ପାଇକସାହି: ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ପୁଲିସ ନାକଚି ରୋଡ ଛକ ନିକଟରୁ ୧୫ ଲିଟର ଦେଶୀ ମଦ ସହ ଏକ ବାଇକ୍‌ ଜବତ କରିଛି। ପୁଲିସ ଏହି ଘଟଣା ସହିତ ସଂଶ୍ଲିଷ୍ଟ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହଣ୍ଡପା ଥାନା ଅନ୍ତର୍ଗତ ବୁଦୁଲିମୁଣ୍ଡା ଗ୍ରାମର ଅଜୟ ପିଓ୍ଵାଲା (୨୬) ଓ ବସନ୍ତ ସେଠୀ (୩୫)। ପୁଲିସ କହିଛି, ଅଭିଯୁକ୍ତମାନେ ୧୫ ଲିଟର ଦେଶୀ ମଦକୁ ଏକ ବାଇକ (ଓଆର ୧୯ଜେ ୪୭୯୬) ଯୋଗେ ଧଣ୍ଡାତେଣା ଗ୍ରାମକୁ ଚାଲାଣ କରୁଥିଲେ। ସୂଚନା ମିଳିବାରୁ ଠାକୁରଗଡ଼ ଆଇଆଇସି ଗବାକ୍ଷ ନାୟକ ଓ ଏଏସ୍‌ଆଇ କରୁଣାକର ନନ୍ଦ ଚଢ଼ାଉ କରିଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।