ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସ୍ମୃତିପୀଠକୁ ସୁଡ଼ଙ୍ଗ, ଗୁପ୍ତଧନ ଆଶାରେ ଖୋଳିଥିବା ସନ୍ଦେହ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ବାରିପଦା : ସ୍ଥାନୀୟ ମଧୁବନସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମାଧୀପୀଠକୁ ସୁଡ଼ଙ୍ଗ କରାଯାଇଥିବା ଆଜି ସନ୍ଧ୍ୟାବେଳେ ଦେଖିବାକୁ ମିଳିଛି। ଏହାକୁ ନେଇ ବାରିପଦାରେ ଅସନ୍ତୋଷ ଏବଂ ଚର୍ଚ୍ଚା ଦେଖାଦେଇଛି। ଉକ୍ତ ସମାଧୀପୀଠରେ ମହାରାଜା ଶ୍ରୀରାମଚନ୍ଦ୍ର, ମହାରାଣୀ ଲକ୍ଷ୍ମୀ କୁମାରୀ ଏବଂ ତାଙ୍କ ଝିଅ ଶ୍ରୀପଦ ମଞ୍ଜରୀଙ୍କ ସ୍ମୃତିପୀଠ ରହିଛି। ତେଣୁ କୌଣସି ଅସାମାଜିକ ତତ୍ତ୍ବ ଗୁପ୍ତଧନ ଆଶାରେ ଏପରି କରିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ରାଜା ମହାରାଜାଙ୍କ ସ୍ମୃତିପୀଠରେ ବିଭିନ୍ନ ଅଳଙ୍କାର ରଖାଯାଉଥିବା ଲୋକେ କୁହନ୍ତି। ତେଣୁ ସେଠାରୁ ଧନ ଲୋଭରେ ଅସାମାଜିକ ବ୍ୟକ୍ତିମାନେ ଏପରି କରିଥିବା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।

ତେବେ ମୟୂରଭଞ୍ଜର ପ୍ରାତଃସ୍ମରଣୀୟ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ସ୍ମୃତିପୀଠରେ ଏପରି କାର୍ଯ୍ୟକୁ ସର୍ବସାଧାରଣରେ ନିନ୍ଦା କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀକୁ ଠାବ କରିବାକୁ ଦାବି ହୋଇଛି। ଏପରିକ ଏହି ସ୍ମୃତିପୀଠରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯୋଗାଇଦେବାକୁ ଦାବି ହୋଇଛି। ଘଟଣାସମ୍ପକରେ ସୂଚନା ପାଇବା ପରେ ବହୁସଂଖ୍ୟାରେ ସ୍ଥାନୀୟ ଜନତାଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଘଟଣାସ୍ଥଳରେ ପହଞ୍ଚି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏପରିକି ବାରିପଦା ଟାଉନ୍‌ ଥାନା ପୁଲିସ୍‌ ମଧ୍ୟ ସ୍ମୃତିପୀଠରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କୌଣସି ଅସାମାଜିକ ଲୋକ ଅଳଙ୍କାର କିମ୍ବା କୌଣସି ଗୁପ୍ତଧନ ଲୋଭରେ ଏପରି କରିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ଘଟଣାସ୍ଥଳରେ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛନ୍ତି। ସେହିପରି ସମଗ୍ର ମୟୂରଭଞ୍ଜର ଭାବନା ଜଡ଼ିତ ଥିବା ଏହି ସ୍ମୃତିପୀଠର ସୁରକ୍ଷା ଏବଂ ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଅଗ୍ରଣୀ ସାମାଜିକ ସଂଗଠନ ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଏହି ପୀଠର ସୁରକ୍ଷା ନେଇ ଭଞ୍ଜସେନା ଏକାଧିକବାର ସ୍ବର ଉତ୍ତୋଳନ କରିଛି।

ସମ୍ବନ୍ଧିତ ଖବର