ତିନିଠାକୁରଙ୍କୁ ଏକାଦଶୀରେ ଖୋର୍ଦ୍ଧାରୁ ତୁଳସୀମାଳ ଭେଟି

ଖୋର୍ଦ୍ଧା: ପୁରୀ ଶ୍ରୀକ୍ଷେତ୍ର ସହ ଖୋର୍ଦ୍ଧାର କ୍ଷୀରନୀର ସଂପର୍କ । କହିବାକୁ ଗଲେ ଶ୍ରୀମନ୍ଦିରର ଇତିହାସ, ସଂସ୍କୃତି ଓ ପରଂପରା ସହ ଖୋର୍ଦ୍ଧାର ଜନଜୀବନ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଗଡ଼ଖୋର୍ଦ୍ଧା, ଚିଲିକାର କଙ୍କଣଶିଖରରେ ଚତୁର୍ଦ୍ଦାମୂର୍ତିଙ୍କ ପାତାଳି ହେବା ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପୁନରୁଦ୍ଧାର ପାଇଁ ଯୁଦ୍ଧଯାତ୍ରା ଭଳି ଇତିହାସ । ରଥଯାତ୍ରାରେ ସୋଲଫୁଲ ଠାରୁ ଆରମ୍ଭ କରି ଶ୍ରୀଅଙ୍ଗ ପାଇଁ ଅଙ୍ଗଲାଗି ପାଟ ଏଭଳି ଅନେକ ଘଟଣା ସହ ଖୋର୍ଦ୍ଧା ଜଡ଼ିତ । ଏଭଳି ଏକ ନିଆରା ପରଂପରା ହେଉଛି ବର୍ଷର ୨୪ଟି ଏକାଦଶୀ ବିଶେଷତଃ ୪ଟି ବଡ଼ ଏକାଦଶୀରେ ଖୋର୍ଦ୍ଧାରୁ ୧୨ ହାତ ଲମ୍ବା ତୁଳସୀ ମାଳ ପ୍ରସ୍ତୁତ ହୋଇ ଶ୍ରୀମନ୍ଦିରକୁ ଦିଆଯାଉଥିବା ଭେଟି ।

କରୋନା ମହାମାରୀର ଭୟରେ ମଧ୍ୟ ଏହି ପରଂପରା ବନ୍ଦ ହୋଇନାହିଁ । ଗତକାଲି ହରିଶୟନ (ବଡ଼) ଏକାଦଶୀରେ ଖୋର୍ଦ୍ଧା ସହର ଓ ଆଖପାଖ ଇଲାକାରୁ ବଡ଼ ଭୋରରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନରୁ ମହିଳାମାନେ ଏକାଦଶୀ ବ୍ରତ ରଖିବା ସହ ଭଜନ, ଜଗନ୍ନାଥଙ୍କ ଜଣାଣ ଗାନ ସହ ବିଭିନ୍ନ ସ୍ଥାନରୁ ତୁଳସୀ, ଟଗର, ଚମ୍ପା, ତମାଳ ଆଦି ଫୁଲ ସଂଗ୍ରହ କରିଥିଲେ । ଏହି ସମସ୍ତ ତୁଳସୀ ଓ ଫୁଲକୁ ନେଇ ଖୋର୍ଦ୍ଧାର ପ୍ରଫୁଲ୍ଲ ସାହୁଙ୍କ ଘରେ ପହଂଚାଇଥିଲେ । ସେଠାରେ ଜଗନ୍ନାଥଙ୍କ ସମ୍ମୁଖରେ ବସି ନାମସଂକୀର୍ତନ, ହୁଳହୁଳି, ଘଂଟା, ଶଙ୍ଖ ସହ ମାଳା ପ୍ରସ୍ତୁତ କରାଯାଇଥାଏ । ମାଳା ପ୍ରସ୍ତୁତ ହେବାକୁ ପ୍ରାୟ ୫ ଘଂଟା ସମୟ ଲାଗିଥାଏ । ଏହାପରେ ପ୍ରସ୍ତୁତ ମାଳାକୁ ଶ୍ରୀମନ୍ଦିର ନେଇ ଦିଆଯାଇଥାଏ ।

ଏନେଇ ପ୍ରଫୁଲ୍ଲ ସାହୁ, ଶିଶିର ପରିଡ଼ା, ବିନାୟକ ଦଳସିଂହରାୟ କହିଛନ୍ତି ଯେ ବର୍ତମାନ ବିଭିନ୍ନ ସ୍ଥାନରେ ଫୁଲ ଓ ତୁଳସୀ ଗଛ କମିଯାଇଛି । ତେବେ ଗତ ୨ ବର୍ଷ ଧରି ଖୋର୍ଦ୍ଧା ଉପକଣ୍ଠ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନ ଏହି ନିଅଂଟ ପୂରଣ କରୁଛି ।

ମାଳା ପ୍ରସ୍ତୁତ କରୁଥିବା କବିତା ପଟ୍ଟନାୟକ, ପୁଷ୍ପଲତା ପଟ୍ଟନାୟକ, କୁନିଲତା ସାହୁ, ସ୍ମିତା ଚହଟରାୟ, ଦମୟନ୍ତୀ ବଳବନ୍ତରାୟ ପ୍ରମୁଖ କହିଛନ୍ତି ଯେ ଗତ ୧୩-୧୪ ବର୍ଷ ଧରି ସେମାନଙ୍କ ସହ ଅନେକ ମହିଳା ଏହି କାମରେ ନିଷ୍ଠାପର ଓ ନିରବଚ୍ଛିନ୍ନ ଭାବେ ସହାୟତା କରିଆସୁଛନ୍ତି । କେବଳ ଚତୁର୍ଦ୍ଦାମୂର୍ତି ନୁହେଁ ଶ୍ରୀଲକ୍ଷ୍ମୀ, ବିମଳା, କମଳା, ବଟଗଣେଶ ଆଦିଙ୍କ ପାଇଁ ମଧ୍ୟ ମାଳା ପ୍ରସ୍ତୁତ କରିଦେଇଥାନ୍ତି । ଜୀବନ ଥିବା ପର୍ଯ୍ୟନ୍ତ ସେମାନେ ଏହି ପବିତ୍ର କାର୍ଯ୍ୟ କରୁଥିବେ ବୋଲି ମହିଳାମାନେ କହିଛନ୍ତି ।

ସମ୍ବନ୍ଧିତ ଖବର