚନ: ରାୟଗଡ଼ାରେ ତ୍ରିପତିଙ୍କ ବାଜିମାତ

ବିଦ୍ରୋହୀଙ୍କୁ ଝଟକା, ଫେଲ ମାରିଲା ରଣନୀତି, ତ୍ରିପତିଙ୍କ ନାମାଙ୍କନ ପ୍ରସ୍ତାବକ ହିଁ ସାଜିଥିଲେ ପ୍ରତିଦ୍ବନ୍ଦୀ

ରାୟଗଡ଼ା: କୋରାପୁଟ ସମବାୟ ବ୍ୟାଙ୍କ (କେସିସି) ନିର୍ଦେଶକ ପଦବି ପାଇଁ ରାୟଗଡ଼ାରେ ଅନୁଷ୍ଠିତ ନିର୍ବାଚନରେ ବିଦ୍ରୋହୀଙ୍କୁ ଲାଗିଛି ଝଟକା। ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ଗୋଟି ଚାଳନାରେ ନିର୍ବାଚନରେ ତାଙ୍କ ସମର୍ଥକ ବାନାଗାଡ଼ି ତ୍ରିପତି ବିଜୟୀ ହୋଇଛନ୍ତି। ତ୍ରିପତି ନିଜ ପ୍ରତିଦ୍ବନ୍ଦୀ ଜି. କୋଟେଶ୍ବରଙ୍କୁ ୩୨ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ତ୍ରିପତିଙ୍କ ବିଜୟୀ ପରେ ସମର୍ଥକ ବାଇକ ରାଲିରେ ସହର ପରିକ୍ରମା କରି ପାଛୋଟି ଆଣିଥିଲେ। ଜିସିଡି ପଡିଆରୁ ବାଇକ ରାଲି ବାହାରି ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ବାସ ଭବନରେ ପହଞ୍ଚିଥିଲେ। ଶ୍ରୀ ରାଓଙ୍କ ଉପସ୍ଥିତିରେ ନବ ନିର୍ବାଚିତ ନିର୍ଦେଶକ ଶ୍ରୀ ତ୍ରିପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

କେସିସି ବ୍ୟାଙ୍କର ୧୫ଟି ନିର୍ଦେଶକ ପଦବି ମଧ୍ୟରୁ ରାୟଗଡ଼ା ଜିଲ୍ଲାର ପାଇଁ ୩ଟି ନିର୍ବାଚନ ମଣ୍ଡଳୀ (ବିଷମକଟକ, ଗୁଣପୁର, ରାୟଗଡ଼ା) ୩ଟି ନିର୍ଦେଶକ ପଦବି ରହିଛି। ସେଥିମଧ୍ୟରୁ ବିଷମକଟକରୁ ଜଗନ୍ନାଥ ନୁଣ୍ଡ୍ରୁକା ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହୋଇଥିବା ବେଳେ ଗୁଣପୁର, ରାୟଗଡ଼ାରେ ପ୍ରତିଦ୍ବନ୍ଦିତା ହୋଇଥିଲା। ଦୁଇଟି ନିର୍ଦେଶକ ପଦବିକୁ ନିଜ ଅକ୍ତିଆରରେ ରଖିବା ପାଇଁ ବିଜେଡି ନେତାଙ୍କ ମଧ୍ୟରେ ଟଣା ଓଟରା ଯୋଗୁ ଗୁଣପୁର, ରାୟଗଡ଼ାରେ ବିଜେଡି-ବିଜେଡି ମଧ୍ୟରେ ଲଢ଼େଇ ହୋଇଥିଲା। ରାୟଗଡ଼ାରେ ତିରୁପତି ବାନାଗାଡ଼ି ଏବଂ ଜି. କୋଟେଶ୍ବରଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ମୋଟ ୭୧ ଭୋଟରୁ ବାନାଗାଡ଼ିଙ୍କ ସପକ୍ଷରେ ସର୍ବାଧିକ ୫୧ ଭୋଟ ଯାଇଥିଲା। ‌କୋଟେଶ୍ବର ୧୯ଟି ଭୋଟ ପାଇଥିବା ବେଳେ ଜଣେ ଭୋଟର ମତଦାନରୁ ବିରତ ରହିଥିଲେ। ରାୟଗଡ଼ାରୁ ନିର୍ବାଚିତ ହୋଇଥିବା ତିରୁପତିଙ୍କୁ ବିଜେଡିର ବହୁ ପ୍ରମୁଖ ନେତା ନିର୍ବାଚନ ପୂର୍ବରୁ ବିରୋଧ କରିଥିଲେ। ଏପରିକି ଦଳର ରାଜ୍ୟସ୍ତରୀୟ ନେତା ତିରୁପତିଙ୍କୁ ସବୁଜ ସଙ୍କେତ ଦେବା ପରେ ମଧ୍ୟ ବିଜେଡିର ଜିଲ୍ଲା ସାଙ୍ଗଠନିକ ଦାୟିତ୍ବ ସମ୍ଭାଳୁ ଥିବା ନେତା ତ୍ରିପତିଙ୍କୁ ବିରୋଧ କରିଥିଲେ।

ସବୁଠାରୁ ରୋଚକ କଥା ହେଲା ତ୍ରିପତିଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଥିବା ଜି. କୋଟେଶ୍ବରଙ୍କୁ ଶେଷ ମୁହୂର୍ତ୍ତରେ ତ୍ରିପତିଙ୍କ ବିରୁଦ୍ଧରେ ପ୍ରାର୍ଥୀ କରାଯାଇଥିଲା। ଯାହା ସଭିଁଙ୍କୁ ଚକିତ କରିଥିଲା। ନାମାଙ୍କନ ପ୍ରତ୍ୟାହାର ପାଇଁ ଦଳୀୟ ନିର୍ଦେଶ ସତ୍ତ୍ବେ କୋଟେଶ୍ବର ନାମାଙ୍କନ ପ୍ରତ୍ୟାହାର ନ କରି ନିର୍ବାଚନ ଲଢ଼ିଥିଲେ। ବିଷମକଟକ ନିର୍ବାଚନ ମଣ୍ଡଳୀର ଦୁଇ ବିଜେଡି ନେତା ପ୍ରଚ୍ଛଦ ପଟରେ ରହି କୋଟେଶ୍ବରଙ୍କୁ ସମର୍ଥନ କରିଥିବା ଚର୍ଚ୍ଚା ହେଉଛି। କିନ୍ତୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ନିର୍ବାଚନରେ ବିଜୟୀ ହୋଇଛନ୍ତି ତ୍ରିପତି।

ବିଜେଡିର ପୁରୁଖା ନେତା ଭାବେ ଜଣାଶୁଣା ତ୍ରିପତି ୧୯୯୨ ମସିହାରୁ ସକ୍ରିୟ ରାଜନୀତିରେ ଅଛନ୍ତି। କେସିସି ବ୍ୟାଙ୍କ ନିର୍ଦେଶକ ଭାବେ ନିର୍ବାଚିତ ହେବା ପୂର୍ବରୁ ତ୍ରିପତି ୧୯୯୪ରେ କୋଲନରା ଲ୍ୟାମ୍ପସ ନିର୍ଦେଶକ, ୨୦୦୨ ରେ କୈଳାସପୁର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ କୋଲନରା ବ୍ଲକ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ଭାଳିଥିଲେ। ୨୦୦୭ ପଞ୍ଚାୟତ ନିର୍ବାଚନରେ କୋଲନରା କ ଜୋନରୁ ଜିଲ୍ଲା ପରିଷଦ ସଦସ୍ୟ ଏବଂ ୨୦୦୮ ରେ କେସିସି ବ୍ୟାଙ୍କ ନିର୍ଦେଶକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ରାୟଗଡ଼ା ଆରଏମସି ନିର୍ଦେଶକ, ଆରସିଏମଏସ୍ ସଭାପତି ତ୍ରିପତି କାର୍ଯ୍ୟ ତୁଲାଇଥିବା ବେଳେ ବର୍ତ୍ତମାନ କୋଲନରା ଲ୍ୟାମ୍ପସ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ଅନୁଗତ ଭାବେ ତ୍ରିପତି ଜଣାଶୁଣା ଥିବାରୁ ଚଳିତ ନିର୍ଦେଶକ ନିର୍ବାଚନରେ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କୁ ବିରୋଧ କରି ଆସୁଥିଲେ। କିନ୍ତୁ ଭାସ୍କରଙ୍କ ଗୋଟି ଚାଳନାରେ ବିରୋଧୀଙ୍କ ରଣନୀତି ଫେଲ ମାରିଛି।

ସମ୍ବନ୍ଧିତ ଖବର