ସରକାରୀ ଜମିରେ ଟ୍ରକ୍ ପାର୍କିଂ: ଢାବା ଓ ପେଟ୍ରୋଲ୍ ପମ୍ପ ମାଲିକ ମାଲାମାଲ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶତାଧିକ ଏକର ସରକାରୀ ଜମି । ଜମି ଉପରେ ଢାବା ଓ ପେଟ୍ରୋଲ୍ ପମ୍ପ ମାଲିକ କବ୍ଜା କରି ଟ୍ରକ୍ ପାର୍କିଂ ନାମରେ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ବେଳେ ପ୍ରଶାସନକୁ କିନ୍ତୁ ଟ୍ରକ୍ ଟର୍ମିନାଲ୍ କରିବାକୁ ଜାଗା ମିଳୁନାହିଁ । ଖୋର୍ଦ୍ଧା ଦେଇ ଯାଇଥିବା ଦୁଇଥାକିଆ ପୁରାତନ ୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ହୋଇ ୬ ଥାକିଆ ହୋଇ ୧୬ ନମ୍ବର ଜାତୀୟ ରାଜପଥରେ ପରିବର୍ତିତ ହୋଇଛି । ଏହି ଜାତୀୟ ରାଜପଥର ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବାରୁ ଏଥିରେ ବାର୍ଷିକ ୩୩ଲକ୍ଷ ୪ଚକିଆ ଗାଡ଼ିମୋଟର ଟ୍ରକ ଆଦି (୨୦୨୦ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରଣାଳୟ ତଥ୍ୟ) ଚଳାଚଳ କରେ |

ଅର୍ଥାତ୍ ଦୈନିକ ୧୦ହଜାର ଚଳାଚଳ କରନ୍ତି । ଏଭଳି ସମୟରେ ଜାତୀୟ ରାଜପଥରେ ଦୂରଗାମୀ ଟ୍ରକ ଚାଳକଙ୍କ ପାଇଁ ଜାତୀୟ ରାଜପଥର କଡ଼ରେ ଟ୍ରକ୍ ଟର୍ମିନାଲ୍ କରିବା ପାଇଁ ରାଜ୍ୟ ସଡ଼କ ପରିବହନ ବିଭାଗ ଯୋଜନା କରିଛି । ଏଭଳି ଟର୍ମିନାଲ୍ ଦ୍ୱାରା ରାସ୍ତାକଡ଼ରେ ଟ୍ରକ ରଖିବା ଦ୍ୱାରା ଘଟୁଥିବା ଦୁର୍ଘଟଣାର ହ୍ରାସ ସହ ଟ୍ରକ୍ ଚାଳକଙ୍କୁ ବିଶ୍ରାମର ସୁଯୋଗ ମିଳିବ । ଏନେଇ ନିଜ ନିଜ ଜିଲ୍ଲାରେ ଉପଯୁକ୍ତ ସରକାରୀ ସ୍ଥାନ ନିରୂପଣ କରିବାକୁ ଡିସେମ୍ବର ୨୦୨୧ରେ ବିଭାଗ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲା । ନିର୍ଦ୍ଦେଶାନୁସାରେ, ଏହି ଟ୍ରକ୍ ଟର୍ମିନାଲ୍ ୧୦ରୁ ୨୦ ଏକର ପରିମିତ ସ୍ଥାନରେ ହେବ ଓ ଏହା ରାଜ୍ୟ ଏବଂ ଜାତୀୟ ରାଜପଥ କଡ଼ରେ ରହିଥିବ । କେବଳ ଏହାନୁହେଁ ଏହି ଟର୍ମିନାଲଗୁଡିକ ସହର କିମ୍ବା ଜନଗହଳି ବ୍ୟବସାୟିକ କେନ୍ଦ୍ର, ଶିଳ୍ପାଂଚଳ ନିକଟରେ ଚିହ୍ନଟ କରିବାକୁ କହିଥିଲେ । ଏହାମଧ୍ୟରେ ୬ ମାସ ବିତିଯାଇଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଏଭଳି ସ୍ଥାନ ନିରୂପଣ ହୋଇପାରିନାହିଁ ।

ଆଜି ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପୁଣି ଚିଠି ଲେଖି ଜିଲ୍ଲାପାଳଙ୍କୁ ଚେତାଇ ଦେଇଛି । ତୁରନ୍ତ ସ୍ଥାନ ନିରୂପଣ କରି ଏନେଇ ସମସ୍ତ ତଥ୍ୟ ବିଭାଗ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି ।
ଖୋର୍ଦ୍ଧା ଗ୍ରାମାଂଚଳର ପିତାପଲ୍ଲୀଠାରୁ ବାଣପୁର ମଧ୍ୟରେ ୨୦ରୁ ଉର୍ଦ୍ଧ୍ବ ସ୍ଥାନରେ ଢାବା ଓ ପେଟ୍ରୋଲ୍ ପମ୍ପ ମାଲିକ ନିକଟରେ ଥିବା ସରକାରୀ ଜାଗାକୁ ଜବର ଦଖଲ କରି ନିଜର ଟ୍ରକ ଟର୍ମିନାଲ୍ ନିର୍ମାଣ କରିଛନ୍ତି । ଏହାଦ୍ୱାରା ଭଡ଼ା ଓ ବ୍ୟବସାୟ ବଢ଼ାଇ ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶାସନ ନିକଟରେ ସରକାରୀ ଟ୍ରକ୍ ଟିର୍ମନାଲ୍ ପାଇଁ ଜାଗା ମିଳୁନଥିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ରାଜ୍ୟରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଥିବା ଜିଲ୍ଲା ମଧ୍ୟରେ ଖୋର୍ଦ୍ଧା ସର୍ବାଗ୍ରେ ରହିଛି । ଏନେଇ ସୁପ୍ରିମକୋର୍ଟଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ଚିନ୍ତାବ୍ୟକ୍ତ କରିବା ସହ ଏନେଇ ବ୍ୟବସ୍ଥିତ ପଦକ୍ଷେପ ନେବାକୁ ବିଭିନ୍ନ ସମୟରେ ନିଦେ୍ର୍ଦଶ ଦେଉଛନ୍ତି । ଜିଲ୍ଲାରେ ଯେତିକି ଦୁର୍ଘଟଣା ଘଟୁଛି ସେ ମଧ୍ୟରୁ ଶତକଡ଼ା ୩୦ ଭାଗ ଦୁର୍ଘଟଣା ରାସ୍ତାକଡ଼ରେ ଠିଆ ହୋଇଥିବା ବସ୍ କିମ୍ବା ଟ୍ରକ୍ ଏବଂ ରାତି ଓ ଭୋର ସମୟରେ ହିଁ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ସଡ଼କ ସୁରକ୍ଷା କମିଟି ଏଭଳି ଟ୍ରକ୍ ଟର୍ମିନାଲ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣାର ସଂଖ୍ୟାକୁ ଦେଖି ଖୋର୍ଦ୍ଧା ଜିଲ୍ଲାରେ ଏହା ପ୍ରଥମେ କାର୍ଯ୍ୟକାରୀ ହେବା କଥା, କିନ୍ତୁ ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଇନାହିଁ ।

ସମ୍ବନ୍ଧିତ ଖବର