ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ପୁଲିସ ଆଜି ସ୍ଥାନୀୟ ସରକଣା ହସ୍ପିଟାଲ ନିକଟସ୍ଥ ପ୍ଲଟିଂ ସ୍କିମ ଆଉଟହାଉସକୁ ବୋମାଫିଙ୍ଗି ଆତଙ୍କ ସୃଷ୍ଟି କରିବା ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ଖୋର୍ଦ୍ଧା ଥାନା ଅଧୀନ ଭାଲୁଆବାଡ଼ି ଗ୍ରାମର ଶୁଶୀଳ ବରିଆରସିଂହ (୨୬) ଏବଂ ଜଟଣୀ ଥାନା ଅଧୀନ ପିତାପଲ୍ଲି ଗ୍ରାମର ମହେଶ୍ବର ପ୍ରଧାନ (୨୮)। ମୋଟ ୩ଜଣ ଅଭିଯୁକ୍ତ ମାମଲାରେ ସଂପୃକ୍ତ ଥିବା ଜଣାପଡ଼ିଛି। କୌଶଲ୍ୟାଗଙ୍ଗ ଫାଣ୍ଡି ଅଞ୍ଚଳରୁ ପୁଲିସ ସୁଶୀଳ ଏବଂ ମହେଶ୍ବରକୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅନ୍ୟଜଣକ ହେଲେ ଜଣେ ବିଲ୍ଡର। ବୋମା ଫିଙ୍ଗିବା ପାଇଁ ସେ ସୁଶୀଳ ଏବଂ ମହେଶ୍ବରକୁ ସୁପାରି ଦେଇଥିବା ପୁଲିସ ଜାଣିବାକୁ ପାଇଛି। ବିଲ୍ଡର ଜଣକ ଘଟଣା ପରଠାରୁ ଫେରାର ହୋଇଯାଇଥିବାରୁ ଗିରଫ କରାଯାଇ ପାରିନଥିବା ପୁଲିସ କହିଛି।
ସୂଚନାଅନୁସାରେ, ବ୍ରାହ୍ମଣସୁଆଁଲୋ ମୌଜା ଧନୁଆଧାର ଅଞ୍ଚଳରେ ୩ ଏକର ପରିମିତ ଜମି ପ୍ଲଟିଂ ଚାଲିଛି। ପ୍ରଥମେ ଏହି ଜମି କିଣିବା ପାଇଁ ଜଣେ ବିଲ୍ଡର ଲକ୍ଷାଧିକ ଟଙ୍କା ସରକଣା ପଞ୍ଚାୟତ ଅଞ୍ଚଳର ଜାଗା ମାଲିକଙ୍କୁ ଅଗ୍ରୀମ ଦେଇଥିଲେ। ହେଲେ ଅଭିଯୋଗକାରୀ ଜାଗା ମାଲିକ ଜମି ଗୁଣ୍ଠ ପିଛା ମୂଲ୍ୟ ବଢ଼ାଇ ଗତବର୍ଷ କିଣି ନେଇଥିଲେ। ସେହିଦିନଠାରୁ ଜମି କିଣାବିକାକୁ କେନ୍ଦ୍ରକରି ଉଭୟ ବିଲ୍ଡର ପକ୍ଷ ଏବଂ ଦଲାଲଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ପ୍ଲଟିଂ ସ୍କିମରେ ଉଭୟ ଗୋଷ୍ଠୀ ଅନେକବାର ମାରପିଟ ଏବଂ ପ୍ରାଚୀର ଭଙ୍ଗାରୁଜା ଭଳି ଘଟଣା ଗଟିଥିଲା। ପୁଲିସ ହସ୍ତକ୍ଷେପ କରିବା ସହ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା।
କିନ୍ତୁ ଉଭୟ ପକ୍ଷ ବିଲ୍ଡର ଗୋଷ୍ଠୀ ଏବଂ ଦଲାଲଙ୍କ ମଧ୍ୟରେ ମାମଲା ସମାଧାନ ହୋଇପାରିନଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗତ ୧୬ ତାରିଖ ରାତି ଦି’ଟା ସମୟରେ ଅଭିଯୁକ୍ତ ମାନେ ବୋମାଫିଙ୍ଗି ଫେରାର ହୋଇଯାଇଥିଲେ। ବୋମାମାଡ଼ରେ ଆଉଟହାଉସ ଭିତରେ ଥିବା ଦୁଇ କର୍ମଚାରୀ ବାବୁରାମ ବେହେରା (୩୪) ଏବଂ ରାଜାରାମ ବିଶ୍ବାଳ(୩୨) ଗୁରୁତର ଆହତ ହୋଇଥିଲେ। ଆଉଟହାଉସରେ ଲାଗିଥିବା ସିସି କ୍ୟାମେରା ଫୁଟେଜକୁ ଆଧାର କରି ପୁଲିସ ସୁଶୀଳ ଏବଂ ମହେଶ୍ବରକୁ ଗିରଫ କରିଥିବା ବେଳେ ସୁପାରି ଦେଇଥିବା ପ୍ରଥମପକ୍ଷ ବିଲ୍ଡରକୁ କିନ୍ତୁ ଏଯାଏ ଗିରଫ କରିପାରିନି।