ଗାଧୋଇବାକୁ ଯାଇଥିଲେ, ଲୁଣା ନଦୀରେ ବୁଡ଼ି ୨ ଯୁବକ ମୃତ

ନିଶ୍ଚିନ୍ତକୋଇଲି: ଲୁଣା ନଦୀରେ ବୁଡ଼ିଯାଇ ଆଜି ଅପରାହ୍ନରେ ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। କଟକ ଜିଲ୍ଲାର ମାହାଙ୍ଗ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଗୋପାଳପୁର ଗାଁର ନବକିଶୋର ପାଳଙ୍କ ପୁଅ ଜିତେନ୍ଦ୍ର ପାଳ (୨୨) ଓ ସୁକଦେବ ସାମଲଙ୍କ ପୁଅ ଲିଟୁ ସାମଲ (୨୧) ଦୁର୍ଘଟଣାର ଶିକାର ହୋଇଛନ୍ତି।

ସୂଚନା ଅନୁସାରେ ଜିତେନ୍ଦ୍ର ଓ ଲିଟୁ ଅନ୍ୟ ୨ ଜଣ ସାଙ୍ଗଙ୍କ ସହିତ ଆଜି ଦିନ ୨ଟାରେ ଲୁଣା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନେ ମଙ୍ଗଳାଗଡ଼ାରେ ଗାଧୋଉଥିବା ସମୟରେ ଲିଟୁ ଓ ଜିତେନ୍ଦ୍ରଙ୍କର ଗୋଡ଼ ଖସିଯାଇଥିଲା। ଏହି ଘଟଣାରେ ପରେ ଅନ୍ୟ ୨ ସାଙ୍ଗ ଗାଁ ଲୋକଙ୍କୁ ଡାକିଥିଲେ। ସେହିପରି ଦମକଳ ବାହିନୀଙ୍କୁ ମଧ୍ୟ ଘଟଣା ସଂପର୍କରେ ସୂଚନା ଦିଆଯାଇଥିଲା। ପରେ ଗାଁ ଲୋକେ ଜଣଙ୍କୁ ପାଣିରୁ ଉଦ୍ଧାର କରିଥିବା ବେଳେ ଦମକଳ ବାହିନୀ ଅନ୍ୟ ଜଣଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ନଦୀରେ ବୁଡ଼ି ଦୁଇ ଯୁବକଙ୍କର ମୃତ୍ୟୁ ହେବା ପରେ ଉଭୟ ଜିତେନ୍ଦ୍ର ଓ ଲିଟୁର ପରିବାର ସହିତ ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର