ଦୁର୍ଘଟଣାରେ ଯୁବକ ମୃତ, ଟ୍ରକ ଓ ଟ୍ରକଚାଳକ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଜି ପୂର୍ବାହ୍ଣ ପ୍ରାୟ ୮ଟା ବେଳେ ଏକ ଟ୍ରକ ଚାପାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣାରେ ଟ୍ରକ୍ ଓ ଟ୍ରକ୍ ଚାଳକଙ୍କୁ ଟାଉନ୍ ଥାନା ପୁଲିସ ଅଟକ ରଖିଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜାତୀୟ ରାଜପଥ ସଂପ୍ରସାରଣ ଓ ଅଣ୍ଡରପାସ୍ ପାଇଁ ରାସ୍ତା ଖୋଳାଯାଇଥିବାରୁ ରାସ୍ତା ସଂକୀର୍ଣ୍ଣ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସକାଳ ପ୍ରାୟ ୮ଟା ବେଳେ ଏକ ୧୦ ଚକିଆ ଟ୍ରକଟି (ଏପି୦୭ଟିସି୭୪୪୯) ବ୍ରହ୍ମପୁର ପଟରୁ ଭୁବନେଶ୍ୱର ଆଡ଼କୁ ଯାଉଥିଲା । ଏହି ସମୟରେ ଜଣେ ଯୁବକ ସଡ଼କ ପାରି ହେବାକୁ ଚେଷ୍ଟା କରିବା ସମୟରେ ଟ୍ରକ୍ଟିର ପଛ ଚକାତଳେ ପଡ଼ିଯାଇଥିଲେ । ଫଳରେ ଅଂଟା ଉପର ଦେଇ ଟ୍ରକ୍ଟି ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏନେଇ ସୂଚନା ପାଇବା ପରେ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଘଟଣା ସମ୍ପର୍କରେ ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହ କହିଛନ୍ତି ଯେ ଏଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ଟ୍ରକ୍ ଚାଳକଙ୍କୁ ଅଟକ ରଖାଯାଇଛି ।

ସମ୍ବନ୍ଧିତ ଖବର