ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ କାଟ୍‌

ସୁନ୍ଦରଗଡ଼: ଜିଲ୍ଲାର ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ମାଝୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଛି। ଆବଶ୍ୟକ ସଂଖ୍ୟକ ସଦସ୍ୟଙ୍କ ଅଭାବରୁ ହେବାକୁ ଥିବା ଭୋଟ୍‌ ବାତିଲ ହୋଇଯାଇଛି। ୧୯ ଜଣ ସରପଞ୍ଚ ଓ ୧୯ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ମାତ୍ର ୨ ଜଣ ଅନାସ୍ଥା ଭୋଟ ପାଇଁ ଉପସ୍ଥିତ ଥିଲେ।

ଗତ ମାର୍ଚ୍ଚ ମାସରେ ପଞ୍ଚାୟତ ସମିତି ସଦସ୍ୟ-ସଦସ୍ୟାମାନେ ଅଧ୍ୟକ୍ଷା ଶ୍ରୀମତୀ ମାଝୀଙ୍କ ନାମରେ ମନମୁଖୀ ଓ ଦୁର୍ନୀତି ଅଭିଯୋଗ ଆଣି ଉପଜିଲ୍ଲାପାଳଙ୍କ ଠାରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। କରୋନା କଟକଣା ପାଇଁ ପ୍ରଶାସନ ସେ ନେଇ କୌଣସି ନିଷ୍ପତ୍ତି ନେଇ ନଥିଲା। ଅଗଷ୍ଟ ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟ ଗ୍ରହଣ ପାଇଁ ଉପଜିଲ୍ଲାପାଳ ଅଗଷ୍ଟ ୨ ତାରିଖରେ ନୋଟିସ ଜାରି କରି ସମସ୍ତ ପଞ୍ଚାୟତ ସମିତି ସଦସ୍ୟ ସଦସ୍ୟା ଓ ସାଂସଦ,ବିଧାୟକଙ୍କୁ ଉପସ୍ଥିତ ହୋକୁ ଅନୁରୋଧ କରିଥିଲେ।

ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଭୋଟ ଗ୍ରହଣ ପାଇଁ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। କିନ୍ତୁ ୧୯ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟଙ୍କ ମଧ୍ୟରୁ ମାତ୍ର ୨ ଜଣ ସଦସ୍ୟ ଆସିବାରୁ ଅନାସ୍ଥା ପ୍ରସ୍ତାବ କାଟ ଖାଇ ଯାଇଥିବା ଅଧିକାରୀ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ତଳସରା ବିଧାନସଭାର ପୂର୍ବତନ କଂଗ୍ରେସ ବିିଧାୟକ ଡ. ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ ତ୍ରିବେଣୀ ମାଝୀ ଅଧ୍ୟକ୍ଷା ଅଛନ୍ତି। ତାଙ୍କୁ ବିରୋଧ କରି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବିଜେପି ସମର୍ଥକ ସଦସ୍ୟମାନେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ସମ୍ବନ୍ଧିତ ଖବର