ମା’ଙ୍କୁ ବଞ୍ଚାଇପାରିଲାନି ପୁଅ, ଡଙ୍ଗା ବୁଡି ତୁଳସାଙ୍କ ମୃତ୍ୟୁ 

ମାଲକାନଗିରି: ମା’ ଓ ପୁଅ ମିଶି ଦୁହେଁ ମାଛ ଧରିବାକୁ ଜଳଭଣ୍ଡାରକୁ ଯାଇଥିଲେ। ମାଛ ଧରିବା ପରେ ଘରକୁ ଦେଶୀ ଡଙ୍ଗାରେ ଘରକୁ ଫେରୁଥିଲେ। କୂଳରେ ପହଞ୍ଚିବାକୁ ଅଳ୍ପ ଦୂର ରହିଥିବା ବ‌େଳେ ଆକାଶରେ କଳାବାଦଲ ଛାଇଯାଇଥିଲା। ପବନରେ ବେଗରେ ଜଳଭଣ୍ଡାରେ ପ୍ରବଳ ଲହଡି ମାରିଥିଲା। କ୍ଷଣିକ ଭିତରେ ଡଙ୍ଗା ଜଳଭଣ୍ଡାରରେ ବୁଡି ଯାଇଥିଲା। ମା’କୁ ଖୋଜିବାକୁ ଚେଷ୍ଟା କରି ପାଇନଥିବା ବ‌େଳେ ନିଜ ଜୀବନ ବଞ୍ଚାଇ କୂଳକୁ ଚାଲିଆସିଥିଲେ। ଜଳଭଣ୍ଡାରରେ ମାଙ୍କ ଜୀବନ ଚାଲିଯାଇଥିଲା। କାଳ‌ବୈଶାଖୀର ତାଣ୍ବ ଲୀଳାର ମାଲକାନଗିରି ସତୀଗୁଡା ଜଳଭଣ୍ଡାରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ମାଛ ଧରିବାକୁ ଯାଇ ଗତକାଲି ଭିମାରାଙ୍ଗିଣୀ ଗ୍ରାମର ତୁଳସା ମାଢ଼ୀ ମୃତ୍ୟୁବରଣ କରିଛନ୍ତି।

ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକର ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ଭିମାରାଙ୍ଗିଣୀ ଗ୍ରାମର ତୁଳସା ମାଢ଼ୀ ଓ ପୁଅ ରାଜେଶ ଗତକାଲି ଅପରାହ୍ନରେ ମାଛ ଧରିବା ପାଇଁ ଦେଶୀ ଡଙ୍ଗାରେ ସତୀଗୁଡା ଜଳଭଣ୍ଡାରକୁ ଯାଇଥିଲେ। ଅପରାହ୍ନ ୪ଟା ବେଳକୁ ସେହି ଡଙ୍କାରେ ଘରକୁ ଫେରୁଥିଲେ। କୂଳ ନିକଟବର୍ତ୍ତୀ ହୋଇଥିବା ବେଳେ ଆଉ କିଛି ସମୟ ମଧ୍ୟରେ କୂଳରେ ପହଞ୍ଚିଯାଇଥାନ୍ତେ। କିନ୍ତୁ ହଠାତ ବହୁ ଜୋରରେ ପବନ ବୋହିବାରେ ଲାଗିଥିଲା। ପାଣିରେ ବହୁ ଉଚ୍ଚ ଲହଡି ମାରିଥିଲା। ଡଙ୍ଗାକୁ ନିୟନ୍ତ୍ରିତ କରିବା କଷ୍ଟକର ହୋଇପଡିଥିଲା। ପବନର ବେଗରେ ଡଙ୍ଗା ଉପରକୁ ତଳକୁ ବହୁ ଜୋରରେ ହୋଇ ଓଲଟି ପଡିଥିଲା। କିଛି କ୍ଷଣିକ ମଧ୍ୟରେ ଡଙ୍ଗା ପାଣିରେ ବୁଡି ଯାଇଥିବା ବେଳେ ତୁଳସା ଓ ପୁଅ ରାଜେଶ ମଧ୍ୟ ବୁଡି ଯାଇଥିଲେ। ରାଜେଶ ମାକୁ ଅକାତ ପାଣିରେ ଖୋଜି ବୁଲିଲେ କିନ୍ତୁ ପାଇପାରିନଥିଲେ। ନିଜ ଜୀବନକୁ ବଞ୍ଚାଇ ଶେଷକୁ କୂଳରେ ଆସି ପହଞ୍ଚି ଯାଇଥିଲେ। ସ‌େ ଗାଁରେ ଯାଇ ଲୋକଙ୍କ ଖବର ଦେଇଥିଲେ। ସିନ୍ଧ୍ରିମାଳ ଆରଆଇ ସୀମାଞ୍ଚ ସାହୁ ଖବର ପାଇ ସେଠାରେ ପହଞ୍ଚିଥିବା ବେଳେ କିଛି ଲୋକ ଡଙ୍ଗା ସାହାଯ୍ୟରେ ତୁଳସାକୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇପାରିନଥିଲେ। ଆଜି ଭୋରରୁ ମାଲକାନଗିରି ଅଗ୍ନିଶମ‌ କେନ୍ଦ୍ର ଅଧିକାରୀ କମଲ କୁମାର ଗୌଡଙ୍କ ନେତୃତ୍ବରେ ଗୋଟିଏ ଟିମ୍‌ ବୋଟ ସାହାଯ୍ୟରେ ଜଳଭଣ୍ଡାରରେ ଖୋଜିଥ‌ିଲେ। ସକାଳ ୭ଟା ବେଳକୁ ତୁଳାସର ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟ‌ବଚ୍ଛେଦ ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ସମ୍ବନ୍ଧିତ ଖବର