ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଲଙ୍ଗଳପାଖନା ଘାଟିରେ ପୁଣି ଏକ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ଓ ହେଲପର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘାଟରେ କ୍ରମାଗତ ଭାବେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ପ୍ରତିକାର ବ୍ୟବସ୍ଥା କରୁନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ରାୟପୁରରୁ ହାଇଦ୍ରାବାଦ ଏକ ଟ୍ରଲର (କେଏ ୦୧ ଏଡି ୨୧୩୫) ରେ ଲୁହା ବିଜୁଳି ଖମ୍ବ ବୋଝେଇ ହୋଇ ଆଜି ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ତେବେ ଆଜି ସକାଳ ପ୍ରାୟ ୮ଟାରେ ବୈପାରିଗୁଡା ବ୍ଲକର ଲଙ୍ଗଳପାଖନା ଘାଟିରେ ହଠାତ୍ ବ୍ରେକ ଫେଲ୍ ହୋଇଯିବାରୁ ଟ୍ରଲରଟି ଓଲଟି ପଡିଥିଲା।
ଟ୍ରଲରର ହେଡ୍ ସଂପୂର୍ଣ୍ଣ ଭାଙ୍ଗି ଯାଇ ଚେପା ହୋଇଯାଇଥିଲେ ମଧ୍ୟ ଷୌଭାଗ୍ୟବଶତଃ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିଲେ। ଖବର ପାଇ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ସହ ଦୁର୍ଘଟଣାକୁ ନେଇ ବୈପାରିଗୁଡା ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି।