ଚିଟଫଣ୍ଡ ସଂସ୍ଥାର ବ୍ୟାଙ୍କ ଖାତା ଅଚଳ କଲା ପୁଲିସ୍, ଥିଲା ମାତ୍ର ୪୨୩ ଟଙ୍କା

କୋରାପୁଟ : କୋରାପୁଟ ଟାଉନରୁ ୪୫ଜଣ ହିତାଧିକାରୀଙ୍କ ଠାରୁ ୬୦ ଲକ୍ଷ ଟଙ୍କା ଠକି ନେଇ ପାର ମାରିଥିବା ସ୍କାଏଟ୍ରେଡର୍ସ ଡଟ୍ ଲାଇଭ ନାମକ ଝାଡ଼ଖଣ୍ଡର ଚିଟ୍‌ଫଣ୍ଡ ସଂସ୍ଥା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି କୋରାପୁଟ ଟାଉନ ପୁଲିସ। ଆଜି ଏକ ଘରୋଇ ବ୍ୟାଙ୍କରେ ଥିବା ସଂସ୍ଥାର ଦୁଇଟି ଆକାଉଣ୍ଟକୁ ଫ୍ରିଜ୍‌ କରିଛି ପୁଲିସ। ଏହାସହ ଏହି ଦୁଇ ଆକାଉଣ୍ଟର ସବିଶେଷ ତଥ୍ୟ ହାସଲ କରିବାକୁ କୋର ବ୍ୟାଙ୍କିଙ୍ଗକୁ ଚିଠି କରିଛି। ଏହାସହ ଦୁଇ ଆକାଉଣ୍ଟ କାହା ନାଁରେ ରହିଛି, କିଏ କେୱାଇସି ଦେଇଛି ତାହାର ତଦନ୍ତ ଆରମ୍ଭ ହୋଇଛି। ଏହାସହ ଏହି ଦୁଇ ଆକାଉଣ୍ଟରେ କେବେ ଖୋଲାଗଲା, ଏଥିରେ କିଏ ଓ କେଉଁଠୁ ଟଙ୍କା ଉଠାଣ କରିଛନ୍ତି ସବିଶେଷ ତଥ୍ୟ ହାସଲ କରିବାକୁ ଯୋଜନା ଆରମ୍ଭ ହୋଇଛି। ତେବେ ଏହି ଦୁଇ ଅକାଉଣ୍ଟରେ ମାତ୍ର ୪୨୩ ଟଙ୍କା ରହିଥିବା ଜଣାପଡିଛି ।

ତଥ୍ୟ ସଂଗ୍ରହ କରାଯିବା ପରେ ଏକ ଟିମ୍‌ ଗଠନ କରାଯିବ। ଏହାସହ ଗିରଫ ହୋଇଥିବା ଚନ୍ଦନ କୁମାର ଚୌଧୁରୀଙ୍କୁ ରିମ‌ାଣ୍ଡରେ ଅଣାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଫେରାର ରହିଥିବା ଅନ୍ୟ ତିନିଜଣଙ୍କର ତଥ୍ୟ ସଂଗ୍ରହ କରାଯାଉଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଖାଲି କୋରାପୁଟ ସହର ନାଁ କୋରାପୁଟ ଜିଲ୍ଲାରେ କାୟା ମେଲାଇଛି ଏହି ଝାରଖଣ୍ଡି ଚିଠ ଫଣ୍ଡ। କରୋନା କାଳରେ ଲୋକେ ଟଙ୍କାକୁ ନେଇ ସମସ୍ୟାରେ ପଡୁଥିବାରୁ ଏହାର ସୁଯୋଗ ନେଇ ଅନ୍ୟ ସହରରେ ଏହି କାୟା ମେଲାଇଥିବା ପ୍ରାଥମିକ ସୂଚନା ଆସିଛି। କୋରାପୁଟ ଜିଲ୍ଲାର ଜୟପୁର, ସେମିଳିଗୁଡା, ଦାମନଯୋଡି, ମାଥାଲପୁଟ, ସୁନାବେଢା ଓ କୋଟପାଡ ଅଞ୍ଚଳରେ କାୟା ବିସ୍ତାରିଥିବା ଆଶଙ୍କା କରାଯାଇଛି। ଏହି ଅଞ୍ଚଳ କୋରାପୁଟ ଜିଲ୍ଲାରେ ସବୁଠୁ ଅଧିକ ଆର୍ଥିକ ସ୍ବଚ୍ଛଳ ଲୋକ ବସବାସ କରୁଥିବାରୁ ଏହାର ସୁଯୋଗ ନେଇ କାୟା ବିସ୍ତାରିଛନ୍ତି।  କୋରାପୁଟ ସହରରେ ମୋଟ ୯୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାବେଳେ ପ୍ରଥମ କିସ୍ତିରେ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ଜୁଲାଇ ମାସରେ ୬୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ରହିଥିବାବେଳେ ଟଙ୍କା  ନେଇ ପାର ମାରିଥିଲା କମ୍ପାନୀ। ପରେ କମ୍ପାନୀର ୱେବସାଇଟ ବନ୍ଦ ହୋଇଯିବା ପରେ କୋରାପୁଟ ଟାଉନ ଥାନାର ଦ୍ବାରସ୍ଥ ହୋଇଥିଲେ କିଛି ସହରବାସୀ ।

ଏନେଇ ଟାଉନ ଆଇଆଇସି ଧୀ‌ରେନ୍‌ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ କୋର ବ୍ୟାଙ୍କିଂ ବ୍ୟବସ୍ଥା ହୋଇଥିବାରୁ ଦୁଇ ଆକାଉଣ୍ଟକୁ ଯାଞ୍ଚ ଚାଲିଛି। ଏହା ଏକ ଘରୋଇ ବ୍ୟାଙ୍କ ହୋଇଥିବାରୁ ସବୁ ତଥ୍ୟ ଯୋଗାଡ କରାଯାଉଛି। ଏହାସହ ଫେରାର ମାରିଥିବା ସଂସ୍ଥାର ତିନିଜଣ ଏଜେଣ୍ଟକୁ ଖୋଜା ଚାଲିଛି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ସେମାନଙ୍କୁ ଠାବ କରାଯିବ ସେ ଆଶାବାଦୀ ରହିଛନ୍ତି ।

ସମ୍ବନ୍ଧିତ ଖବର