ଲଗାଣ ବର୍ଷା : କଟକରେ ସାଢ଼େ ୨୧ ହଜାର ଲୋକ ପ୍ରଭାବିତ, ପାଣିରେ ବୁଡ଼ିଛି ଚାଷଜମି; ୬୮ଟି ରାସ୍ତା ଭାଙ୍ଗିଛି

କଟକ: ବର୍ଷା ଦ୍ବାରା ପ୍ରଭାବିତ ହୋଇଛନ୍ତି କଟକ ଜିଲ୍ଲାର ୭ଟି ବ୍ଲକ୍‌ର ୫୮ଟି ପଞ୍ଚାୟତର ୨୧ହଜାର ୫୯୬ଜଣ ଲୋକ। ଜିଲ୍ଲାର ସାପୁଆ, ଗୋବରୀ, କଣ୍ଟିଆ, ଗେଙ୍ଗୁଟୀ ଆଦି ନଦୀରେ ବନ୍ୟା ଯୋଗୁଁ ହେକ୍ଟର ହେକ୍ଟର ଚାଷ ଜମି ବୁଡି ରହିଛି। କଟକ ମହାନଗର ନିଗମ ସମେତ ଚୌଦ୍ବାର ପୌରାଞ୍ଚଳ, ବାଙ୍କୀ ଓ ଆଠଗଡ଼ ଏନ୍‌ଏସିର ୭୧ଟି ୱାର୍ଡ ପ୍ରଭାବିତ ହୋଇଥିବାବେଳେ କଟକ ସଦର, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନିଆଳି, ଟାଙ୍ଗୀ-ଚୌଦ୍ବାର ଓ ତିଗିରିଆ ବ୍ଲକର ୫୮ଟି ପଞ୍ଚାୟତର ୮୪ ଗାଁ ପ୍ରଭାବିତ ହୋଇଛି। ଜିଲ୍ଲାର ୩୧ ହଜାର ୨୦୨ ହେକ୍ଟର ଚାଷ ଜମି ବର୍ଷା ଜଳରେ ବୁଡି ରହିଥିବା କୃଷି ବିଭାଗ ରିପୋର୍ଟ କହୁଛି। ବଡମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରର ପାହାଚ ପର୍ଯ୍ୟନ୍ତ ପାଣି ଆସିଥିବା ଜଣାପଡିଛି। ଅନ୍ୟପଟେ ମାଛ ଧରୁଥିବାବେଳେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ନତକାଇ ଗ୍ରାମର ସଞ୍ଚୟ କୁମାର ରାଉତ୍‌ ନିଖୋଜ ହୋଇଯାଇଥିବା ଜଣାପଡିଛି।

ଅନ୍ୟପଟେ କାନ୍ଥ ପଡି ମାହାଙ୍ଗା ବ୍ଲକ୍‌ରେ ତିନୋଟି ଛେଳିଙ୍କ ମୃତ୍ୟୁ ଘଟିଛି। ଜିଲ୍ଲାରେ ସହରରୁ ୧୨ହଜାର ୮୭୩ ଓ ଗ୍ରାମାଞ୍ଚଳରୁ ୮୭୨୩ଜଣ ପ୍ରଭାବିତ ହୋଇଥିବାବେଳେ ୮୫୩୯ଜଣ ପାଣିରେ ଘେରରେ ରହିଛନ୍ତି। ଆଠଗଡ଼ ବ୍ଲକ୍‌ରେ ସର୍ବାଧିକ ୪ଟି ପଞ୍ଚା‌ୟତର ୧୬ଟି ଗାଁର ୫ହଜାର ୧୮୫ଜଣ ପ୍ରଭାବିତ ହୋଇଥିବା ଜଣାପଡିଛି। ଆଠଗଡ଼, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍‌ର ୧୪ହଜାର ୩୯୨ ହେକ୍ଟର ଚାଷ ଜମି ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଥିବାବେଳେ ୧୫ଟି ଘର ସଂପୂର୍ଣ୍ଣ, ଗୁରୁତର ଭାବେ ୪୦ଟି, ଆଂଶିକ ଭାବେ ୪୬୮ଟି ଘର ଭାଙ୍ଗିଛି। ଆଠଗଡ଼, ସାଲେପୁର, କଟକ ସଦର ଓ ନିଆଳି ବିଡିଓଙ୍କ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ସହରରେ ୫ଟି ରାସ୍ତା ଓ ଗ୍ରାମାଞ୍ଚଳର ୪ଟି ବ୍ଲକ୍‌ ନରସିଂହପୁର, ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ କଟକ ସଦର ବ୍ଲକ୍‌ର ୬୩ଟି ରାସ୍ତା ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଛି। ସେହିପରି ନରସିଂହପୁର ବ୍ଲକ୍‌ର ୭ଟି ସ୍କୁଲ ଗୃହ ବର୍ଷା ଦ୍ବାରା ପ୍ରଭାବିତ ହୋଇଥିବା ପ୍ରଶାସନ ପକ୍ଷରୁ ପ୍ରାଥମିକଭାବେ ଆକଳନ କରାଯାଇ ଏସ୍‌ଆରସିଙ୍କୁ ରିପୋର୍ଟ ଦିଆଯାଇଛି। ଅନ୍ୟପଟେ ୧୧ଟି ସ୍ଥାନରେ ମାଗଣା ଖାଦ୍ୟ ଦିଆଯାଇଥିବା ବେଳେ ସହର ସମେତ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର