ମାନବିକତାର ପରିଚୟ ଦେଲେ ଟ୍ରକ୍ ହେଲପର, ଫେରାଇଲେ ୧.୨୦ ଲକ୍ଷ ଟଙ୍କାର ଆଇ-ଫୋନ

ରାୟଗଡ଼ା: ୧୦ କି ୨୦ ହଜାର ନୁହଁ, ୧ ଲକ୍ଷ ୨୦ ହଜାର ଟଙ୍କାର ଆଇ ଫୋନ୍ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ଜଣେ ଟ୍ରକ୍ ହେଲପର୍। ଟ୍ରକ୍ ହେଲପର୍ ପ୍ରେମ କୁମାର ନାୟକଙ୍କ ଏପରି ପଦକ୍ଷେପକୁ ରାୟଗଡ଼ା ପୁଲିସ୍ ପ୍ରଶଂସା କରିଥିବା ବେଳେ ହଜିଥିବା ମୋବାଇଲ୍ ପାଇବା ପରେ ପ୍ରେମ କୁମାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଆରପିଏଫ୍ କନେଷ୍ଟବଳ। ସୋମବାର ସଂଧ୍ୟାରେ ରାୟଗଡ଼ା ରେଳ ସୁରକ୍ଷା ବଳ (ଆରପିଏଫ) ର କନେଷ୍ଟବଳ ପି. ରମେଶ କୁମାର ପେଟ୍ରୋଲିଂ କରୁଥିବା ବେଳେ ତାଙ୍କ ପକେଟରୁ ୧୨ ପ୍ରୋମେକ୍ସ ମଡେଲ୍ ଆପେଲ କମ୍ପାନୀର ଆଇ ଫୋନ ମୋବାଇଲ ପଡି ଯାଇଥିଲା।

ପେଟ୍ରୋଲିଂ ସାରି କନେଷ୍ଟବଳ ଶ୍ରୀ ରାଓ ଷ୍ଟେସନକୁ ଫେରି ମୋବାଇଲ୍ ଖୋଜିବା ବେଳକୁ ପାଇନଥିଲେ। ସଙ୍ଗେ ସଙ୍ଗେ ଏ ନେଇ ଶ୍ରୀ ରାଓ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାତିରେ ରାୟଗଡ଼ା-ସିଙ୍ଗାପୁର ରୋଡର ସାଇପ୍ରିୟା ନଗର ପଛପଟରେ ଥିବା ଟ୍ରେନ ଟ୍ରାକ୍ ଦେଇ ନିଜ ଘରକୁ ଟ୍ରକ ହେଲପର ପ୍ରେମ କୁମାର ଫେରୁଥିବା ବେଳେ ରେଳ ଧାରଣା କଡରୁ ଆଇ ଫୋନ ମୋବାଇଲଟିକୁ ପାଇଥିଲେ।

ମୋବାଇଲ ପାଇବା ପରେ ପ୍ରେମ କୁମାର ଏ ସଂପର୍କରେ ଟ୍ରକ୍ ଡ୍ରାଇଭରକୁ ଅବଗତ କରିଥିଲେ। ଆଜି ସକାଳେ ଟ୍ରକ୍ ଡ୍ରାଇଭର, ହେଲପର ରାୟଗଡ଼ା ଥାନାରେ ପହଞ୍ଚି ମୋବାଇଲକୁ ଫେରାଇ ଦେଇଥିଲେ। ସବ ଇନସପେକ୍ଟର ଚିତ୍ତରଞ୍ଜନ ମହାନ୍ତି ଫୋନଟିକୁ ଜିମା ରଖିଥିଲେ। ଯାଞ୍ଚ ପରେ ମୋବାଇଲଟି ରେଳ ସୁରକ୍ଷା ବଳ କନେଷ୍ଟବଳ ପି. ରମେଶଙ୍କ ବୋଲି ଜଣା ପଡିବା ପରେ ପୁଲିସ୍ ରମେଶଙ୍କୁ ଥାନାକୁ ଡକାଇ ଟ୍ରକ୍ ହେଲପର ପ୍ରେମ କୁମାରଙ୍କ ଜରିଆରେ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର