ଖୋର୍ଦ୍ଧା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ଆଜି ନାମାଙ୍କନପତ୍ରର ଯାଞ୍ଚ କରାଯାଇଛି। ତେବେ ନିର୍ବାଚନ ନେଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ତତ୍ପରତା କିମ୍ବା ଗମ୍ଭୀରତା ଦେଖିବାକୁ ମିଳୁନାହିଁ। ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଯାଞ୍ଚ ବିଳମ୍ବରେ ଆରମ୍ଭ ହୋଇଥିବା ଓ ଦୀର୍ଘ ସମୟ ଅପେକ୍ଷା କରିବାକୁ ନେଇ ବିଭିନ୍ନ ଦଳର ପ୍ରାର୍ଥୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗତକାଲି ନାମାଙ୍କନପତ୍ର ଦାଖଲ ଶେଷ ହୋଇଥିଲା। ଶେଷ ଦିନରେ ରେକର୍ଡ ସଂଖ୍ୟକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। କିନ୍ତୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଉପଜିଲ୍ଲାପାଳଙ୍କ ସମେତ ସମସ୍ତ କର୍ମଚାରୀ ପ୍ରାୟ ସାଢ଼େ ୫ଟା ବେଳକୁ କାର୍ଯ୍ୟାଳୟ ବନ୍ଦ କରି ଘରକୁ ଚାଲି ଯାଇଥିଲେ। ଆଜି ନାମାଙ୍କନପତ୍ର ଯାଞ୍ଚ ଥିବାରୁ ସକାଳୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ପ୍ରାର୍ଥୀ, ସେମାନଙ୍କ ସମର୍ଥକ, ପ୍ରସ୍ତାବକଙ୍କ ଭିଡ଼ ଲାଗିଥିଲା।
କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟରେ ଖୋଲିଥିଲେ ମଧ୍ୟ ଯାଞ୍ଚ କାର୍ଯ୍ୟ ସାଢ଼େ ୧୨ଟା ବେଳକୁ ଆରମ୍ଭ ହୋଇଥିଲା। ଫଳରେ ଯାଞ୍ଚ ବିଳମ୍ବିତ ସନ୍ଧ୍ୟା ଯାଏଁ ଚାଲିଥିଲା। ଏହାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଯେଉଁ ଭଳି ଗମ୍ଭୀରତା ଓ ତତ୍ପରତା ଦେଖାଇବା କଥା ସେଭଳି ପ୍ରଶାସନିକ ଅଧିକାରୀଙ୍କ ଠାରେ ଦେଖିବାକୁ ମିଳୁନଥିବା ନେଇ ପ୍ରାର୍ଥୀମାନେ ଅଭିଯୋଗ କରିଥିଲେ। ତେବେ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ସନ୍ଧ୍ୟାସୁଦ୍ଧା ଯାଞ୍ଚରେ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ଦାଖଲ କରିଥିବା ଖୋର୍ଦ୍ଧା ଉପଖଣ୍ଡର ୧୯ଟି ବିଭିନ୍ନ ଜୋନ୍ରେ ୯୨ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି। ୮୦ ଜଣଙ୍କ ପ୍ରାର୍ଥୀପତ୍ର କାୟମ ରହିଥିବା ଜଣାଯାଇଛି। ତେବେ କେଉଁ ପ୍ରାର୍ଥୀଙ୍କ କାଏମ ରହିଛି ସେମାନଙ୍କ ତାଲିକା ଆଜି ପ୍ରକାଶ ପାଇପାରିନାହିଁ। ଆସନ୍ତାକାଲି ପ୍ରକାଶ ପାଇବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/election-ffaaa.jpg)