ଗ୍ରିନ୍‌ଡୋଲା ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ:  ଲିଫ୍ଟ ମାଗିଲେ, ହାତଗୋଡ଼ ବାନ୍ଧି ଟ୍ରଲର୍‌ ଚଢ଼େଇ ଦେଲେ

ଝାରସୁଗୁଡ଼ା : ‌ଟ୍ରଲରରେ ଲିଫ୍ଟ ମାଗିଲେ । କିଛି ବାଟ ଗଲାପରେ ନିଛାଟିଆ ସ୍ଥାନ ଦେଖି ପରିଶ୍ରା କରିବା ବାହାନାରେ ଗାଡ଼ି ଅଟକାଇଲେ। ସେଠାରେ ଡ୍ରାଇଭର୍‌କୁ ମାଡ଼ ମାରି ହାତଗୋଡ଼ ବାନ୍ଧି କିଛି ବାଟ ନେଇଗଲେ। ଜଙ୍ଗଲ ମଧ୍ୟରେ ଥିବା ନିକାଞ୍ଚନ ରାସ୍ତାରେ ଟ୍ରକ୍‌ରୁ ଠେଲି ଦେଇ ଚାଳକଙ୍କ ମୁଣ୍ଡ ଉପରେ ଟ୍ରଲର‌ ଚଢ଼ାଇ ଦେଲେ। ଏପରି ଅତି ବିଭତ୍ସ ଭାବେ ଜଣେ ଟ୍ରଲର‌‌ ଚାଳକ ବିହାରର ମୋନୁ ସାହାକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଗ୍ରିନ୍‌ଡୋଲାଠାରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଯୁବକଙ୍କ ଉପରେ ଟ୍ରକ୍‌ ଚଢ଼ାଇ ଦେବା ଘଟଣାର ରହସ୍ୟ ଉନ୍ମୋଚନ କରି ଏପରି କହିଛନ୍ତି ଝାରସୁଗୁଡ଼ା ଏସ୍‌ପି ରାହୁଲ ପିଆର। ଟ୍ରେଲର୍‌ ଚୋରି କରିବାକୁ ଯାଇ ସେମାନେ ଏପରି କାଣ୍ଡ କରିଥିବା ତଦନ୍ତରୁ ଜାଣା‌ପଡ଼ିଛି । ଚୋରି ହୋଇଥିବା ଟ୍ରଲର‌‌କୁ ପୁଲିସ ଉଦ୍ଧାର କରିଛି ।

ପୂରା ଘଟଣା ସଂପର୍କରେ ଏସ୍‌ପି ଶ୍ରୀ ପିଆର୍‌ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି । ୧୭ ତାରିଖ ସକାଳେ ଲଖନପୁର ଥାନା ଗ୍ରିନ୍‌ଡୋଲା ନିକଟରେ ରାସ୍ତା ଉପରେ ହାତଗୋଡ଼ ବନ୍ଧା ହୋଇଥିବା ଓ ମୁଣ୍ଡ ଉପରେ ଟ୍ରକ୍‌ ଚଢ଼ିଯାଇଥିବା ଅବସ୍ଥାରେ ମୃତଦେହ ସଂପର୍କରେ ସୂଚନା ମିଳିଥିଲା। ବଞ୍ଜାରୀ ପଞ୍ଚାୟତର ୱାର୍ଡମେମ୍ବର ଯୁଗେଶ୍ବର ସାଏ ବାବଦରେ ପୁଲିସକୁ ଜଣାଇଥିଲେ। ପୁଲିସ ପାରିପାର୍ଶ୍ବିକ ଅବସ୍ଥା ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରି କେସ୍‌ ନମ୍ବର ୨୩୬/୧୭.୧୨.୨୦ ରେ ତଦନ୍ତ ଆରମ୍ଭ କରିଥିଲା। ସୋମବାର ବେଲପାହାଡ଼ ଥାନା ବଞ୍ଜାରୀ ନାଳ ନିକଟରେ ଏକ ଟ୍ରେଲର୍‌ ଲୁଚାଇ ରଖାଯାଇଥିବା ‌ସୂଚନା ମିଳିଥିଲା। ମିଳିଥିବା ମୃତଦେହ ଏହି ଟ୍ରଲର‌‌ର ଡ୍ରାଇଭର୍‌ ବୋଲି ଜଣାପଡ଼ିଥିଲା । ଲଖନପୁର ଆଇଆଇସି ପବିତ୍ର କିସାନ ଏହି ଘଟଣାର ତଦନ୍ତ କରିଥିଲେ। ଏହି ଘଟଣାରେ ପୁଲିସ ପ୍ରଥମେ ଅଭିଯୁକ୍ତ କଲ୍ଲୁ ମହମ୍ମଦ ଇର୍ସାଦ କାଦିରକୁ ଗିରଫ କରିଥିଲା। କଲ୍ଲୁ କିଛି ମାସ ଆଗରୁ ରାୟଗଡ଼ଠାରୁ କୋଲ୍‌ଡା ମାଇନ୍‌ସ ରାସ୍ତାରେ ବୟକଟପାଲିଠାରେ ଏକ ଟାୟାର ଦୋକାନରେ କାମ କରୁଥିଲା। ସେହି ରାସ୍ତାରେ କୋଇଲା ଗାଡ଼ି ଚଳାଉଥିବା ବିହାର ଅଞ୍ଚଲର କିଛି ଡ୍ରାଇଭରଙ୍କ ସହ ତାର ପରିଚୟ ହୋଇଥିଲା। ଆଗରୁ ଏମାନେ ଟାୟାର ଦୋକାନ ନିକଟକୁ ଆସି ଟ୍ରଲର‌‌ ଚୋରି କରି ତାକୁ ବିକ୍ରି କରି ଟଙ୍କା ରୋଜଗାର କରିବା ପାଇଁ ଯୋଜନା କରିଥିଲେ। ଏହି କାମ ପାଇଁ ଜଣେ ବିହାରୀ ଡ୍ରାଇଭର୍‌ର ଟ୍ରଲର‌‌ ଚୋରି କରିବା ପାଇଁ ସ୍ଥିର କରିଥିଲେ। ଯୋଜନା ମୁତାବକ ମୋନୁ ସାହା ନାମକ ଏକ ବିହାରୀ ଡ୍ରାଇଭର୍‌ ସହ ପରିଚୟ ହୋଇ ତାର ମୋବାଇଲ୍ ନମ୍ବର ସଂଗ୍ରହ କରିଥିଲେ। ୧୬ ରାତି ପ୍ରାୟ ୧୦ଟାରୁ ରୁ ୧୧ଟା ମଧ୍ୟରେ ବୟକଟପାଲିର ଟାୟର ଦୋକାନ ପାଖରେ ସମସ୍ତେ ଏକାଠି ହୋଇଥିଲେ । ମୋନୁ ସାହାକୁ ଫୋନ୍ କରି ଡାକିଥିଲେ ଓ ସେ ଆସିଲା ପରେ ପୂର୍ବ ଯୋଜନା ମୁତାବକ କଲୁ ଓ ତାର ସହଯୋଗୀ ମୋନୁ ସାହର ଟ୍ରେଲର୍‌ (ସିଜି-୧୩-ଏଲଏ-୪୫୫୭)ରେ କିଛି ଦୂର ଯିବାର ବାହାନା କରି ଚଢିଥିଲେ। କିଛି ବାଟ ଯିବା ପରେ ପରିଶ୍ରା କରିବା ବାହାନାରେ ଟ୍ରଲର‌‌ ଅଟକାଇବାକୁ କହିଥିଲେ। ଏହି ସମୟରେ ଟ୍ରଲର‌‌ରେ ଥିବା ଏକ ଲୁହା ରଡ୍‌ରେ ମୋନୁର ମୁଣ୍ଡକୁ ପଛପଟୁ ଆଘାତ ଦେଇଥିଲେ। ଫଳରେ ମୋନୁ ବେହୋସ୍ ହୋଇଯାଇଥିଲା । ଏହାପରେ ତାର ହାତ, ଗୋଡ଼ ଓ ମୁହଁ ବାନ୍ଧି ବସୁନ୍ଧରା ମାଇନ୍‌ସରୁ ହେମଗିର୍ ରାସ୍ତା ଦେଇ ବେଲପାହାଡ଼ ପଟକୁ ଟ୍ରେଲର୍‌ ନେଇ ଆସିଥିଲେ। ଡ୍ରାଇଭର୍ ମୋନୁକୁ ଜୀବିତ ଛାଡ଼ିଦେଲେ ଘଟଣା ସଂପର୍କରେ ସମସ୍ତଙ୍କୁ କହିଦେବ ଓ ସମସ୍ତେ ଧରାପଡିଯିବା ଭୟ ଥିବାରୁ ଏକ ନିଛାଟିଆ ଜାଗାରେ ତା ଉପରେ ଗାଡ଼ି ଚଢ଼େଇ ମାରିଦେବାକୁ ଚିନ୍ତା କରିଥିଲେ। ସେମାନେ କନିକାଠାରୁ ବେଲପାହାଡ଼ ଯିବା ରାସ୍ତାର ମାଣିକେଶ୍ୱରୀ ମନ୍ଦିର ପାଖରେ ମୋନୁକୁ ଗାଡି ଉପରୁ ତଳକୁ ଠେଲି ଦେଇ ତା ମୁଣ୍ଡ ଉପରେ ଟ୍ରଲର‌ ଚଢ଼ାଇ ଦେଇଥିଲେ। ପରେ ‌ସେମାନେ ଟ୍ରଲର‌‌ଟିକୁ ବଞ୍ଜାରୀ ନାଳ ପାଖ ଜଙ୍ଗଲିଆ ସ୍ଥାନରେ ଲୁଚାଇ ଦେଇଥିଲେ। ମଙ୍ଗଳବାର ପୁଲିସ ଅଭିଯୁକ୍ତ କଲ୍ଲୁ ଏମ୍.ଡି ଇର୍ସାଦ କାଦିରକୁ ୩୦୨, ୨୦୧, ୩୯୪, ୧୨୦ ବି ଦଫାରେ କୋର୍ଟ ଚାଲାଣ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଶ୍ରୀ ପିଆର୍‌ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର