ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଲଙ୍ଗଳପାଖନା ଘାଟି ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି। ଏହି ଘାଟରେ ନିୟମିତ ବ୍ୟବଧାନରେ ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହାନି ହୋଇଥିବା ନଜିର ରହିଛି। କିନ୍ତୁ ଦୁର୍ଘଟଣା ରୋକିବା ନିମନ୍ତେ ଏହି ସ୍ଥାନରେ କୈାଣସି ବ୍ୟବସ୍ଥା କରିବା ଦିଗରେ ଜାତୀୟ ରାଜପଥ ଉଚ୍ଚ କତୃପକ୍ଷଙ୍କ ଦୃଷ୍ଟି ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଗତକାଲି ରାତି ୮ଟା ବେଳେ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଲୁହା ପାଇପ୍ ବୋଝେଇ ଟ୍ରକ(ଟିଏସ୍ ୩୦ ଟିଏ ୩୮୦୯) ଲଙ୍ଗଳପାଖନା ନିକଟସ୍ଥ ଘାଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Advertisment

publive-image

ଗାଡ଼ିର ବ୍ରେକ ଫେଲ ହେବାରୁ ଦୁର୍ଘଟଣା ଘଟିଥିବା ଡ୍ରାଇଭର ବି. ସୁରେଶ (୩୫) କହିଛନ୍ତି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ହେଲପର୍ ବର୍ତ୍ତି ଯାଇଥିଲେ। ସେହିପରି ଆଜି ସକାଳ ୯ଟାରେ ଆନ୍ଧ୍ରା ଅଭିମୁଖେ ଯାଉଥିବା ଏକ ଧାନ ବୋଝେଇ ଟ୍ରକ (ଏପି ୦୩ ଟିଇ ୨୧୭୮) ଲଙ୍ଗଳପାଖନା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଏବଂ ହେଲପର୍ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଘାଟରେ ନିୟମିତ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏହା ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ବୋଲି କୈାଣସି ସୂଚନା ଫଳକ ଲଗା ଯାଇନି। ତେଣୁ ବାହାର ରାଜ୍ୟରୁ ଆସୁଥିବା ଡ୍ରାଇଭର ମାନେ ଏହି ଦୁର୍ଘଟଣା ପ୍ରବଣ ସ୍ଥାନକୁ ଜାଣି ପାରୁ ନଥିବାରୁ ଦୁର୍ଘଟଣା ବୃଦ୍ଧି ପାଉଥିବା ସାଧାରଣରେ ଆଲୋଚନା ହେଉଛି। ଏସବୁକୁ ବାଦ୍ ଦେଲେ ଲଙ୍ଗଳପାଖନା ଘାଟି ଉପରେ ପୂର୍ବରୁ ବହୁ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ କତୃପକ୍ଷ ଦୁର୍ଘଟଣା ସଂପର୍କରେ ଖବର ପାଉଥିଲେ ମଧ୍ୟ କୈାଣସି ପ୍ରତିକାର ବ୍ୟବସ୍ଥା ନକରି କାହିଁକି ଚୁପ୍ ରହୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।