ମାଙ୍କଡ଼ା ପଥର ଚୋରା ଚାଲାଣ ଧରପଗଡ଼, ପୁଣି ଖସିଲେ ମାଲିକ

୨୫ ଦିନରେ ଗିରଫ ହେଲେ ୨୨ ଚାଳକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ମାଙ୍କଡ଼ା ପଥର ମାଫିଆଙ୍କ ରାଜତ୍ୱ ଉପରେ ଲଗାମ ଲଗାଇବାକୁ ପୁଲିସ ପ୍ରଶାସନ ବିଫଳ ହୋଇଛି। ଧରପଗଡ଼ରେ ଟ୍ରକ୍ ଜବତ କରାଯାଇ ଟ୍ରକ ଚାଳକ କିମ୍ବା ହେଲପରଙ୍କୁ ଗିରଫ କରାଯାଉଛି, କିନ୍ତୁ ବେଆଇନ ମାଙ୍କଡ଼ା ପଥର ଖଣି ମାଲିକ କିମ୍ବା ଚାଲାଣ କରୁଥିବା ଟ୍ରକର ମାଲିକଙ୍କୁ ଧରିବାରେ ପୁଲିସ ପ୍ରଶାସନ ଫେଲ୍ ମାରିଛି। ଗତକାଲି ଖୋର୍ଦ୍ଧାା ଆରକ୍ଷୀ ଅଧୀକ୍ଷକ ନିଜର ଟୁଇଟର ହ୍ୟାଣ୍ଡଲରେ ସୂଚନା ଦେଲେ ଯେ ଗତମାସ ମଧ୍ୟରେ ବେଆଇନ ମାଙ୍କଡ଼ା ପଥର ଚାଲାଣ ଧରପଗଡ଼ରେ ଖୋର୍ଦ୍ଧା ଗ୍ରାମାଞ୍ଚଳ ପୁଲିସ ୧୩ଟି ବିଭିନ୍ନ ମାମଲାରେ ୨୨ଜଣଙ୍କୁ ଗିରଫ କରାଯାଇଛି। ୨୪ଟି ଟ୍ରକ୍, ୩ଟି ଜେସିବି ଓ ୪ଟି ପାୱାରଟିଲର ଓ ୨ଟି ମୋଟରସାଇକଲ ଜବତ କରାଯାଇଛି। ତେବେ ଏହାକୁ ନେଇ ଜନସାଧାରଣ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ରାମଚନ୍ଦ୍ର ବେହେରା କହିଛନ୍ତି ଯେ, ୨୪ଟି ଟ୍ରକ୍‌ରେ ଚାଳକ ଓ ହେଲ୍ପର ମିଶାଇ ୪୮, ୩ଟି ଜେସିବିରେ ୬ଜଣ ଅପରେଟର, ସେହିଭଳି ପାୱାର ଟିଲର ଚଳାଇବା ଲୋକଙ୍କୁ ମିଶାଇ ୬୦ଜଣ ଲୋକ ଗିରଫ ହେବା କଥା, କିନ୍ତୁ ୨୨ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩୮ଜଣ ନିଶ୍ଚିତ ଭାବେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଯଦିଓ ରାମଚନ୍ଦ୍ରଙ୍କ ଏହି ମନ୍ତବ୍ୟ ଏକ ଆନୁମାନିକ ହେଲେ ହେଁ, ପୁଲିସର ପରିସଂଖ୍ୟାନରେ ୨ ତାରିଖ ଠାରୁ ୨୫ ତାରିଖ ମଧ୍ୟରେ, ନିରାକାପୁର ଥାନାରେ ୩ଟି ମାମଲରେ ୩ଜଣ ଗିରଫ ହୋଇଥିବା ୩ଟି ଗାଡ଼ି ଓ ୨ଜଣ ଗିରଫ ହୋଇଛନ୍ତି।

ବୋଲଗଡ଼ରେ ଗୋଠିଏ ମାମଲାରେ ଜଣେ ଗିରଫ ହୋଇଥିବା ବେଳେ ଗୋଟିଏ ଟ୍ରକ, ବେଗୁନିଆ ଥାନାରେ ୨ଟି ମାମଲାରେ ୧୧ଟି ଗାଡ଼ି ଓ ୫ଜଣ ଗିରଫ, ବାଘମାରୀ ଥାନରେ ଗୋଟିଏ ମାମଲାରେ ଜଣେ ଗିରଫ ଓ ଗୋଟିଏ ଟ୍ରକ ଜବତ, ସଦର ଥାନାରେ ୩ଟି ମାମଲାରେ ୧୧ଟି ଗାଡ଼ି ଓ ୮ଜଣ ଗିରଫ, ଜଙ୍କିଆ ଥାନରେ ୨ଟି ମାମଲାରେ ୩ଟି ଟ୍ରକ୍ ଓ ୨ଜଣ ଗିରଫ, ଟାଙ୍ଗୀ ଥାନାରେ ଗୋଟିଏ ମାମଲାରେ ୩ଟି ଟ୍ରକ୍ ଓ ୩ଜଣ ଗିରଫ ହୋଇଛନ୍ତି। ଏହି ସମସ୍ତ ମାମଲାରେ, ଆଶ୍ଚର୍ଯ୍ୟଜନକ ଭାବେ କୌଣସି ବେଆଇନ ଖଣି ମାଲିକ କିମ୍ବା ବେଆଇନ ଚାଲାଣ କରୁଥିବା ଟ୍ରକ ମାଲିକ ଗିରଫ ହୋଇନାହାଁନ୍ତି। ଖୋର୍ଦ୍ଧାରେ ଚାଲୁଥିବା ବେଆଇନ ମାଙ୍କଡ଼ା ପଥର ଖଣିରେ କେବଳ ଚାଳକଙ୍କୁ ଧରି ଜୋରିମାନା ଆଦାୟ କରାଯାଉଥିବା ଏବଂ ବେଆଇନ ଖଣି ଓ ମାଲିକଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଉନଥିବା ନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ ଅନେକ ଥର ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଏପରିକି ପ୍ରଶାସନ ପଥର ମାଫିଆଙ୍କୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଛି ବୋଲି ନିଜ ରାୟରେ ମନ୍ତବ୍ୟ ଦେଇଛନ୍ତି। ଏପରିସ୍ଥଳେ ପୁଲିସ ପକ୍ଷରୁ ଏହି ଧରପଗଡ଼ କେବଳ ଧର୍ମକୁ ଆଖିଠାର ଭଳି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର