ଏରସମା: ୧୯୯୯ ମସିହା ଅକ୍ଟୋବର ୨୮, ୨୯ ଓ ୩୦ ତାରିଖ। ଏହି ତିନିଦିନ ଭିତରେ ଛାରଖାର ହୋଇଗଲା ଏରସମା ଅଂଚଳ। ଠିକ୍ ୨୧ବର୍ଷ ତଳେ ଆଜିର ଦିନରେ ଜଗତସିଂହପୁର ଜିଲ୍ଲା ଦେଖିଥିଲା ପ୍ରକୃତିର କରାଳ ରୂପ। ପ୍ରକୃତିର ଏହି ତାଣ୍ତବରେ ଜଗତସିଂହପୁର ଜିଲ୍ଲ ଏରସମା ଅଞ୍ଚଳ ମୃତ୍ୟୁର ଉପତ୍ୟକା ସାଜିଥିଲା। ସେଦିନର ଦୃଶ୍ୟ ମନେପଡିଲେ ଲୋମ ଟାଙ୍କୁରି ଉଠେ। ସେହି ବାତ୍ୟା ବିଧ୍ବସ୍ତ ଗାଁକୁ ଗଲେ ଗ୍ରାମବାସୀ କେବଳ ବଖାଣନ୍ତି ସେହି ଛାତିଥରା କଥା। ପ୍ରଳୟର ଦୃଶ୍ୟ ତାଜା କରେ। ସମୁଦ୍ରରୁ କିପରି ୩୦ ଫୁଟର ଜୁଆର ମାଡ଼ି ଆସି ଆଖି ପିଛୁଳାକେ ସାରା ଏରସମା ଅଂଚଳକୁ ଜଳମଗ୍ନ କରି ଦେଇଥିଲା। କିଛି ଭାବିବା ପୁର୍ବରୁ ସମୁଦ୍ର ପାଣିରେ ଭାସି ଯାଇଥିଲେ ଜଣକ ପରେ ଜଣେ। ପରିବାର ସଦସ୍ୟ ଭାସିଯିବା ବେଳେ ଘରଦ୍ବାର, ଗାଡ଼ି, ଘୋଡ଼ା, ସୁନା ଅଳଙ୍କାର, ଆସବାବପତ୍ର ସମୁଦ୍ରରେ ଏକାକାର ହୋଇ ଯାଇଥିଲା। ପାଣି ଛାଡ଼ି ଯିବା ପରେ କୁଢ଼କୁଢ଼ ଶବ ପଡ଼ି ରହିଥିଲା। ଯେଉଁମାନେ ବଞ୍ଚି ଯାଇଥିଲେ ସେମାନେ ନିଜର ଲୋକଙ୍କୁ ଖୋଜି ଆର୍ତଚିତ୍କାର କରୁଥିଲେ। ସମଗ୍ର ଅଞ୍ଚଳ ଅନ୍ଧକାରରେ ବୁଡ଼ି ରହିଥିଲା। ଏମିତିକି ଶବ ଖାଇବାକୁ ବିଲୁଆ, କୁକୁର ମଧ୍ୟ ନଥିଲେ। ଏସବୁ ଏକା ନିଃଶ୍ବାସରେ କହିଯିବା ପରେ ଗ୍ରାମବାସୀ ପ୍ରଶାସନ ଉପରେ ଅସନ୍ତୋଷ ଝାଡ଼ନ୍ତି । ଦୀର୍ଘ ୨୧ ବର୍ଷ ପରେ ଏବେବି ସେହି ଅଞ୍ଚଳର ବିକାଶ କାମ ଆଗକୁ ବଢ଼ିପାରିନାହିଁ। ପିଇବା ପାଣି, ରାସ୍ତା, ବିଦ୍ୟୁତ ସେବା ଓ ଆବାସ ଯୋଜନା ଭଳି ସର୍ବନିମ୍ନ ସୁବିଧା ସୁଯୋଗରୁ ଅଞ୍ଚଳବାସୀ ବଞ୍ଚିତ ଥିବା ଦର୍ଶାଇ କ୍ଷୋଭ ବଖାଣନ୍ତି। ଏହି ବ୍ଲକର ପ୍ରଳୟ ରଚିଥିବା ପଦ୍ମପୁର ପଞ୍ଚାୟତର ଶଙ୍ଖା ଗ୍ରାମର ଦୁର୍ଦ୍ଦଶା ସ୍ବଚକ୍ଷୁରେ ନଦେଖିଲେ ବିଶ୍ବାସ କରିହେବ ନାହିଁ। ସେଠାରେ ପ୍ରଶାସନର ଅବହେଳାରୁ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତନାହିଁ। ଅଞ୍ଚଳରେ ପିଇବା ପାଣି ଓ ବିଦ୍ୟୁତ ସେବାରେ ଅଦ୍ୟାବଧି ସୁଧାର ଆସିନାହିଁ। ସରକାରଙ୍କ ଆବାସ ଯୋଜନାରୁ ଅନେକ ବଞ୍ଚିତ ଅଛନ୍ତି। ବାତ୍ୟା ଆଶ୍ରୟ ସ୍ଥଳୀଟିଏ ନଥିବାରୁ ପ୍ରତି ବର୍ଷ ଲଘୁଚାପ ବର୍ଷା ଓ ବାତ୍ୟା ଆସିଲେ ଆତଙ୍କିତ ଅବସ୍ଥାରେ ଲୋକମାନେ ପିଲାଛୁଆ ଧରି ୪ କିମି ଦୂର ଆମ୍ବିକି ପଂଚାୟତର ଚାଉଳିଆ ଗ୍ରାମକୁ ଦୌଡ଼ିଥାନ୍ତି।
ରାସ୍ତା ନଥିବାରୁ ନଦୀ ବନ୍ଧ କିମ୍ବା ଚିଙ୍ଗୁଡି ଘେରି ବନ୍ଧରେ ଯାତାୟାତ କରିବାକୁ ପଡ଼ୁଛି। ଏହି ଗ୍ରାମରେ ମହାବାତ୍ୟାରେ ୧୦୭ ଜଣ ପ୍ରାଣ ହରାଇଥିଲେ। ଶଙ୍ଖା ନଦୀରେ ଏକ ପକା ପୋଲ ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଦାବି କରିଥିଲେ ହେଁ ସେ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ। ହଂସୁଆ ନଦୀର ଆମ୍ବିକି ଠାରେ ଏକ ପକ୍କା ପୋଲ ନିର୍ମାଣ ଦାବିକୁ ମଧ୍ୟ ଅଣଦେଖା କରାଯାଇଛି। ଗୋଡ଼ା ପଂଚାୟତର ଭଜାଖିଆ ଗ୍ରାମକୁ ରାସ୍ତା ନଥିବାରୁ ଗ୍ରାମବାସୀ କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି। ସେହି ଗ୍ରାମରେ ବସବାସ କରୁଥିବା ୬୦ରୁ ଊର୍ଦ୍ଧ୍ବ ପରିବାର ପାଇଁ ଗୋଟିଏ ମାତ୍ର ନଳକୂପ ଥିବା ବେଳେ ସେଥିରୁ ଲୁଣି ପାଣି ବାହାରୁଛି। ଗୋଡା ଓ ଗଡହରିଶପୁର ପଞ୍ଚାୟତରେ ପାନୀୟ ଜଳ ପାଇଁ ଏବେବି ଲୋକମାନେ ଡହଳ ବିକଳ ହେଉଛନ୍ତି। ଗୋଡା ପଞ୍ଚାୟତର ସାଳିଓ, ଭଜାଖିଆ, ବଙ୍ଗାଳୀସାହି, ରାଜପୁର, ନରସିଂହପୁର ଆଦି ଗ୍ରାମରେ ନଳକୂପ ଗୁଡିକରୁ ଲୁଣା ପାଣି ବାହାରୁଛି। ପ୍ରତି ବର୍ଷ ଏହି ସବୁ ଗ୍ରାମଗୁଡିକୁ ସରକାରଙ୍କ ତରଫରୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଥାଏ। କିନ୍ତୁ ସ୍ଥାୟୀ ପ୍ରତିକାର ଦିଗରେ ଅଦ୍ୟାବଧି କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ପାରିନାହିଁ। ଲୋକମାନେ ପିଇବା ପାଣି ପାଇଁ ବହୁ ଦୂରକୁ ଯାଉଛନ୍ତି। ସେହିପରି ଗଡହରିଶପୁର ପଞ୍ଚାୟତର ଅସିଆ, ସୁଆକୁଣ୍ତ, ଘାସୁଆ, ପାତୁଆ, ଗାରିଆ ଆଦି ଗ୍ରାରେ ପାନୀୟ ଜଳ ସମସ୍ୟା ଉତ୍କଟ। ଏହି ପାୟତର ଗାରିଆ ଠାରେ ବହୁ ଦିନ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ଥିଲା। ମାତ୍ର ତାହା ୧୦ବର୍ଷ ହେବ ବନ୍ଦ ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/4_6.jpg)