ରାୟଗଡା: ବେକରେ ବାହାରିଥିବା ଟ୍ୟୁମର ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। କୁଲି କଲେ ପରିବାର ଚଳୁଥିବା ବେଳେ ବହୁ କ‌ଷ୍ଟରେ ଟଙ୍କା ଯୋଗାଡ଼ କରି ଭୁବନେଶ୍ବରକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଅସ୍ତ୍ରୋପଚାର ପାଇଁ କଟକ ନେବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଟଙ୍କା ଅଭାବରୁ ଘରକୁ ଫେରି ଆସିଛନ୍ତି ରାୟଗଡ଼ା ବ୍ଲକ ନାକିଟି ପଞ୍ଚାୟତ ଅନ୍ତର୍ଗତ ବଡ଼ଚେକା ଗ୍ରାମର ମୁସୁରି ମେଲେକା।
ପତ୍ନୀ ଏବଂ ଦୁଇ ସନ୍ତାନଙ୍କୁ ନେଇ ମୁସୁରି ମେଲେକାଙ୍କ ପରିବାର। କୁଲି କରି ମୁସୁରି ପରିବାର ଚଳାଉଥିଲେ। ବହୁ ବର୍ଷ ତଳେ ମୁସୁରିଙ୍କ ବେକରେ ଟ୍ୟୁମର ହୋଇଥିଲେ ହେଁ ସେ ପରିବାର ଚଳାଇବା ପାଇଁ କାମ କରୁଥିଲେ। କିନ୍ତୁ ବେକରେ ବାହାରିଥିବା ଟ୍ୟୁମର ବୃଦ୍ଧି ପାଇବା ପରେ ସେ ଆଉ କାମ କରିପାରୁନାହାନ୍ତି।

Advertisment

ଏଭଳି ସ୍ଥିତିରେ ପରିବାର ଚଳିବା କଷ୍ଟକର ହେଉଛି। ଅନ୍ୟପଟେ ବେକରେ ବାହାରିଥିବା ଟ୍ୟୁମର ଦିନକୁ ଦିନ ବଢ଼ିବା ପରେ ପରିବାର ଲୋକ ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ମୁସୁରିଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ବର ନେଇଥିଲେ। କିନ୍ତୁ କଟକରେ ଟ୍ୟୁମର ଅସ୍ତ୍ରୋପଚାର ହୋଇପାରିବ ବୋଲି ଡାକ୍ତର କହିବା ପରେ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ। କଟକ ଯିବା ପାଇଁ ଟଙ୍କା ନଥିବାରୁ ବାଧ୍ୟ ହୋଇ ପରିବାର ଲୋକ ମୁସୁରିଙ୍କୁ ଘରକୁ ଫେରାଇ ଆଣିଥିଲେ। ତୁରନ୍ତ ଅସ୍ତ୍ରୋପଚାର କରାନଗଲେ ଆଗକୁ ବିପଦ ରହିଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ଟ୍ୟୁମର ବଢ଼ୁଥିବାରୁ ଯନ୍ତ୍ରଣା ହେଉଥିବା ମୁସୁରି କହିବା ସହିତ ଭଗବାନଙ୍କ ଭରସାରେ ରହିଛି ବୋଲି କୋହଭରା କଣ୍ଠରେ କହିଛନ୍ତି। ଯଦି ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଯୋଗାଇ ଦିଅନ୍ତି ତେବେ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ପୁଣି ପୂର୍ବ ଭଳି କାମ କରିପାରିବେ ବୋଲି ମୁସୁରି କହିଛନ୍ତି। ମୁସୁରିଙ୍କ ପ୍ରଶାସନ ପକ୍ଷରୁ ସହାୟତା ‌ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।