ବାଲେଶ୍ବର: ଓଡ଼ିଶାର ସରକାରୀ, ଘରୋଇ ମେଡିକାଲ କଲେଜ ସମେତ ବିଭିନ୍ନ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇ ଦେବା ନାଁରେ ଛାତ୍ରଛାତ୍ରୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଦୁଇ ଜଣ ଯୁବ ଇଞ୍ଜିନିୟରଙ୍କୁ ବାନ୍ଧିଛି ବାଲେଶ୍ବର ସାଇବର ଥାନା ପୁଲିସ। ଅଭିଯୁକ୍ତ ଦୁଇଜଣ ହେଲେ ଯାଜପୁର ଜିଲ୍ଲାର ସୁମିତ କୁମାର ବିଶ୍ବାଳ (୩୫) ଓ ସୁନୀଲ କୁମାର ସାମନ୍ତରାୟ (୩୫)। ଏ ଦୁହେଁ ଭୁବନେଶ୍ବର ଓ କୋଲକାତାରେ ‘ସାଇ ଏକାଡେମୀ’ ନାଁରେ ଏକ କନ୍‌ସଲଟାନ୍ସି ସଂସ୍ଥା ଖୋଲି ଦୀଘ ୭/୮ ବର୍ଷ ଧରି ଏହି କାରବାର ଚଳାଇ ଆସୁଥିଲେ। ଉଭୟଙ୍କ ଠାରୁ ପୁଲିସ ଏଣ୍ଡିଏ‌ଭର ଫୋର୍ଡ କାର(ଓଡି-୩୩ଏସି ୦୦୦୧), ଗୋଟିଏ ୧୪ ପ୍ରୋ ଆଇଫୋନ୍‌, ସାମସଙ୍ଗ୍‌ ଗାଲାକ୍ସି ଫୋଲ୍ଡ ମୋବାଇଲ, ବିଭିନ୍ନ ବ୍ୟାଙ୍କର ୫ଟି ଏଟିଏମ୍‌ କାର୍ଡ ଜବତ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।

Advertisment

ବା‌ଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ଜଣେ ଶିକ୍ଷକଙ୍କ ଝିଅ ଯୁକ୍ତଦୁଇ ବିଜ୍ଞାନ ପାଶ୍‌ କରିବା ମେଡିକାଲ କଲେଜରେ ପାଠ ପଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଏହି ସମୟରେ ଭୁବନେଶ୍ବର ଜୟଦେବବିହାର ସ୍ଥିତ ସାଇ ଏକାଡେମୀରୁ ଉକ୍ତ ଛାତ୍ରୀଙ୍କ ବାପାଙ୍କୁ କଲ କରି ଏନ୍‌ଇଇଟି କିମ୍ବା ଓଜେଇଇ ଜରିଆରେ ଝିଅର ଆଡ୍‌ମିସନ କରାଇଦେବା ଲାଗି ପ୍ରଲୋଭନ ଦେଖାଯାଇଥିଲା। ସରକାରୀ ମେଡିକାଲ କଲେଜରେ ଭର୍ତ୍ତି ହେବା ପାଇଁ ପ୍ରବେଶିକା ପରୀକ୍ଷାରେ ଛାତ୍ରୀଜଣକ ୭୦୦ ମାର୍କରୁ ମାତ୍ର ୧୩୭ ମାର୍କ ରଖିଥିବାରୁ ସାଇ ଏକାଡେମୀ ତାଙ୍କ ବାପାଙ୍କୁ ଯୋଗାଯୋଗ କରି ତାଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ସେ ଓଡ଼ିଶାର ଯେ କୌଣସି ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଇଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ। ଏଥିରେ ଛାତ୍ରୀଙ୍କ ବାପା ରାଜି ନହେବାରୁ ସାଇ ଏକାଡେମୀ ମାଲିକ କିଛି ଟଙ୍କା କମାଇ ୨୮ ଲକ୍ଷ ଟଙ୍କା ଦେବାକୁ କଥା ଛିଡ଼ାଇଥିଲେ।

ତେବେ ଛାତ୍ରୀଙ୍କ ବାପା ପ୍ରଥମେ ୟୁପିଆଇ ଏବଂ ନଗଦ ଆକାରରେ ପ୍ରାଥମିକ ପର୍ଯ୍ୟାୟରେ ୨୧ ଲକ୍ଷ ଟଙ୍କା ଦେଇଥିଲେ ଏବଂ ନାମ ଲେଖା ସରିବା ପରେ ବାକି ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଥିଲା। ଏହି ଟଙ୍କା ନେବା ପରେ ତାଙ୍କ ଝିଅର ବ୍ରହ୍ମପୁର ସହର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜରେ ନାମ ଲେଖାଯିବ ବୋଲି କହିଥିଲେ। ଏହାପରେ ଛାତ୍ରୀଙ୍କ ପାଖକୁ ଉକ୍ତ କଲେଜରେ ନାମ ଲେଖା‌ଇବା ପାଇଁ କଲେଜ ନାମରେ ମିଛ ଚିଠି ବନାଇ ଇ-ମେଲ କରାଯାଇଥିଲା। ନାମ ଲେଖା ତାରିଖରେ ଛାତ୍ରୀଜଣକ ତାଙ୍କ ବାପାଙ୍କ ସହ ସେଠାକୁ ଯିବାପରେ ଠକେଇ ସଂସ୍ଥାର ଲୋକ ସେମାନଙ୍କୁ ମେଡିକାଲ କଲେଜର ଅନ୍ୟ ଏକ ବିଲ୍ଡିଂ‌କୁ ନେଇ ମିଛ ନାମ ଲେଖାଇବା ସହିତ ପରିଚୟ ପତ୍ର, ଡ୍ରେସ୍‌ ଓ ଷ୍ଟେଥୋସ୍କପ୍‌ ପ୍ରଦାନ କରିଥିଲେ ଏବଂ ଛାତ୍ରୀଜଣକ ସେଠାରେ କେଉଁ ହଷ୍ଟେଲରେ ରହିବେ ସେନେଇ ମଧ୍ୟ ତାଙ୍କୁ ସେମାନେ କହିଦେଇଥିଲେ। କିନ୍ତୁ ପରେ ମେଡିକାଲ କଲେଜ ତରଫରୁ ଛାତ୍ରୀଜଣକ ବଡ଼ ଠକେଇର ଶିକାର ହୋଇଥିବା‌ ଜାଣିବାକୁ ପାଇଥିଲେ। ଏହାପରେ ଗତ ୧୪ ତାରିଖ ଦିନ ଛାତ୍ରୀଙ୍କ ବାପା ବାଲେଶ୍ବର ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ୧୨/୨୩ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଏଥିରେ ସାଇ ଏକାଡେମୀର ଦୁଇ ପାର୍ଟନର ସୁମିତ କୁମାର ବିଶ୍ବାଳ(୩୫) ଓ ସୁନୀଲ କୁମାର ସାମନ୍ତରାୟ(୩୫)ଙ୍କୁ ପୁଲିସ ଗିରଫ କରିବା ‌ପରେ ଉଭୟଙ୍କ ଘର ଯାଜପୁର ଜିଲ୍ଲାରେ ଏବଂ ତାଙ୍କ ଅପରାଧିକ ରେକର୍ଡ ବହୁତ ଲମ୍ବା ଥିବା ପୁଲିସ ଜାଣିବାକୁ ପାଇଛି।