ଆଲୁମିନା ପାଉଡର୍ ଲୁଟ୍ ଉଦ୍ୟମ ପଣ୍ଡ; ଡକାୟତଙ୍କ ଗୁଳି ମାଡ଼ରେ ଟ୍ରକ୍ ଡ୍ରାଇଭର ଆହତ

କାଶୀପୁର/ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଟିକିରି ଥାନା କାଳିଆପଡ଼ା ଘାଟିରେ ଦୁର୍ଘଟଣାଗସ୍ତ ଆଲୁମିନା ବୋଝେଇ ଟ୍ରକରୁ ଲୁଟ୍ ଉଦ୍ୟମ କରିଛନ୍ତି ଡକାୟତ ଦଳ। ଲୁଟ୍ ଉଦ୍ୟମ ବିଫଳ ହେବା ପରେ ଟ୍ରକ୍ ଭଙ୍ଗାରୁଜା କରିବା ସହ ଡ୍ରାଇଭରକୁ ଗୁଳି ମାଡ଼ କରି ଫେରାର୍ ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ଡ୍ରାଇଭର ରମେଶ ଘଡେଇଙ୍କୁ ଚିକିତ୍ସା ପାଇଁ ଉତ୍କଳ ଆଲୁମିନାର ଓଷାପଡାସ୍ଥିତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଟିକିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଡକାୟତ ଦଳକୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି।

ଗୁଳିମାଡ଼ରେ ଜଖମ ଟ୍ରକ୍ ଡ୍ରାଇଭର ରମେଶର କହିବାନୁଯାୟୀ, ଗତକାଲି ଟିକିରିରୁ ଆଲୁମିନା ବୋଝେଇ କରି ବିଶାଖାପାଟଣା ଅଭିମୁଖେ ଯାଉଥିଲେ ମହାଶକ୍ତି ଟ୍ରାନସପୋର୍ଟର ୫ଟି ଟ୍ରକ୍। ସମସ୍ତ ଟ୍ରକ୍ ଆଗପଛ ହୋଇ ଯାଉଥିବା ବେଳେ ଗୋଟିଏ ଟ୍ରକ୍ ଏପି୩୧ଟିଡବ୍ଲ୍ୟୁ-୯୩୦୨ ବ୍ରେକ୍ ଫେଲ୍ କାରଣରୁ କାଳିଆପଡ଼ା ଘାଟି ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାତିରେ ଅଟକି ରହିଥିଲା। ଟ୍ରାନସପୋର୍ଟର ୩ଟି ଟ୍ରକ୍ ଅନଲୋଡ଼ିଂ ପାଇଁ ବିଶାଖାପାଟଣା ଅଭିମୁଖେ ଯାଇଥିବା ବେଳେ ଅଟକି ରହିଥିବା ଟ୍ରକ ଡ୍ରାଇଭର୍ ଓ ହେଲପରକୁ ସହାୟତା କରିବା ପାଇଁ ରମେଶ ନିଜ ଟ୍ରକ୍ ସହ ଅଟକିଥିଲେ। ଅଚଳ ଟ୍ରକ୍ ନିକଟରେ ଦୁଇ ଦିନ ପୂର୍ବରୁ ଅନ୍ୟ ଏକ ଆଲୁମିନା ବୋଝେଇ ଟ୍ରକ ଏପିଟିଡବ୍ଲ୍ୟୁ-୯୩୧୩ ଦୁର୍ଘଟଣାଗସ୍ତ ହୋଇ ଓଲଟି ପଡିଛି। ଦୁର୍ଘଟଣାଗସ୍ତ ଟ୍ରକରୁ ମାଲ ଖାଲି କରିବା ପାଇଁ ଯାଇଥିବା ଆଉ ଏକ ଟ୍ରକ ଏପିଟିଡବ୍ଲ୍ୟୁ-୯୨୮୭ ମଧ୍ୟ ରାତିରେ କାଳିଆପଡ଼ା ଘାଟିରେ ରହିଥିଲା। ରାତିରେ ଗାଡ଼ି ଚାଳକମାନେ ନିଜ ନିଜ ଗାଡ଼ିରେ ବିଶ୍ରାମ ନେଉଥିବା ବେଳେ ରବିବାର ଭୋର ୩ଟାରେ ଡକାୟତ ଦଳ ପହରଞ୍ଚି ଗାଡ଼ି ଉପରକୁ ଟେକା ପଥର ମାଡ଼ କରି ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ।

ଡ୍ରାଇଭରଙ୍କ ମଧ୍ୟରୁ ରମେଶ ଘଡ଼େଇ କୌଣସି ମତେ ଟ୍ରକର କେବିନ ଭିତରୁ ବାହାରି ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଡକାୟତମାନେ  ଗୁଳି ମାଡ଼ କରିଥିଲେ। ଡକାୟତ ଦଳ ଘଟଣାସ୍ଥଳରୁ ଚାଲିଯିବା ପରେ ଅନ୍ୟ ଦୁଇ ଟ୍ରକର ସାଥୀ ଡ୍ରାଇଭର ପୁଲିସକୁ ଖବର ଦେବା ସହ ଆହତ ରମେଶଙ୍କୁ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଟିକିରି ଥାନା ଅଧିକାରୀ ବନ୍ଦନା ନାୟକଙ୍କ ନେତୃତ୍ୱରେ ଏସଆଇ ଏମ୍. ଜେନା ସହ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ୍ ଏ ନେଇ ଟିକିରି ଥାନାରେ ମାମଲା ରୁଜୁ ତଦନ୍ତ ଜାରି ରଖିବା ସହ ଡକାୟତ ଦଳକୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଥାନା ଅଧିକାରୀ ବନ୍ଦନା ନାୟକ ସୂଚନା ଦେଇଛନ୍ତି। ଡ୍ରାଇଭର ରମେଶଙ୍କ ବାମ ଗୋଡ଼ର ଆଣ୍ଠୁ ନିକଟରେ ଗୁଳି ଲାଗିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଉତ୍କଳ ଆଲୁମିନାକୁ ଦୈନିକ ଶତାଧିକ କୋଇଲା, ଆଲୁମିନା ବୋଝେଇ ଟ୍ରକ୍ ଯାତାୟାତ କରୁଥିବାରୁ ପୁଲିସ୍ ପେଟ୍ରୋଲିଂ କଡାକଡି କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର