ରାଇରଙ୍ଗପୁର: ଘର ଉପରକୁ ମାଡ଼ିଗଲା ଟ୍ରକ, ବୃଦ୍ଧା ମୃତ । ଏଭଳି ଏକ ଘଟଣା ଘଟିଛି ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଦାଣ୍ଡବୋଷ ଛକ ନିକଟସ୍ଥ ଆନନ୍ଦପୁରରେ । ଭାରସାମ୍ୟ ହରାଇ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକଟି ରାସ୍ତା କଡକୁ ଥିବା ଏକ ଘର ଉପରକୁ ମାଡ଼ି ଯାଇଥିଲା। ଭୋର ୪.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବାବେଳେ ଘର କାନ୍ଥ କମଳା ପାତ୍ର (୫୯)ଙ୍କ ଉପରେ ପଡ଼ିଥିବାବେଳେ ଅନ୍ୟ ୬ ଜଣ ସଦସ୍ୟ ଅଲ୍ପକେ ବର୍ତ୍ତିଯାଇଥିଲେ । ଗୁରୁତର କମଳାଙ୍କୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାର ଲୋକେ ଦୀର୍ଘ ୭ ଘଣ୍ଟା ପର୍ଯ୍ୟନ୍ତ ୨୨୦ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ରାଇରଙ୍ଗପୁର ଏସଡିପିଓ ଗକୁଲା ନନ୍ଦ ସାହୁ, ଟାଉନ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ, ତହସିଲଦାର ବିଶ୍ଵନାଥ ବିଶ୍ଵାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ଥିବାରୁ ଦୁଇ ପଟେ ଯାନବାହାନର ଲମ୍ବା ଲାଇନ ଲାଗିଛି।
ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ଏନେଇ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ସୂଚନାଯୋଗ୍ୟ ଯେ ଗତ ରାତ୍ରିରେ ୨୨୦ ନଂ ଜାତୀୟ ରାଜପଥର ଟାଉନ୍ ଥାନା ଅନ୍ତର୍ଗତ ଭାଲୁବସା ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଓ ଏକ ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଓ ପରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ତିରିଂ ଥାନା ଅନ୍ତର୍ଗତ ଡାଳିମା ନିକଟରେ ଲୁହାପଥର ବୋଝେଇ ଟ୍ରକ ଏକ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଛି। ସେହିପରି ତିରିଂ ଠାରୁ ମାତ୍ର ୫ କି.ମି ଦୂରରେ ଥିବା ପଡୋଶୀ ଝାଡଖଣ୍ଡ ରାଜ୍ୟର ବାଲିଡିହି ନିକଟରେ ମଧ୍ୟ ଜଣେ ବାଟୋଇକୁ ଲୁହାପଥର ବୋଝେଇ ଟ୍ରକ ଧକ୍କା ଦେଇଥିବାର ସୂଚନା ମିଳିଛି। ଗୋଟିଏ ଦିନରେ ୪ଟି ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣା ଘଟାଇଥିବାରୁ ସ୍ପଷ୍ଟ ବାରି ହେଉଛି ଯେ ଟ୍ରକ୍ ଚାଳକମାନେ ବେପରୁଆ ଭାବରେ ଚଳାଉଛନ୍ତି। ଏଥି ପ୍ରତି ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।