ଟିପ୍ପର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ, ଚାଳକକୁ ଲୋକେ ପିଟି ପିଟି ମାରିଦେଲେ 

ପୁଲିସ ଆଗରେ ଗୋଡ଼ାଇ ପିଟି ହତ୍ୟା, ପୁଲିସ-ଜନତା ମୁହାଁମୁହିଁ, ଅଧିକ ଫୋର୍ସ ମଗାଗଲା

ଜାରିପାଟପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅର୍ନ୍ତଗତ ରଙ୍ଗୁଣୀ ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣାରୁ ଘଟିଯାଇଛି ଲୋମହର୍ଷଣକାରୀ ଘଟଣା। ମାଟି ବୋଝେଇ ଟିପ୍ପର ଧକ୍କା ଦେବାରୁ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଲା। ପରେ ପୁଲିସ ସମ୍ମୁଖରେ ଉତ୍ତ୍ୟକ୍ତ ଲୋକମାନେ ରକ୍ତ ମୁଖା ହୋଇ ଉଠିଲେ। ପୁଲିସ ଆଖି ଆଗରେ ଆଇନକୁ ହାତକୁ ନେଇଗଲେ। ଟିପ୍ପର୍‌ ଚାଳକଙ୍କୁ ପିଟି ପିଟି ମାରି ଦେଲେ। ଦୁର୍ଘଟଣାରେ ମୃତ ଯୁବକ ଜଣକ ହେଲେ ଆଡ଼ପଡ଼ା ଗ୍ରାମ କାହ୍ନୁ ଜେନା(୨୩)। ମୃତ ଟିପ୍‌ର ଚାଳକ ଜଣକ ହେଲେ ତାରସିଂ ଥାନା ଅର୍ନ୍ତଗତ କେପିଟି ଗ୍ରାମର ବସନ୍ତ ନାଗ(୩୦)। ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହେଲେ ଆଜିର ଘଟଣାରେ ସ୍ଥିତି ସମ୍ଭାଳିବାରେ ଅସହାୟ ହୋଇ ପଡ଼ିଥିବା ପାଟପୁର ଥାନା ପୁଲିସର ଅପାରଗତା ପଦାରେ ପଡ଼ିଛି। ଏପଟେ ଲୋକେ ଦୁର୍ଘଟଣାରେ ମୃତ କାହ୍ନୁଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ପୁଲିସର ବଳ କମ୍‌ ଥିବାରୁ ଅଧିକ ଫୋର୍ସ ମଗାଯାଇଛି। ବର୍ତ୍ତମାନ ଜନତା-ପୁଲିସ ମୁହାଁମୁହିଁ ସ୍ଥିତିରେ ଅଛନ୍ତି।

ପାଟପୁର ଥାନା ଠାରୁ ୮କିମି ଦୂର ଜଗନ୍ନାଥପୁରରୁ ବୁରୁପଡ଼ା ଯିବା ରାସ୍ତାର ଡେଙ୍ଗାଡ଼ି ନିକଟ ରଙ୍ଗୁଣୀ ଛକରେ ଘଟିଛି ଏହି ଦୁର୍ଘଟଣା ଓ ସଂଘବଦ୍ଧ ହିଂସା। ଅପରାହ୍‌ଣ ପ୍ରାୟ ୪ ଟାରେ ହୋଣ୍ଡା ଆଇକନ୍‌ ଓଡ଼ି-୦୭- ଏଜି-୮୮୪୦ ବାଇକ୍‌ ଯୋଗେ ଆଡପଡ଼ା ଗ୍ରାମର କାହ୍ନୁ ଜେନା ଆସିକାରୁ ନିଜ ଗାଁକୁ ଫେରୁଥିଲେ। ବାଇକ୍‌ ପଛରେ ସେହି ଗ୍ରାମର ମିଥୁନ୍‌ ବେହେରା(୨୯) ବସିଥିଲେ। ରଙ୍ଗଣୀ ଛକ ନିକଟରେ ପଛ ପାର୍ଶ୍ବରୁ ଆସୁଥିବା ଏକ ମାଟି ବୋଝେଇ ଟିପ୍ପର୍‌( ଓଆାର-୦୭-ଏଚ୍‌-୫୨୪୭) ଧକ୍କା ଦେଇଥିଲା l

ଘଟଣାସ୍ଥଳରେ ବାଇକ୍‌ ଚାଳକ କାହ୍ନୁଙ୍କ ମୃତ୍ୟୁ ଘଟିଥିବା ବେଳେ ପଛରେ ବସିଥିବା ମିଥୁନ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡ଼ିଛି। ଏପଟେ ଖବର ପ୍ରଚାରିତ ହେବା ପରେ ମୃତ କାହ୍ନୁଙ୍କ ଗ୍ରାମରୁ ଶହ ଶହ ଲୋକ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଦେଖି ଟିପ୍ପର୍‌ ଚାଳକ ଘଟଣାସ୍ଥଳରୁ ଖସିଯିବାକୁ ବିଲ ଭିତରେ ଦୌଡ଼ିବା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ଗୋଡ଼େଇ ଗୋଡ଼େଇ ପିଟୁଥିବା ବେଳେ ପୁଲିସ ସଙ୍ଗେ ସ‌ଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମଧ୍ୟ ଅସହାୟ ପାଲଟି ଯାଇଥିଲା। ପରେ ଟିପ୍ପର୍‌ ଚାଳକଙ୍କୁ ଲୋକଙ୍କ କବଳରୁ ମୁମୂର୍ଷୁ ଅବସ୍ଥାରେ ପୁଲିସ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଜଗନ୍ନାଥପୁର-କଙ୍କୋରଡ଼ା ରାସ୍ତା ଉପରେ ଶବ ରଖି ଅବରୋଧ କରି ରଖିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ହଟିନାହିଁ, ପୁଲିସ-ଜନତା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଘଟଣା ସ୍ଥଳରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ରାସ୍ତା‌ର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଛି l ଲୋକଙ୍କୁ ନିୟନ୍ତ୍ରଣ କରିବା ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକ ପୁଲିସ ଫୋର୍ସ ମଗାଯାଇଛି। ସୂଚନା ଥାଉକି, ଖଲିଙ୍ଗି ନିକଟ ଘୋଡାହାଡ଼ ବନ୍ଧ ନିର୍ମାଣ ପାଇଁ ଟ୍ରାକ୍ଟର ଓ ଟିପ୍ପର୍‌ ଯୋଗେ ମାଟି ନିଆ ଯାଉଥିଲା। ଗତ ଦୁଇ ଦିନ ତଳେ ଆଡ଼ପଡ଼ା ଗ୍ରାମବାସୀ ଉକ୍ତ ରାସ୍ତାରେ ମାଟି ପରିବହନକୁ ବିରୋଧ କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟିପ୍ପର୍‌ ଲାଇସେନ୍ସ ଥିବା ବେଳେ ଫିଟ୍‌ନେସ୍‌ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ଟ୍ରକ୍‌, ଟିପ୍ପର୍‌କୁ କିଭିଳି ମାଟି ପରିବହନ କରିବାକୁ ଅନୁମତି ଦିଆଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର