ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୁଣିଥରେ ଏକ ଠକାମି କାରବାର ପର୍ଦ୍ଦାଫାସ୍ କରିଛି ପୁଲିସ। ଲୋକଙ୍କ ଅଜାଣତରେ ବଜାଜ ଫାଇନାନ୍ସ କାର୍ଡ କରି ସେମାନଙ୍କ ନାମରେ ମୋବାଇଲ୍ ଫୋନ୍ କିଣି ଲକ୍ଷାଧିକ ଟଙ୍କାର ଠକେଇ ହୋଇଛି। ଏ ସଂକ୍ରାନ୍ତରେ ବଡ଼ବଜାର ଥାନା ପୁଲିସ ବଜାଜ ଫାଇନାନ୍ସ ଲିମିଟେଡ୍ର ଏଜେଣ୍ଟ୍ ପୁରୁଣା ବ୍ରହ୍ମପୁର ମାର୍ଥସାହିର ଜଗନ୍ନାଥ ସାହୁ ଓ ଗୋସାଇଁନୂଆଗାଁର ସ୍ବାଗତ ପାଣିଗ୍ରାହୀଙ୍କୁ ଗିରଫ କରିଥିବା ଏଏସ୍ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଜଗନ୍ନାଥ ବଜାଜ ଫାଇନାନ୍ସ କମ୍ପାନିର ଏଜେଣ୍ଟ୍ ଭାବେ କାମ କରୁଛନ୍ତି। ବଡ଼ବଜାର ଗଣେଶ ମାର୍କେଟକୁ ମୋବାଇଲ୍ କିଣିବାକୁ ଆସୁଥିବା ଲୋକଙ୍କ ପାଇଁ ସେ ବଜାଜ ଫାଇନାନ୍ସ କାର୍ଡ କରାଇ ଲୋନ୍ ସୁବିଧା କରିଥାନ୍ତି। ତେବେ ଜଗନ୍ନାଥ ଗତ କିଛି ମାସ ତଳେ କେତେକ ଲୋକଙ୍କୁ ୧୫ଶହ ଟଙ୍କାର ବ୍ଲୁ-ଟୁଥ୍ ମାତ୍ର ୫ଶହ ଟଙ୍କାରେ ଦେବାକୁ କହି ସେମାନଙ୍କ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଏବଂ ଲୋନ୍ ପାଇଁ ମୋବାଇଲ୍କୁ ଯାଉଥିବା ଓଟିପି ନମ୍ବର ସଂଗ୍ରହ କରିଥିଲେ। ପ୍ରାୟ ୧୧ଜଣଙ୍କ ଠାରୁ ଏଭଳି ତଥ୍ୟ ସଂଗ୍ରହ କରିବା ପରେ ସେ ସମସ୍ତଙ୍କ ନାମରେ ବଜାଜ କାର୍ଡ କରି ଗଣେଶ ମାର୍କେଟରେ ଥିବା ଟୁଡେସ୍ ମୋବାଇଲ୍ ସପ୍ରୁ ୧୭ଟି ଦାମୀ ମୋବାଇଲ୍ କିଣିଥିଲେ। କିନ୍ତୁ ଗ୍ରାହକମାନେ ମୋବାଇଲ୍ ପାଇ ନଥିଲେ। କିଛିଦିନ ପରେ ବ୍ୟାଙ୍କ ଆକାଉଣ୍ଟ୍ରୁ ମାସିକ କିସ୍ତି ବାବଦରେ ଟଙ୍କା କଟିବାରୁ କିଛି ଲୋକଙ୍କ ବଜାଜ ଫାଇାନନ୍ସ କମ୍ପାନି ସହିତ ଯୋଗାଯୋଗ କରିଥିଲେ। ମୋବାଇଲ୍ କିମ୍ବା ଅନ୍ୟ କୌଣସି ସାମଗ୍ରୀ କ୍ରୟ କରି ନଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ୍ରୁ କେମିତି ଟଙ୍କା କଟୁଛି ବୋଲି ପ୍ରଶ୍ନ କରିଥିଲେ।
ଏଥିରେ ଧର୍ମନଗର ସ୍ଥିତ ବଜାଜ ଫାଇାନନ୍ସ କମ୍ପାନିର ଆସିଷ୍ଟାଣ୍ଟ୍ ମ୍ୟାନେଜର ପ୍ରଭଞ୍ଜନ ରଥ ଗତ ୩ତାରିଖରେ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ କେସ୍ ନମ୍ବର ୭୭/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାର ତଦନ୍ତ କରି କାର୍ଡ ଜରିଆରେ ଠକାମି ହୋଇଥିବା ନେଇ ପ୍ରମାଣ ପାଇଥିଲା। ଏପରିକି ଜଗନ୍ନାଥ ସେହି ମୋବାଇଲ୍ଗୁଡ଼ିକ ପର୍ୟ୍ୟାୟ କ୍ରମେ କମ ଦାମରେ ସ୍ବାଗତଙ୍କୁ ବିକ୍ରି କରି ଦେଇଥିବା ନେଇ ଜାଣିବାକୁ ପାଇଥିଲା। ମୋବାଇଲ୍ ବାବଦରେ ସେ ୩ଲକ୍ଷ ୫୫ହଜାର ଟଙ୍କା ପାଇଥିଲେ। ଯାହାକି ସେ ଖର୍ଚ୍ଚ କରି ଦେଇଛନ୍ତି। ସେପଟେ ସ୍ବାଗତ ମଧ୍ୟ ସେହି ମୋବାଇଲ୍ ଅନ୍ୟ ଲୋକଙ୍କୁ ବିକ୍ରି କରି ଦେଇଥିଲେ। ଏଣୁ ପୁଲିସ ଉଭୟ ଜଗନ୍ନାଥ ଓ ସ୍ବାଗତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ବିଭିନ୍ନ କାଗଜପତ୍ର ଓ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ୍ ଜବତ କରାଯାଇଥିବା ପୁଲିସ କହିଛି।