ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନସ୍ଥ ଦ୍ଵାରଶୁଣୀ ଘାଟୀରେ ଗୁରୁବାର ପୁଣି ଦୁର୍ଘଟଣା ଘଟିଛି। ନାଗପୁରରୁ କୋଲକାତା ଅଭିମୁଖେ ଯାଉଥିବା ଏକ କପଡା ବୋଝେଇ ଟ୍ରକ ବ୍ରେକ ଫେଲ ଯୋଗୁଁ ଘାଟୀର ଶେଷ ବାଙ୍କର ପଚାଶ ଫୁଟ ତଳକୁ ଖସି ପଡଛି। ଚଳିତ ମାସରେ ଏହା ହେଉଛି ୩ୟ ଘଟଣା।
Sambad is now on WhatsApp
Join and get latest news updates delivered to you via WhatsApp
ଟ୍ରକ ଓ କପଡା ମଧ୍ୟରେ ଜାକି ହୋଇଥିବା ଡ୍ରାଇଭରକୁ ପୁଲିସ, ଦମକଳବାହିନୀ ଓ ଜନସାଧାରଣ ତୁରନ୍ତ ଉଦ୍ଧାର କରିଛନ୍ତି। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଡ୍ରାଇଭର ଉତ୍ତରପ୍ରଦେଶର ଅମିର ଉଲ୍ଲା ଅନସାରୀ ବୋଲି ଜଣାପଡିଛି। ଚାଳକର ଦୁଇ ଗୋଡ ଭାଙ୍ଗିବା ସହିତ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ବାଙ୍ଗିରିପୋଷି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠାଇ ଦିଆଯାଇଛି। କୌଣସି ଉପାୟରେ ଦ୍ରୁତଗତିକୁ ରୋକାଯାଇ ପାରୁ ନଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଛି ବୋଲି ଚର୍ଚ୍ଚା ଜୋର ଧରିଛି।
ସୂଚନାଯୋଗ୍ୟ ଚାଳକଙ୍କର ଅବହେଳା ଅଥବା ସଡ଼କ ନିର୍ମାଣରେ ତ୍ରୁଟି ଯୋଗୁଁ ଦ୍ୱାରଶୁଣୀ ଘାଟୀରେ ବାରମ୍ବାର ଦୁର୍ଘଟଣା ଘଟିବାରୁ ଧନ-ଜୀବନକୁ କ୍ଷତି ପହଂଚାଉଛି। ଗତ ଜୁଲାଇରେ ୩୦ଟି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା।