କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ପୁତୁଲିପାଣି ନିକଟରେ ଆଜି ଅପରାହ୍‌ଣ ସାଢ଼େ ୩ଟା ବେଳେ ଏକ ଦୁର୍ଘଟଣା ଘଟିଛି। ବ୍ରେକ୍‌ଡାଉନ୍‌ ହୋଇ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ଅନ୍ୟ ଏକ ଟ୍ରକ୍‌ ପିଟି ହେବାରୁ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନେ ହେଲେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟପୁର ରଙ୍ଗାପାଟସାହିର ସଞ୍ଜୁ ନାଏକ (୪୨), ସୁନ୍ଦରୀ ନାଏକ (୪୫), ପ୍ରମିଳା ନାଏକ (୪୦), ପଦ୍ମିନୀ ନାଏକ (୪୩)।

Advertisment

ସେହିପରି ଆହତମାନେ ହେଲେ ସେହି ଗ୍ରାମର ରାଣୀ ନାଏକ (୬୦), ଟିଣୁ ନାଏକ(୨୭) ଓ ଜଗନ ନାଏକ (୧୪)। ଗୁରୁବାର ବାଂଶପାଳ ହାଟରୁ ମହିଳାମାନେ ବ୍ୟବସାୟ ପାଇଁ ଆମ୍ବସଢ଼ା କିଣିଥିଲେ। ପୁତୁଲିପାଣି ନକଟରୁ ସେମାନେ ଏକ ୧୨ଚକିଆ ଟ୍ରକ୍‌ରେ ଚଡ଼ି କେନ୍ଦୁଝର ଅଭିମୁଖେ ଆସୁଥିଲେ। ପୁତୁଲିପାଣି ଛକ ନିକଟରେ ଦୁଇଟି ବଳଦ ହଠାତ୍ ଗାଡ଼ି ଆଗକୁ ଚାଲି ଆସିବାରୁ ବଳଦଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ବ୍ରେକ୍‌ଡାଉନ୍‌ ହୋଇ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ପିଟି ଦେଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।