ଶିଆଳି ବେଳାଭୂମିରେ କଇଁଛ ମଡ଼କ! ବନ ବିଭାଗ କରୁନି କାରଣ ଅନୁଧ୍ୟାନ

ଏରସମା: ଏରସମା ବ୍ଲକ୍‌ର ରାମତରାର ମିରା ସି ବିଚ୍, ଜଗନ୍ନାଥ ସି ବିଚ୍, ଶରବନ୍ତ, ହାୱାଖାନା ଓ ଶିଆଳି ବେଳାଭୂମିରେ ଏବେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ ଦେହ ବିକ୍ଷିପ୍ତ ଭାବେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏତେ ସଂଖ୍ୟାରେ କଇଁଛଙ୍କ ମୃତ ଦେହ ଯୋଗୁଁ ପରିବେଶ୍‌ବିତ୍‌ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କଇଁଛଙ୍କ ମିଳନ ଋତୁ ଓ ଅଣ୍ଡା ଦିଆ ପର୍ବ ଆରମ୍ଭ ହୋଇଥିବା ବେଳେ ବେଳାଭୂମି ଠାରୁ ସମୁଦ୍ର ଭିତର ୨୦ କିମି ପର୍ଯ୍ୟନ୍ତ ମାଛଧରା ବୋଟ୍‌, ଟ୍ରଲର୍‌ ପ୍ରବେଶ ଓ ମାଛଧରାକୁ ନିଷିଦ୍ଧ କରାଯାଇଛି। ଏହା ସତ୍ବେ ମାଛଧରା ଟ୍ରଲର୍‌ଗୁଡ଼ିକର ଅବାଧ ବିଚରଣ ଦେଖିବାକୁ ମିଳୁଛି। ଏହି ଟ୍ରଲର୍‌ରେ ମାଡ଼ ହୋଇ କଇଁଛଗୁଡ଼ିକ ମରି ଭାସୁଥିବା କୁହାଯାଉଛି। ଶହଶହ ସଂଖ୍ୟାରେ କଇଁଛଙ୍କ ମୃତ ଦେହଗୁଡ଼ିକ ବେଳଭୂମିରେ ପଡ଼ି ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି।

ବିଶେଷକରି ଶିଆଳି ବେଳାଭୂମିକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ଅଶ୍ବସ୍ତିକର ପରିବେଶ ସୃଷ୍ଟି କରୁଛି। ଅନ୍ୟପକ୍ଷରେ କାଁ ଭାଁ ଧୀବର ମାଛ ମାରିବାକୁ ଯାଉଥିବା ବେଳେ ଏବର୍ଷ ଏତେ ସଂଖ୍ୟାରେ କଇଁଛ ମରିବା ଘଟଣାକୁ ପରିବେଶବିତ୍‌ମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏପରିକି ବନ ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରକାର ସ୍ଥିତି ଅନୁଧ୍ୟାନ କିମ୍ବା ବିହିତ ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ।
ସ୍ଥାନୀୟ ସରପ‌ଞ୍ଚ କେଶବ ପାତ୍ର ନିଜସ୍ବ ଉଦ୍ୟମରେ ବେଳାଭୂମିରୁ ମୃତ କଇଁଛଗୁଡ଼ିକୁ ସଫା କରୁଥିବା ବେଳେ ଗ୍ରାମେଶ୍ବର ଯୁବ ବାହିନୀର ସଦସ୍ୟମାନେ ମଧ୍ୟ ବେଳାଭୂମିରେ ଲାଗିଥିବା ମଲାକଇଁଚ ଗୁଡିକୁ ଉଠାଇ ପୋତିଥିଲେ। ମାତ୍ର ସରକାରଙ୍କ ତରଫରୁ ବେଳାଭୂମିକୁ ସଫା କରିବା ପାଇଁ କୌଣସି ଉଦ୍ୟମ ହେଉନଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ତୁରନ୍ତ ବେଳାଭୂମିରେ ଭାସି ଲାଗି ରହୁଥିବା କଇଁଛଗୁଡ଼ିକୁ ଏକାଠି ପୋଡ଼ିବା ପୋତିବା ଦିଗରେ ବନ ବିଭାଗ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର