ଜଙ୍ଗଲରୁ ବୃଦ୍ଧଙ୍କ ଶବ ଉଦ୍ଧାର ଘଟଣା :ଛତିଶଗଡ଼ରୁ ଗିରଫ ହେଲେ ୨ଜଣ

ଡାବୁଗାଁ,: ଡାବୁଗାଁ ଥାନା ଅନ୍ତର୍ଗତ ଗଡେଙ୍ଗା-ବରକିଗୁଡା ଜଙ୍ଗଲରେ ଜଣେ ବୃଦ୍ଧଙ୍କୁ ହତ୍ୟା ଘଟଣାରେ ପୁଲିସ ଛତିଶଗଡ଼ର ନଗରନାର ଅଞ୍ଚଳରୁ ୨ଜଣଙ୍କୁ ଗିରଫ କରିଛି। ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ଅଭିଯୁକ୍ତ ଦ୍ୱୟ ହେଲେ ନଗରନାର ଥାନା ଅନ୍ତର୍ଗତ ତୁଙ୍ଗାପାଲର ମହେଶ କଛପ ଓ ଉର୍ବସୀ ମୋରେ।
ପ୍ରକାଶ ଥାଉକି, ଗତ ୨୦୧୬ ଡିସେମ୍ବର ୨୫ତାରିଖରେଡାବୁଗାଁ ଥାନା ଅନ୍ତର୍ଗତ ଗଡେଙ୍ଗା ବରକିଗୁଡା ଜଙ୍ଗଲରୁ ପୁଲିସ ଜଣେ ଅଚିହ୍ନା ବୃଦ୍ଧଙ୍କ ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶବ ବ୍ୟବଚ୍ଛେଦ ପରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଡାବୁଗାଁ ସୀମାନ୍ତ ବକାଓ୍ଵାଣ୍ଡ ଥାନାରେ ହୋଇଥିବା ଏକ ନିଖୋଜ ମାମଲାର ତଦନ୍ତ କରିବା ପରେ ପୁଲିସ ମୃତ ବୃଦ୍ଧଙ୍କ ପରିଚୟ ପାଇପାରିଥିଲା। ପରେ ବୃଦ୍ଧଙ୍କ ମୋବାଇଲକୁ ଟ୍ରାକ୍‌ କରି ପୁଲିସ ଛତିଶଗଡ ନଗରନାର ଥାନା ଅନ୍ତର୍ଗତ ତୁଙ୍ଗାପାଲରୁ ହତ୍ୟାକାରୀ ମହେଶ କଛପ ଓ ଉର୍ବସୀ ମୋରେଙ୍କୁ ଗିରଫ କରିଥିବା ଜଣାପଡିଛି। ମୃତ ବୃଦ୍ଧ ଜଣକ ଛତିଶଗଡ ନଗରନାର ଥାନା ଅନ୍ତର୍ଗତ କରିତ ଗାଁର ନରସିଂ ବାଗେଲ(୬୦) ଏବଂ ସେ ଆସନାର ଡେପୁଟି ରେଂଜର ଭାବେ କାର୍ଯ୍ୟ କରୁଥିଲେ ବୋଲି ପୁଲିସ କହିଛି। ତୁଙ୍ଗାପାଲର ସ୍ୱାମୀ ପରିତ୍ୟକ୍ତା ଉର୍ବସୀ ମୋରେ ଗାଁରେ ମଦ ବ୍ୟବସାୟ କରୁଥିଲେ। ନିକଟସ୍ଥ ଆସନାରେ ଡେପୁଟି ରେଂଜର ଭାବେ କାମ କରୁଥିବା ନରସିଂ ବାଗେଲ ଉର୍ବସୀଙ୍କ ନିକଟକୁ ଆସି ମଦ ପିଇବା ସହ ତାଙ୍କୁ ପ୍ରେମ ନିବେଦନ କରୁଥିଲେ। ନରସିଂ ଉର୍ବସୀଙ୍କୁ ପ୍ରେମ ନିବେଦନ କରୁଥିବା ଘଟଣା ଗୋଟିଏ ଦିନ ଗାଁର ମହେଶ କଛପଙ୍କ ନଜରକୁ ଆସିଥିଲା। ପରେ ଉର୍ବସୀ ଓ ମହେଶ ମିଳିତ ଭାବେ ନରସିଂଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ପୁଲିସ କହିଛି।
ଗତ ୨୦୧୬ ଡିସେମ୍ବର ୨୩ତାରିଖରେ ଜ୍ୱାଇଁଙ୍କ ଘରକୁ ଯିବା କହି ଉର୍ବସୀ ନରସିଂଙ୍କୁ ଡାକିଥିଲା। ସାଥୀରେ ମହେଶ ମଧ୍ୟ ଯାଇଥିଲେ। ୨୩ତାରିଖ ରାତିରେ ସମସ୍ତେ ଉମରକୋଟ ସିଙ୍ଗସାରୀ ଥାନା ଅନ୍ତର୍ଗତ ସାଇବେଡା ଗ୍ରାମରେ ରହିଥିଲେ। ୨୪ତାରିଖରେ ଡାବୁଗାଁ ଥାନା ଅନ୍ତର୍ଗତ ଝଇଁଲାଗୁଡା ଗାଁରେ ପହଞ୍ଚି ମଦ ପିଇଥିଲେ। ସେଠାରୁ ରାତିରେ ବାଇକ୍‌ ଯୋଗେ ସମସ୍ତେ ଗଡେଗାଁ ଓ ବରକିଗୁଡା ଗାଁ ନିକଟସ୍ଥ ଜଙ୍ଗଲ ପାର୍ଶ୍ୱରେ ନିଆଁ ଲଗାଇ ବସିଥିଲେ। ଏହି ସମୟରେ ମହେଶ ଏକ ଠେଙ୍ଗାରେ ନରସିଂଙ୍କ ମୁଣ୍ଡକୁ ଅଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନରସିଂଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ ନରସିଂଙ୍କ ମୋବାଇଲକୁ କୋଷାଗୁମୁଡା ଅଞ୍ଚଳରେ ବିକି୍ର କରି ଦେଇଥିଲେ। ଏହି ମୋବାଇଲଟି ବୁଲିବୁଲି ଝରିଗାଁର ଶ୍ୟାମ ସୁନ୍ଦର ମୋଗଲିଙ୍କ ନିକଟରେ ପହଞ୍ଚିଥିଲା। ୨୫ତାରିଖରେ ପୁଲିସ ଘଟଣାସ୍ଥଳରୁ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ମୃତ ନରସିଂଙ୍କ ପତ୍ନୀଙ୍କୁ ନିଖୋଜ ଏତଲାକୁ ଅଧାର କରି ଓ ନରସିଂଙ୍କ ମୋବାଇଲକୁ ଟ୍ରାକ୍‌ କରି ପୁଲିସ ଉଭୟ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ନିଜ ଦୋଷ ସ୍ୱୀକାର କରିବା ପରେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର