ନୟାଗଡ଼: ସୁରକ୍ଷାକର୍ମୀଙ୍କୁ ଟ୍ରକ୍ ଚାପିଦେଇଛି। ନୟାଗଡ଼ ଜିଲ୍ଲା ରାଜସୁନଖଳାସ୍ଥିତ ଶୁଭଲକ୍ଷ୍ମୀ ରାଇସମିଲରେ ଆଜି ଏହି ଅଘଟଣ ଘଟିଛି। ଟ୍ରକ ଚାପାରେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ମୃତ ସୁରକ୍ଷାକର୍ମୀ ହେଲେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ଗଉଡ଼ିଆ ପଡ଼ା ଗାଁର ଚିନ୍ତାମଣି ବରାଳ (୪୩)।
ସୂଚନା ଅନୁସାରେ ଚିନ୍ତାମଣି ଆଜି ପୂର୍ବାହ୍ନ ୭ଟାରେ କାର୍ଯ୍ୟରତ ଥିବା ସମୟରେ ଶୁଭଲକ୍ଷ୍ମୀ ରାଇସମିଲର ଏକ ଟ୍ରକ ପଛୁଆ ଆସୁଥିବା ବେଳେ ତାଙ୍କୁ ଚାପି ଦେଇଥିଲା। ଟ୍ରକର ଚକ ଚିନ୍ତାମଣିଙ୍କ ମୁଣ୍ଡକୁ ଚାପି ଦେଇଥିଲା। ଘଟଣା ପରେ ରାଇସମିଲ୍ର ଅନ୍ୟ କର୍ମଚାରୀମାନେ ଚିନ୍ତାମଣିଙ୍କୁ ରାଜସୁନାଖଳାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜ ସୁନାଖଳା ଫାଣ୍ଡି ପୁଲିସ ଟ୍ରକ ଚାଳକ କୈଳାଶ ପଣ୍ଡାକୁ ଅଟକ ରଖିବା ସହ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/Nayagarh.jpg)