ବାଇକକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ; ଜଣେ ମୃତ

ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତା ରୋକ

ମାଲକାନଗିରି/କୁଡୁମୁଲୁଗୁମ୍ମା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକକୁ ବାଲି ବୋଝେଇ ଟ୍ରକ ଧକ୍କା ଦେଇଥିବା ଯୋଗୁଁ ବାଇକ ଆରୋହୀ ଆହତ ହୋଇଥିବା ବେଳେ ବାଇକ ପଛରେ ବସିଥିବା ବ୍ୟକ୍ତି ଜଣକ ଟ୍ରକ ତଳେ ଚାପି ହୋଇ ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନାଯୋଗ୍ୟ, ଏମଭି-୩୬ ଗ୍ରାମର ମିଲନ ବାଗ(୬୦) ଏବଂ ଜଗଦିଶ ହାଲଦାର(୫୦) କୌଣସି କାମ ସାରି ଗୋବିନ୍ଦପାଲିରୁ ନିଜ ଗ୍ରାମ ଏମଭି-୩୭କୁ ମଟର ସାଇକେଲ ଯୋଗେ ଫେରୁଥିଲେ। ଏହି ସମୟରେ ଅପରପାରର୍ଶ୍ବରେ ଆସୁଥିବା ଏକ ବାଲି ବୋଝେଇ ଟ୍ରକ ମଟର ସାଇକେଲକୁ ଧକ୍କା ଦେଇ ଚଳିଯାଇଥିଲା। ଯାହାଫଳରେ ମଟର ସାଇକେଲ ପଛରେ ବସିଥିବା ମିଲନ ବାଗଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡି ଯାଇଥିଲା।

ତେବେ ସ୍ଥାନୀୟ ଲୋକେ ଘଟଣା କ’ଣ ହୋଇଛି ଜାଣିବା ପୂର୍ବରୁ ଟ୍ରକଟି ଦ୍ରୁତ ଗତିରେ ସେଠାରୁ ଚାଲିଯାଇଥିଲା। ବାଲିମେଳା ପୁଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖିଥିବା ବେଳେ ଟ୍ରକକୁ ଜବତ କରିଥିବା ଜଣାପଡିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀ ରାସ୍ତା ରୋକ କରିଥିବା ବେଳେ ଟାୟାର ଜାଳି କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ବାଲିମେଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି। ଖବର ଲେଖାଯିବା ବେଳକୁ ଉତ୍ତେଜନା ଲାଗି ରହିଥିଲା।

ସମ୍ବନ୍ଧିତ ଖବର