ଜୟପୁର: ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ସାପ୍ତାହିକ ହାଟ ବନ୍ଦ ରଖିବାକୁ ଏବଂ ହାଟ ଚାଳୁଥିବା ସ୍ଥାନରେ ୧୪୪ ଧାରା ଲଗାଇବାକୁ ବି ନିର୍ଦେଶ ଦେଇଛନ୍ତି। ଏହା ବାଦେ ବି ଆଜି ଜୟନ୍ତଗିରୀ ସାପ୍ତାହିକ ହାଟ ପାର୍ଶ୍ବରେ ଥିବା ୨ଟି ପାହାଡ଼ ମଧ୍ୟର ଖୋଲା ପଡ଼ିଆରେ ଗୋରୁଗାଇ କିଣାବିକା ଚାଳୁଥିଲା। ଏହି ଖବର ପାଇବା ପରେ ଅଚନାକ ଭାବେ ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ସୁପରଭାଇଜର ଟୁନ୍ନା ପଟ୍ଟନାୟକ, ଜୟନ୍ତଗିରୀ ଆରଆଇ ଗୁପ୍ତ ଶଙ୍କର ତ୍ରିପାଠୀ ପ୍ରମୁଖ ଚଢ଼ାଉ କରିଥିଲେ।
ହାଟରେ ଗୋରୁ ଗାଇ ଥିବା ଦେଖି ଏହାକୁ ବନ୍ଦ କରି କଡ଼ା ତାଗିଦ୍ କରି ବେପାରୀଙ୍କୁ ପଠାଇଥିଲେ। ସେଭଳି ପୁଜାରୀପୁଟ-ଜୟନ୍ତଗିରୀ ରାସ୍ତାରେ ଥିବା କାଜୁ ମିଲରେ ଚଢ଼ାଉ କରି ଯାଂଚ କରିବା ବେଳେ ଏଠାରେ କାମ କରୁଥିବା ଶ୍ରମିକ ମାନେ ବିନା ମାସ୍କରେ କାମ କରୁଥିଲେ। ଏହା ଦେଖି ତହସିଲଦାର ୨୦ ହଜାର ଟଙ୍କାର ଜୋରିମାନା ଆଦାୟ କରିଥିଲେ। ଏହି ଅଂଚଳରେ ବିନା ରିଆଲିଟିରେ ଆସୁଥିବା ବାଲି ଟ୍ରାକ୍ଟରରୁ ୫ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା। ସେଭଳି ଜୟନ୍ତଗିରୀ ନିକଟସ୍ଥ କାଜୁମିଲରେ ଚଢ଼ାଉ କରିବାରେ ସେଠାରେ ଶ୍ରମିକ ମାନେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା।