ତାଳଚେର: ମଝିରେ କେଇଟା ଦିନ ଚଲେଇବା ପରେ ଆଜି ପୁଣି ବନ୍ଦ ହୋଇଛି ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ)। ଆଜି ସକାଳୁ କାରଖାନାର ୟୁନିଟ-୩ରୁ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଇଛି। ପୂର୍ବରୁ ମାର୍ଚ୍ଚ ୩୧ ପରଠୁ ଟିଟିପିଏସ କର୍ତ୍ତୃପକ୍ଷଙ୍କର କାରଖାନା ବନ୍ଦ କରିବା ପାଇଁ ଯେଉଁ ବିଧିବଦ୍ଧ ଯୋଜନା ଚାଲିଥିଲା, ତାହା କାର୍ଯ୍ୟକାରୀ ହେବାକୁ ଯାଉଛି। ଗୋଟିଏ ପଟେ କାରଖାନା ବନ୍ଦ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ଲୋକେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।

Advertisment

ମାର୍ଚ୍ଚ ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଏ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ମାର୍ଚ୍ଚ ୨୫ ତାରିଖ ଦିନ ଅନୁରୂପ ଭାବେ କେନ୍ଦ୍ର ମନ୍ତ୍ରୀ ତଥା ତାଳଚେର ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନ ବି ଚିଠି ଲେଖି ତାଳଚେର ବାସୀଙ୍କୁ ଆଶ୍ୱାସନା ଦେଇଥିଲେ। କାରଖାନା ବନ୍ଦ ହେବ ନାହିଁ, ଏହାର ତୃତୀୟ ସମ୍ପ୍ରସାରଣ କାମ ଚାଲିବ। ଧର୍ମେନ୍ଦ୍ର ଙ୍କ ଚିଠିର କେଇ ଘଣ୍ଟା ଭିତରେ କାରଖାନା ପୁଣି ଚାଲିଥିଲା।

ୟୁନିଟ ୩ରୁ ବିଜୁଳି ଉତ୍ପାଦନ ଆରମ୍ଭ ହୋଇଥିଲା। ଲୋକେ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ, ଆଜି ସକାଳୁ ପୁଣି କାରଖାନା କୁ ବନ୍ଦ କରାଯିବା ପରେ ଲୋକଙ୍କ ଭିତରେ ଅଶାନ୍ତି ଦେଖାଦେଇଛି। ନେତାଙ୍କ କଥା ଉପରେ ଲୋକଙ୍କ ଭରସା ତୁଟି ଯାଇଛି।