ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ବାଉଁଶୁଣି ନିକଟ ବାଘନଦୀ ପୋଲ ଉପରେ ପୋଲ ବାଡାକୁ ଧକ୍କା ଦେଇଛି ଏକ ଟ୍ରକ୍। ଫଳରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ ବରଗଡରୁ କଟକ ଅଭିମୁଖେ ଯାଉଥିବା ଗୋଟିଏ କୁଣ୍ଡା ବୋଝେଇ ଟ୍ରକ (ଓଡି୧୫-୮୦୧୧) ବାଘନଦୀ ପୋଲକୁ ପ୍ରବେଶ କଲା ବେଳେ ବୌଦ୍ଧ ପଟରୁ ତୀବ୍ର ବେଗରେ ଯାଉଥିବା ଗୋଟିଏ ଘରୋଇ ବସ୍ ସହ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଥିଲା। ଦୁର୍ଘଟଣାକୁ ଏଡେଇବା ପାଇଁ ଟ୍ରକ୍ ଡ୍ରାଇଭର ପୋଲ ଉପରେ ବାମପାର୍ଶ୍ଵକୁ କାଟି ଦେଇ ଥିବାରୁ ପୋଲ ବାଡାରେ ଟ୍ରକ୍ ଧକ୍କା ଦେଇ ଅଟକି ରହିଥିଲା। ଫଳରେ ପୋଲ ଉପରେ ଯାନବାହାନ ଚଳାଚଳ ହୋଇ ପାରିନଥିଲା।
ଉଭୟ ପାର୍ଶ୍ଵରେ ଶତାଧିକ ଭାରୀଯାନ ଗୁଡିକ ଅଟକି ରହିଥିଲେ। ଖବର ପାଇ ମନମୁଣ୍ଡା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୋଲ ଉପରେ ଫସି ରହିଥିବା ଟ୍ରକକୁ କ୍ରେନ୍ ସାହାଯ୍ୟରେ ହଟାଇବା ପରେ ସକାଳ ୭ ଘଣ୍ଟା ସମୟରେ ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।