କେନ୍ଦ୍ରାପଡ଼ା: ପାଖାପାଖି ଛଅ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବିଜେଡି ନେତୃତ୍ବରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲ୍ଟିରେ କାଉନସିଲ୍ ଗଠନ ହେବାକୁ ଯାଉଛି। ଯଦିଓ ଏଯାଏ କାଉନସିଲ୍ ବୈଠକ ହୋଇନାହିଁ, କିନ୍ତୁ ବୁଧବାର ପୌରାଧୢକ୍ଷା ଭାବେ ସରିତା ସାହୁ ଦାୟିତ୍ବ ଗ୍ରହଣ କରି ସାରିଛନ୍ତି। ଆସନ୍ତା ୭ତାରିଖରେ ପ୍ରଥମ କାଉନସିଲ୍ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ନିର୍ବାଚିତ କାଉନସିଲର୍ ମାନେ ଶପଥ ନେବେ। କିନ୍ତୁ ଏହି ନୂଆ କାଉନସିଲ୍କୁ ନିରେଖି ଦେଖିଲେ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ୨୦ଜଣ ଯାକ କାଉନସିଲର୍ ନବାଗତ। ପ୍ରଥମଥର କାଉନସିଲକୁ ନିର୍ବାଚିତ ହୋଇଛନ୍ତି। ପୌରାଧୢକ୍ଷା ବି ଏହି ନୂଆ ତାଲିକାରେ ଅଛନ୍ତି। ପୂର୍ବରୁ କେବେ ଏମାନେ କାଉନସିଲର୍ ରୂପେ ନିର୍ବାଚିତ ହୋଇନାହାନ୍ତି। ହେଲେ କୌତୂହଳର ବିଷୟ ହେଉଛି ଯେ ନିର୍ବାଚିତ କାଉନସିଲରଙ୍କ ମଧୢରେ ପାଞ୍ଚ ଜଣ ମହିଳା ଏଭଳି ଅଛନ୍ତି, ଯେଉଁମାନଙ୍କର ସ୍ବାମୀ ପୂର୍ବରୁ କାଉନସିଲର୍ ଥିଲେ। ପୌରାଧୢକ୍ଷା ଶ୍ରୀମତୀ ସାହୁ ବି ଏଥିରେ ସାମିଲ୍ ଅଛନ୍ତି। ତାଙ୍କ ସ୍ବାମୀ ର˚ଜିତ୍ ସାହୁ ବି ପୂର୍ବରୁ ତିନି ଥର କାଉନସିଲର୍ ହୋଇଛନ୍ତି। ମୋଟାମୋଟି କେନ୍ଦ୍ରାପଡ଼ା ମ୍ୟୁନିସିପାଲ୍ଟି କାଉନସିଲ୍ରେ ପୌରାଧୢକ୍ଷାଙ୍କ ସମେତ ୨୦ଜଣ ନୂଆ ଚେହେରାଙ୍କୁ ଏଥର ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ମ୍ୟୁନିସିପାଲ୍ଟିରେ ମୋଟ୍ ଵାର୍ଡ ସ˚ଖ୍ୟା ହେଉଛି ୨୧। ସେଥିମଧୢରୁ ୧୨ଜଣ ମହିଳା ଓ ୯ଜଣ ପୁରୁଷ କାଉନସିଲର୍ ଅଛନ୍ତି। ଜଣେ ପୁରୁଷ କାଉନସିଲରଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ପୁରୁଷ ଓ ମହିଳା କାଉନସିଲର ନୂଆ। ମହିଳାଙ୍କ କାଉନସିଲର୍ଙ୍କ ମଧୢରେ ପାଞ୍ଚ ଜଣଙ୍କ ସାମୀ ପୂର୍ବତନ କାଉନସିଲ୍ ଅଛନ୍ତି। ତେବେ ଯେଉଁ ଜଣେ କାଉନସିଲର୍ ଦ୍ବିତୀୟବାର ଏଥର କାଉନସିଲ୍କୁ ନିର୍ବାଚିତ ହୋଇଛନ୍ତି, ସେ ହେଉଛନ୍ତି ସ୍ବାଧୀନ ଭାବେ ୨ନମ୍ବର ଵାର୍ଡରୁ ଜିତିଥିବା କାଳୀପ୍ରସାଦ ମିଶ୍ର। ଗତ ୨୦୧୧ରୁ ୨୦୧୬ଯାଏ ସେ ୧ନମ୍ବର ଵାର୍ଡରୁ ବିଜେଡି କାଉନସିଲର୍ ଥିଲେ। ଅନ୍ୟପକ୍ଷରେ ୪ନମ୍ବର ଵାର୍ଡରୁ ସ୍ବାଧୀନ ଜିତିଥିବା ଶୁଭଶ୍ରୀ ନିବେଦିତା ସ୍ବାଇଁ ନୂଆ ହୋଇଥିବା ବେଳେ ତାଙ୍କ ସ୍ବାମୀ ଦେବେନ୍ଦ୍ର ରାଉତ କିନ୍ତୁ ପୂର୍ବତନ କାଉନସିଲର୍। ୨୦୧୧ରେ ସେ ବିଜେଡିରୁ କାଉନସିଲର୍ ଥିଲେ। ୭ନମ୍ବର ଵାର୍ଡର କାଉନସିଲର୍ ହେଉଛନ୍ତି ଜୟନ୍ତୀ ପାଣି। କ˚ଗ୍ରେସରୁ ପ୍ରଥମଥର ପାଇଁ ଶ୍ରୀମତୀ ପାଣି କାଉନସିଲର୍ ଜିତିଥିଲେ ବି ତାଙ୍କ ସ୍ବାମୀ ସୌମେନ୍ଦ୍ର ପୃଷ୍ଟି କିନ୍ତୁ ପୂର୍ବତନ କାଉନସିଲର୍। ୨୦୦୬ରୁ ୨୦୧୧ଯାଏ ସେ କ˚ଗ୍ରେସ କାଉନସିଲର୍ ଥିଲେ। ଅନୁରୂପ ଚିତ୍ର ୧୦ନମ୍ବର ଵାର୍ଡରେ ବି ଦେଖିବାକୁ ମିଳିଛି। ଏହି ଵାର୍ଡରୁ ସ୍ବାଧୀନରୁ ନୂଆ କରି ଜିତିଛନ୍ତି ରସ୍ମିତା ସି˚ହ। ତାଙ୍କ ସ୍ବାମୀ ପ୍ରଶାନ୍ତ ସି˚ହ ୨୦୦୬-୧୧ଯାଏ ବିଜେପି କାଉନସିଲର୍ ଥିଲେ। ୧୧ନମ୍ବର ଵାର୍ଡରୁ କାଉନସିଲର୍ ହୋଇଥିବା ପୁଷ୍ପାଞ୍ଜଳି ବସ୍ତିଆ ହେଉଛନ୍ତି ପୂର୍ବତନ କାଉନସିଲର୍ ହିରଣ୍ୟ କୁମାର ପଣ୍ତାଙ୍କ ପତ୍ନୀ। ହିରଣ୍ୟ ୨୦୧୧-୧୬ଯାଏ ବିଜେଡି କାଉନସିଲର୍ ଥିଲେ। ଅନୁରୂପ ଭାବେ ୧୬ନମ୍ବରରୁ କ˚ଗ୍ରେସରୁ ଜିତିଥିବା ଫରଜାନା ଖାତୁନ୍ ନୂଆ ହୋଇଥିଲେ ବି ତାଙ୍କ ସ୍ବାମୀ ଜଣେ ଅଭିଜ୍ଞ କାଉନସିଲର୍। ଲଗାତର ଦୁଇ ଥର ୨୦୦୬ ଓ ୨୦୧୧ରେ କ˚ଗ୍ରେସରୁ କାଉନସିଲର୍ ଜିତିଛନ୍ତି। ଏହାବାଦ୍ ଅନ୍ୟ ଯେଉଁମାନେ ବି କାଉନସିଲର୍ ହୋଇଛନ୍ତି, ସମସ୍ତେ ନୂଆ। ପ୍ରଥମଥର କାଉନସିଲ୍କୁ ନିର୍ବାଚିତ ହୋଇଥିବା ବେଳେ ଆସନ୍ତା ୭ତାରିଖରେ ପ୍ରଥମ କାଉନସିଲ୍ ବୈଠକ ବସିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଏହି ବୈଠକରେ ସମସ୍ତ କାଉନସିଲର୍ ଶପଥ ନେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।
କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି କାଉନସିଲ୍: ଜଣେ ପୁରୁଣା, ୨୦ ନୂଆ, ୭ରେ ନେବେ ଶପଥ
୨୧ରୁ ୧୨ମହିଳା; ପାଞ୍ଚ ଜଣଙ୍କ ସ୍ବାମୀ ପୂର୍ବତନ କାଉନସିଲର୍
/sambad/media/post_attachments/wp-content/uploads/2022/04/IMG-20210630-WA0033084006.jpg)